ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁରରେ ୯ଟି ଶାନ୍ତି ବୈଠକ କଲେ ଶାହ: ୪ ହଜାରରୁ ଅଧିକ ବନ୍ଧୁକ ଲୁଟ୍‌ ହୋଇଛି

ନୂଆଦିଲ୍ଲୀ ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ବିଭିନ୍ନ ଅଞ୍ଚଳରେ ଲୁଟ୍‌ ଏବଂ ପୋଡ଼ାଜଳା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ରାଜ୍ୟର ବିଭିନ୍ନ ଥାନା, ଅସ୍ତ୍ରାଗାର ଓ ସୁରକ୍ଷା ବାହିନୀ ଶିବିରରୁ ପ୍ରାୟ ୪ ହଜାର ବନ୍ଧୁକ ଚୋରି ହୋଇଯାଇଛି। ଲୁଟ୍‌ ହୋଇଥିବା ଅସ୍ତ୍ରରେ ଏକେ ସିରିଜ୍‌ ବନ୍ଧୁକ, ଏମ୧୬ ରାଇଫଲ୍‌, କାର୍ବାଇନ୍‌ସ ଏବଂ ପିସ୍ତଲ ରହିଛି। ଏହି ଅସ୍ତ୍ରଗୁଡ଼ିକୁ ମିଆଁମାରର କିଛି ଆତଙ୍କବାଦୀ ଗୋଷ୍ଠୀଙ୍କୁ ଯୋଗାଣ କରାଯାଇଛି ବୋଲି ଅନୁମାନ କରାଯାଉଛି। କିଛି ଅସ୍ତ୍ର ମିଆଁମାର ଆତଙ୍କବାଦୀ ଗୋଷ୍ଠୀ ନିକଟରେ ପହଞ୍ଚି ସାରିଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶାନ୍ତି ଫେରାଇ ଆଣିବାକୁ ‘ମିସନ୍‌ ମଣିପୁର’ ଜାରି ରଖିଛନ୍ତି। ଶାନ୍ତି ଫେରାଇ ଆଣିବାପାଇଁ ଶାହ ତୁହାକୁ ତୁହା ଶାନ୍ତି ବୈଠକ କରୁଛନ୍ତି। ମୈତେଇ ଏବଂ କୁକି ଆଦିବାସୀ ବହୁଳ ଇମ୍ଫାଲ ଓ ଚୁରାଚାନ୍ଦପୁରରେ ଶାହ ମୋଟ ୯ଟି ଶାନ୍ତି ବୈଠକ କରିଛନ୍ତି। ଶାହ ଆଜି ମଣିପୁରରେ ସୀମାନ୍ତ ସହର ମୋରେ ଗସ୍ତ କରିଛନ୍ତି। ମୋରେ ସହରରେ ଶାହ କୁକି ପ୍ରତିନିଧିଙ୍କୁ ଭେଟିଛନ୍ତି ଏବଂ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହ ମୋରେରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଶାହ ଏନେଇ ଏକ ଟ୍ବିଟ୍‌ କରି ଶାନ୍ତି ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବା କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଏବେ ଗୃହ ସଚିବ ଅଜୟ କୁମାର ଭଲ୍ଲା ଏବଂ ଆଇବି (ଇଣ୍ଟେଲିଜେନ୍ସ ବ୍ୟୁରୋ) ନିର୍ଦ୍ଦେଶକ ତପନ କୁମାର ଡେକା ମଣିପୁର ଗସ୍ତରେ ଯାଇଛନ୍ତି। ଗତକାଲି ସନ୍ଧ୍ୟାରେ ଶାହ ମଣିପୁର କ୍ୟାବିନେଟ୍‌ ସଦସ୍ୟଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ରାଜ୍ୟରେ ତୁରନ୍ତ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାପାଇଁ ତତ୍କାଳ ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜ୍ୟରେ ରାସ୍ତା ଅବରୋଧ କରି ସୁରକ୍ଷାକର୍ମୀଙ୍କ କାମ ଏବଂ ରିଲିଫ୍‌ ଯୋଗାଣ‌ରେ ବାଧା ସୃଷ୍ଟି ନକରିବାପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଆଜି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମଣିପୁରରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଲାଗି ରହିଛି। ଆଇଟିଏଲଏଫ୍‌ (ଇଣ୍ଡିଜିନିୟସ ଟ୍ରାଇବାଲ୍‌ ଲିଡର୍ସ ଫୋରମ୍‌) ସଚିବ ମୁଆନ ଟମ୍ବିଂ କହିଛନ୍ତି, ସେମାନେ ମଣିପରରୁ ସମ୍ପୂର୍ଣ୍ଣ ଅଲଗା ହୋଇଯିବା ପାଇଁ ଚାହାନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ସେମାନେ ରାଷ୍ଟ୍ରପତି ଶାସନ ଦାବି କରିଛନ୍ତି। ତେବେ ଶାନ୍ତି ବଜାୟ ରଖିବାପାଇଁ ଶାହ କୁକି ସମ୍ପ୍ରଦାୟକୁ ଅନୁରୋଧ କରିବା ସହ ମଣିପୁର ହିଂସା ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ