ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କବଚ ପାଇଁ ମଞ୍ଜୁର ଅର୍ଥରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ନୂଆଦିଲ୍ଲୀ: ବାଲେଶ୍ବରର ବାହାନଗାରେ ସଂଘଟିତ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରିପ୍ରେକ୍ଷୀରେ ଦୁର୍ଘଟଣା-ନିରୋଧୀ କବଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ନ ଥିବା ନେଇ ପ୍ରଶ୍ନ ଉଠିଛି। ବର୍ତ୍ତମାନ ମିଳିଥିବା ତଥ୍ୟରୁ ଜଣାପଡ଼ିଛି, ଦକ୍ଷିଣ-ପୂର୍ବ ରେଳପଥ ଜୋନ୍‌ରେ, ଯାହା ଅଧୀନରେ ବାଲେଶ୍ବର ଆସୁଛି, କବଚ ବ୍ୟବସ୍ଥା ପାଇଁ ବଜେଟ୍‌ରେ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଗତ ତିନିବର୍ଷ ମଧ୍ୟରେ ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ ହୋଇ ନାହିଁ। ଦକ୍ଷିଣ-ପୂର୍ବ ରେଳପଥର ପିଙ୍କ ବୁକ୍, ଯେଉଁଥିରେ ପ୍ରକଳ୍ପଗୁଡ଼ିକର ତାଲିକା ରହିଛି, ସେଥିରୁ ମିଳିଥିବା ତଥ୍ୟ ଅନୁଯାୟୀ ଲୋ-ଡେନ୍‌ସିଟି ରେଲ୍‌ୱେ ନେଟ୍‌ୱର୍କ (୧,୫୬୩ ଆର୍‌କେଏମ୍‌ ବା ରୁଟ୍ କିଲୋମିଟର)ରେ କବଚ ବ୍ୟବସ୍ଥା ପାଇଁ ୪୬୮.୯ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସେଥିରୁ ଟଙ୍କାଟିଏ ଖର୍ଚ୍ଚ ହୋଇ ନାହିଁ। ସେହି ଜୋନ୍‌ର ଆଉ ଏକ ସେକ୍ଟରରେ ୧,୫୬୩ ଆର୍‌କେଏମ୍ ପାଇଁ ୩୧୨ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ସେଥି ଲାଗି ବି ୨୦୨୨ ମାର୍ଚ୍ଚ ସୁଦ୍ଧା କିଛି ଖର୍ଚ୍ଚ ହୋଇ ନାହିଁ।

ବାହାନଗା ଦୁର୍ଘଟଣାର ମୂଳ କାରଣ ହେଉଛି ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍‌ରେ ତ୍ରୁଟି। ସିଗ୍ନାଲିଂ ସିଷ୍ଟମ୍‌ରେ ଗୁରୁତର ତ୍ରୁଟି ଥିବା ନେଇ ତିନିମାସ ତଳେ ଚେତାବନୀ ଦିଆଯାଇଥିଲେ ମଧ୍ୟ ତାହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ, ୨୦୨୧-୨୨ରେ ଦକ୍ଷିଣ-ପୂର୍ବ ରେଳପଥକୁ ଅଟୋମେଟିକ୍ ବ୍ଲକ୍ ସିଗ୍ନାଲିଂ, କେନ୍ଦ୍ରାୟିତ ଟ୍ରାଫିକ୍ ନିୟନ୍ତ୍ରଣ ଓ ଦୁର୍ଘଟଣା-ନିରୋଧୀ କବଚ ବ୍ୟବସ୍ଥା ପାଇଁ ୧୬୨.୨୯ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଅଦ୍ୟାବଧି ସେହି ଟଙ୍କା ଅବ୍ୟବହୃତ ହୋଇ ପଡ଼ିରହିଛି। ରେଳ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଉକ୍ତ ଅଞ୍ଚଳରେ ନିରାପତ୍ତା କାର୍ଯ୍ୟ ପାଇଁ କୌଣସି ଟେଣ୍ଡର ଖୋଲାଯାଇ ନ ଥିବାରୁ ବଜେଟ୍ ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ। ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାଓଡ଼ା ରେଳପଥରେ ସବୁଠାରୁ ବେଶି ଟ୍ରେନ୍ ଚଳାଚଳ କରୁଥିବାରୁ ସେଠାରେ କବଚ ବ୍ୟବସ୍ଥା ପାଇଁ ସବୁଠୁ ଅଧିକ ପ୍ରାଥମିକତା ଦିଆଯାଉଛି। ତା’ ତଳକୁ ପ୍ରାଥମିକତା ରହୁଛି ଦକ୍ଷିଣ-ପୂର୍ବ ରେଳପଥ ଜୋନ୍ ଉପରେ। ଅଧିକ ରେଳଗାଡ଼ି ଚଳାଚଳ କରୁଥିବା ଅନ୍ୟାନ୍ୟ ରେଳପଥକୁ ତୃତୀୟ ପ୍ରାଥମିକତା ଦିଆଯାଉଛି। କବଚ ବ୍ୟବସ୍ଥା ପାଇଁ ରିସର୍ଚ୍ଚ ଡିଜାଇନ ଆଣ୍ଡ ଷ୍ଟାଣ୍ଡାର୍ଡସ ଅର୍ଗାନାଇଜେସନ ପକ୍ଷରୁ ତିନୋଟି ଫାର୍ମକୁ ଅନୁମୋଦନ ଦିଆଯାଇଛି। ସେଗୁଡ଼ିକ ହେଉଛି- ମେଧା ସର୍ଭୋ ଡ୍ରାଇଭ୍‌ସ, ଏଚ୍‌ବିଏଲ୍‌ ଓ କେର୍ନେକ୍ସ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ