ରାଜ୍ୟ

ଫୋନ ଇନ ପ୍ଲିଜ: ଦୁର୍ଘଟଣା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ତ୍ରୁଟି

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟି। ରେଳମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏକଥା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି। ତେଣୁ ଯେଉଁମାନଙ୍କ ପାଇଁ ଏତେବଡ଼ ଗୋଟାଏ ବିପର୍ଯ୍ୟୟ ଘଟିଗଲା, ସେମାନଙ୍କ ବିରୋଧରେ ନିହାତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି। ତେବେ ଭବିଷ୍ୟତରେ ଯେପରି କାହାର ଭୁଲ୍‌ ଯୋଗୁଁ ଏମିତି ବଡ଼ ଅଘଟଣ ନ ଘଟେ, ସେଥିପାଇଁ ସରକାର ଓ ପ୍ରଶାସନକୁ ଗଭୀର ଚିନ୍ତା କରିବାକୁ ପଡ଼ିବ। ଯଦି ‘କବଚ’ ଭଳି ବୈଷୟିକ ଜ୍ଞାନକୌଶଳକୁ ଆମେ ଉଦ୍ଭାବନ କରିପାରୁଛେ, ତାକୁ ଲଗାଇବାରେ ଅସୁବିଧା କେଉଁଠି। ସରକାର ଏ ଦିଗରେ ଯତ୍ନବାନ୍‌ ହୋଇ ଶୀଘ୍ର ପଦକ୍ଷେପ ନିଅନ୍ତୁ। ଚଳିତଥରର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ବାହାନଗା ରେଳ ଦୁର୍ଘଟଣା ଏକ ମାନବୀୟ ତ୍ରୁଟି’‌ରେ ଭାଗ ନେଇଥିବା ଭୁବନେଶ୍ବର ଗ୍ରାମାଞ୍ଚଳ (ପୁରୀ-ନୟାଗଡ଼-ଖୋର୍ଦ୍ଧା)ର ଅଧିକାଂଶ ପାଠକ ଏପରି ମତାମତ ଦେଇଛନ୍ତି।

ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ନିଶ୍ଚିତ ଭାବେ ମନୁଷ୍ୟକୃତ। ଏଥିରେ ରେଳ ପରିଚାଳନାରେ ନିୟୋଜିତ ରେଳ କର୍ମଚାରୀଙ୍କ ତ୍ରୁଟିବିଚ୍ୟୁତି ସ୍ପଷ୍ଟ ବାରି ହେଉଛି। ରେଳବାଇରେ ଯେଉଁ ଭଳି ବୈଷୟିକ ବିକାଶ ଓ ଯନ୍ତ୍ରପାତି ବ୍ୟବହୃତ ବୃଦ୍ଧି ପାଇଛି ସେଥିରେ ମଧ୍ୟ ଏଭଳି ଦୁର୍ଘଟଣା ଘଟିବା ଦୁର୍ଭାଗ୍ୟଜନକ।
-କାଳନ୍ଦୀ ଚରଣ ସାହୁ, ନୟାଗଡ଼

ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ ବୋଲି ମନେହେଉଛି। ଏହାକୁ ସେଠାକାର କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କତାରେ ଏଡ଼ାଇ ଦିଆଯାଇପାରନ୍ତା, କିନ୍ତୁ ସେଭଳି କୌଣସି ପଦକ୍ଷେପ ଦେଖିବାକୁ ମିଳିନାହିଁ।
-ଶିବ ସୁନ୍ଦର ମିଶ୍ର, ପୁରୀ

ବାହାନଗା ରେଳ ଦୁର୍ଘଟଣା ପଛରେ ପରିଚାଳନାଗତ ତ୍ରୁଟି ହିଁ ଦାୟୀ। ସିଗନାଲ୍, ଟ୍ରାକ୍ ପରିବର୍ତ୍ତନ ଆଦି ବ୍ୟବସ୍ଥାର ପରିଚାଳନା ସଠିକ କରାଯାଇପାରିଥାନ୍ତା, କିନ୍ତୁ ତାହା ହୋଇନାହିଁ।
-ବାଳକୃଷ୍ଣ ଷଡ଼ଙ୍ଗୀ, ନୟାଗଡ଼

ବାହାନଗାର ଭୟଙ୍କର ରେଳ ଦୁର୍ଘଟଣା ନିଶ୍ଚିତ ଭାବେ ମନୁଷ୍ୟକୃତ। କୁଆଡ଼େ ଗଲା ଦୁର୍ଘଟଣା ରକ୍ଷାକାରୀ କବଚ। ଏହି ମନୁଷ୍ୟକୃତ ରେଳ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଦାୟୀ।
-ରଣଜିତ ଦାଶ, ନୟାଗଡ଼

ଏହି ଦୁର୍ଘଟଣା ପାଇଁ ରେଳ ବିଭାଗର କେତେକ କର୍ମଚାରୀଙ୍କ ଖାମଖିଆଲ ମନୋଭାବ, ଅବହେଳା ଓ ଅସାବଧାନତା ନିଶ୍ଚିତ କାରଣ। ଏହା କଦାପି ଯାନ୍ତ୍ରିକ ତ୍ରୁଟି ବୋଲି କୁହାଯାଇପାରିବ ନାହିଁ। ଟ୍ରାକ୍ ଖାଲି କରି ଅନ୍ୟ ଏକ ଟ୍ରେନ୍‌କୁ ସିଗନାଲ୍ ଦେବା କଥା, କିନ୍ତୁ ଯେଉଁଭଳି ଦୁର୍ଘଟଣା ଘଟିଲା ଏଥିପାଇଁ ଷ୍ଟେସନ ମାଷ୍ଟର ଓ ଲାଇନମ୍ୟାନଙ୍କ ତ୍ରୁଟି ରହିଛି।
-ଅଶୋକ କୁମାର ଆଡ଼୍ୟ, ପୁରୀ

ଏହି ଦୁର୍ଘଟଣା ମନୁଷ୍ୟକୃତ କିମ୍ବା ଯାନ୍ତ୍ରିକ ତ୍ରୁଟିରୁ ହୋଇଛି କିମ୍ବା ଏହାପଛରେ ତୃତୀୟ ଅସାମାଜିକ ଶକ୍ତିର ସମ୍ପୃକ୍ତି ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ। ବର୍ତ୍ତମାନ ଏଥିପ୍ରତି ଦୃଷ୍ଟି ନଦେଇ ମୃତକଙ୍କ ପରିବାରକୁ ସେମାନଙ୍କ ମୃତଦେହ ଫେରାଇବା, କ୍ଷତିପୂରଣ ପ୍ରଦାନ, ଆହତଙ୍କ ଉପଯୁକ୍ତ ଚିକିତ୍ସା ଆଦି ଉପରେ ଗୁରୁତ୍ବ ଦେବା କଥା।
ରାଜୀବ ଲୋଚନ ଷଡ଼ଙ୍ଗୀ, ନୟାଗଡ଼

ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳବାଇ ସର୍ବାଧିକ ଗୁରୁତ୍ବ ଦେଇଥାଏ। ଏହି ଦୁର୍ଘଟଣା ପଛର କାରଣ କ’ଣ ତାହା ଜାଣିବା ପାଇଁ କମିଟି ଗଠିତ ହୋଇଛି। ରିପୋର୍ଟ ଆସିଲେ ତାହା ସ୍ପଷ୍ଟ ହେବ। କିନ୍ତୁ ଆଟିର୍ଫିସିଆଲ୍ ଇଣ୍ଟେଲିଜେନ୍ସ, ସାଟେଲାଇଟ୍, ସ୍ବୟଂକ୍ରିୟ ବୈଷୟିକ ଯନ୍ତ୍ରର ବହୁଳ ବ୍ୟବହାର ସତ୍ତ୍ବେ ଏଭଳି ଦୁର୍ଘଟଣା ଦୁର୍ଭାଗ୍ୟଜନକ।
-ଛାୟାକାନ୍ତ ନାୟକ, ପୁରୀ

ଏହି ଦୁର୍ଘଟଣା ମନୁଷ୍ୟକୃତ ହୋଇପାରେ ବୋଲି ମୋର ଧାରଣା ହେଉଛି। ରେଳ କେଉଁ ସମୟରେ ଯାତାୟାତ କରିବ, କେଉଁ ରେଳ ଆସୁଛି ଓ ଷ୍ଟେସନରେ ରହୁଛି ସେସବୁର ତଥ୍ୟ ଷ୍ଟେସନମାଷ୍ଟର, ଲାଇନମ୍ୟାନ୍, ସିଗନାଲ୍ ମ୍ୟାନ୍, ଲୋକୋ ପାଇଲଟ ଆଦି ଜାଣିଥାନ୍ତି। ଏହି ସବୁ ସତ୍ବେ କେହି ଦୁର୍ଘଟଣା ଏଡ଼ାଇବାକୁ ପ୍ରଚେଷ୍ଟା କରିଥିବା କଥା ଏଯାଏଁ ଆସିନାହିଁ। ଏହା ଦୁର୍ଭାଗ୍ୟଜନକ।
-ବଦ୍ରିନାଥ ଦାଶ, ଖୋର୍ଦ୍ଧା

ବାହାନଗା ରେଳ ଦୁର୍ଘଟଣା ହୃଦୟବିଦାରକ ଘଟଣା। ଏହା ଶତପ୍ରତିଶତ ମନୁଷ୍ୟକୃତ। ଦୋଷୀକୁ ଯେତେ କଠୋର ଦଣ୍ତଦେଲେ ମଧ୍ୟ ତାହା ଅପୂରଣୀୟ। ବିଜ୍ଞାନ, ବୈଷୟିକ ବିକାଶ ନାମରେ ନିଜର ଦାୟିତ୍ବ ଉପରୁ ଦୋଷ ଖସାଇଦିଆଯାଇନପାରେ। ଏଣୁ ଆଗାମୀ ଦିନରେ ଏହି ସବୁ ଯାନ୍ତ୍ରିକ କୌଶଳ ବ୍ୟବହାର ଉପରେ ଚିନ୍ତା କରିବା ଆବଶ୍ୟକତା ରହିଛି।
-ହରିବନ୍ଧୁ ସାହୁ, ଖୋର୍ଦ୍ଧା

ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ। ଏହା ନହେଲେ ଷ୍ଟେସନମାଷ୍ଟର କାହିଁକି ଫେରାର୍ ହୋଇଥା’ନ୍ତା। ସିଗନାଲ୍ କାହିଁକି ଭୁଲରେ ଦିଆଯାଇଥାନ୍ତା। ଟ୍ରେନ୍ ଆସିବାର ବହୁପୂର୍ବରୁ ଷ୍ଟେସନ୍‌ମାଷ୍ଟରଙ୍କ ନିକଟକୁ ସୂଚନା ଆସିଥାଏ, ଏହି ଅନୁସାରେ ସେ କାହିଁକି ପଦକ୍ଷେପ ନେଲେ ନାହିଁ, ଏହି ସବୁ ବିଚାର କରିବା କଥା।
-ପ୍ରସନ୍ନ ପାଇକରାୟ, ଖୋର୍ଦ୍ଧା

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।