ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ: ସଚେତନତାର ପ୍ରଭାବ ବହୁତ କମ୍‌

ଭୁବନେଶ୍ୱର: ମେ’ ୩୧ ତାରିଖରେ ବିଶ୍ବ ପାଳୁଛି ତମାଖୁ ବର୍ଜନ ଦିବସ। ସ୍ବାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ବାବଦରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ତେବେ ଏହାର ପ୍ରଭାବ ବହୁତ କମ୍‌ ପଡ଼ୁଛି ବୋଲି ଆକଳନରୁ ଜଣାପଡ଼େ। ସରକାରୀ ଆଇନ ଓ କଟକଣା ପାଇଁ ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ ଟାଣିବା ପ୍ରାୟତଃ କମିଯାଇଥିଲେ ବି ଗୁଟ୍‌ଖା ଖିଆ ଖୋଲାଖୋଲି ଚାଲିଛି। ସ୍କୁଲ୍‌, କଲେଜ ଭଳି ଶିକ୍ଷାନୁଷ୍ଠାନ ନିକଟରେ ଗୁଟ୍‌ଖା ବିକ୍ରି ନିଷିଦ୍ଧ କରାଯାଇଛି ସତ, କିନ୍ତୁ ଲୁଚାଚୋରାରେ ସବୁ ଚାଲିଛି। ସମ୍ପ୍ରତି ଯୁବପିଢ଼ି ଗୁଟ୍‌ଖା କବଳରେ କବଳିତ।

କଟକଣା ତା’ ବାଟରେ ରହିଛି, ବିକ୍ରି ବଢ଼ି ଚାଲିଛି। କଟକଣାକୁ ବାଟବଣା କରିବାକୁ ମସଲା ଓ ଗୁଟ୍‌ଖା ପତି ଅଲଗା ଅଲଗା ପୁଡ଼ିଆରେ ବିକ୍ରି କରାଯାଉଛି। ତେଣୁ ଗୁଟ୍‌ଖା ପ୍ରଭାବରେ କ୍ୟାନ୍‌ସର ପୀଡ଼ିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୨୨ ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ବିଶ୍ୱରେ ପ୍ରାୟ ୮ ନିୟୁତ ଲୋକ ତମାଖୁ ସେବନ ଯୋଗୁ ମୃତ୍ୟୁ ବରଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧.୨ ନିୟୁତ ଲୋକ ତମାଖୁ ସେବନ ନକରି ସୁଦ୍ଧା ପ୍ରାଣ ହରାଉଛନ୍ତି। ସେମାନଙ୍କର ଅକାଳ ମୃତ୍ୟୁ ପାଇଁ ଦାୟୀ ଅନ୍ୟର ଧୂମପାନ। ଏହାକୁ ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍‌ ପ୍ରଭାବ ବୋଲି କୁହାଯାଏ। ତେଣୁ ପରିବାରର ଜଣେ ଲୋକ ଧୂମପାନ କରୁଥିଲେ, ସେ ନିଜର ସ୍ୱାସ୍ଥ୍ୟ ସହ ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରୁଛନ୍ତି ବୋଲି ବୁଝିବାକୁ ହେବ।

୨୦୦୯-୧୦ ମସିହାରେ ହୋଇଥିବା ବିଶ୍ବ ବୟସ୍କ ତମାଖୁ ‌ସର୍ଭେ(ଜିଏଟିଏସ୍‌) ଅନୁସାରେ ଓଡ଼ିଶାରେ ୪୬.୨ ପ୍ରତିଶତ ଲୋକ ତମାଖୁ ସେବନ କରୁଥିଲେ। ୨୦୧୬-୧୭ ସର୍ଭେ ଅନୁସାରେ ଏହା ସାମାନ୍ୟ ହ୍ରାସ ପାଇ ୪୫.୬‌ ପ୍ରତିଶତ ହୋଇଥିଲା। ସେହିଭଳି ବିଶ୍ବ ଯୁବ ତମାଖୁ ସର୍ଭେ(ଜିୱାଇଟିଏସ୍‌) ୨୦୦୯-୧୦ ଅନୁସାରେ ଓଡ଼ିଶାରେ ୩୪.୬ ଶତକଡ଼ା ଯୁବକ ତମାଖୁ ସେବନ କରୁଥିଲେ। ୨୦୧୬-୧୭ ସର୍ଭେ ଅନୁସାରେ ଏହା ୨୮.୬ ଶତକଡ଼ାକୁ କମିଥିଲା। ତେଣୁ ଏହାକୁ ସଚେତନତା ବୃଦ୍ଧିର ପ୍ରଭାବ କୁହାଯାଇପାରେ। କିନ୍ତୁ ଏହା ଯଥେଷ୍ଟ ନୁହେଁ। ପୁଣି ବଡ଼ କଥା ହେଉଛି, ଏକ ଆକଳନ ଅନୁସାରେ ଏବେ ତମାଖୁ କବଳରେ ପଡ଼ିଥିବା ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପରିମାଣ ୨୨.୧ ପ୍ରତିଶତ ରହିଛି। ତେବେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫ୍‌ଏଚ୍‌ଏସ୍‌-୫ ଅନୁସାରେ ରାଜ୍ୟରେ ତମାଖୁ ସେବନ କରୁଥିବା ଲୋକଙ୍କ ହାର ୫୧.୬ ପ୍ରତିଶତ ଥିବା ବେଳେ ସେଥିରେ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରୁଥିବା କୁହାଯାଇଛି। ତେଣୁ ଲୋକେ ସଚେତନ ହେଲେଣି ବୋଲି କୁହାଯିବା ଯୁକ୍ତଯୁକ୍ତ ନୁହେଁ ବୋଲି ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି।

କୋଟପା ଆଇନ ଅନୁସାରେ କୌଣସି ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିଧି ଭିତରେ ଗୁଟ୍‌ଖା, ସିଗାରେଟ୍ ବିକ୍ରି ହୋଇପାରିବ ନାହିଁ। କିନ୍ତୁ କିଛି ସହରରେ ଏହି କଟକଣାକୁ ଲାଗୁ କରାଯାଉଥିବା ବେଳେ ଗ୍ରାମାଞ୍ଚଳରେ ଏଥିପ୍ରତି କାହାର ନଜର ନାହିଁ। ଏମିତିକି ସହରର ବହୁ ସ୍ଥାନରେ ବି ବେଶ୍ ଚତୁରତାର ସହ ଏହା ବିକ୍ରି ହେଉଛି। ସ୍ବେଚ୍ଛାସେବୀ ସଂଗଠନ ‘ସଲାମ୍‌ ଜୀବନ’ର ସହ ସଂସ୍ଥାପକ ଇମ୍ରାନ୍‌ ଅଲ୍ଲୀଙ୍କ କହିବା କଥା ସଚେତନତା କାର୍ଯ୍ୟକ୍ରମଠାରୁ ସରକାରୀ କଟକଣା ବେଶି ଫଳପ୍ରଦ। ବର୍ତ୍ତମାନ ଗୁଟ୍‌ଖା ଦୁଇଟି ପ୍ୟାକେଟ୍‌ରେ ବିଭକ୍ତ କରି ବିକାଯାଉଛି। ଗୋଟିଏ ସାଧା ପୁଡ଼ିଆ ଓ ଅନ୍ୟଟିରେ ତମାଖୁ ରହୁଛି। ଚଢ଼ଉରୁ ବର୍ତ୍ତିବା ପାଇଁ ଏହା ବେଶ୍ ସୁଚିନ୍ତିତ ବାଟ। ଏବେ ବି ବିଭିନ୍ନ ଶିକ୍ଷାନୁଷ୍ଠାନ ପାଖରେ ଥିବା ଅଧିକାଂଶ ଓମ୍‌ଫେଡ୍‌, ସ୍ନାକ୍ସ ଆଦି ଦୋକାନରେ ତମାଖୁ ବିକ୍ରି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।