ରାଜ୍ୟ ସ୍ପେଶାଲ ରିପୋର୍ଟ

ଅସ୍ଥିର ନେତୃତ୍ବ ସଜାଡ଼ି ପାରୁନି ଟ୍ରାଫିକ୍‌ ବ୍ୟବସ୍ଥା

ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍‌ ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ବ୍ୟାପକ ପରିବର୍ତ୍ତନ କରାଯାଉଛି। ଟ୍ରାଫିକ୍‌ ପୋଷ୍ଟଠାରୁ ଆରମ୍ଭ କରି ସିଗ୍‌ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିର ନବୀକରଣ କରାଯାଉଛି। ଅମାନିଆଙ୍କୁ ସାବାଡ୍‌ କରିବାକୁ ଜରିମାନା ଆଦାୟ କରାଯାଉଛି। ମାତ୍ର ରାଜଧାନୀର ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଦିନକୁ ଦିନ ବିଗିଡ଼ିବେରେ ଲାଗିଛି। ଅସ୍ଥିର ନେତୃତ୍ବ ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି। ରାଜ୍ୟ ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିଲେ ବି କୌଣସି ଅଧିକାରୀ(ଟ୍ରାଫିକ୍‌ ଡିସିପି) ଏହି ପଦବିରେ ବର୍ଷଟିଏ ତିଷ୍ଠିବା ନଜିର ନାହିଁ। ୫ ବର୍ଷରେ ୧୦ ଅଧିକାରୀ ବଦଳିଲେଣି। ପରିତାପର କଥା ଯେ କୌଣସି ଅଧିକାରୀ ଏହି ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣୁଥିବା ବେଳେ ହଠାତ୍‌ ତାଙ୍କର ରାତିଅଧିଆ ବଦଳି ହୋଇଯାଉଛି। ସେହିଭଳି ଚାକିରି କାଳ ସରିଆସୁଥିବା ଅଧିକାରୀଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ଥଇଥାନ କରାଯାଉଛି।

୨୦୧୮ ଜୁଲାଇରେ ଏସ୍‌ କେ ମହାପାତ୍ର ଟ୍ରାଫିକ୍‌ ଡିସିପି ଭାବେ ନିଯୁକ୍ତ ପାଇଥିଲେ। ମାତ୍ର ମାସକ ପରେ ତାଙ୍କ ବଦଳି ହୋଇଗଲା। ତାଙ୍କ ବଦଳିର ତିନି ମାସ ପର୍ଯ୍ୟନ୍ତ ଏହି ପଦବି ଖାଲି ରହିଲା। ବିନା ମୁରବିରେ ପରିଚାଳିତ ହେଲା ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା। ଏହାପରେ ୨୦୧୮ ନଭେମ୍ବରରେ ବି କେ ସାହୁ ନିଯୁକ୍ତ ପାଇଲେ। ୯ ମାସରେ ତାଙ୍କର ବଦଳି ହୋଇଗଲା ଏବଂ ୨୦୧୯ ଅଗଷ୍ଟରେ ଏ କେ ପଣ୍ଡାଙ୍କୁ ନିଯୁକ୍ତ ଦିଆଗଲା। ମାତ୍ର ୧୯ଦିନ ପରେ ହଠାତ୍‌ ତାଙ୍କ ଦାୟିତ୍ବ ପରିବର୍ତ୍ତନ କରାଗଲା। ସେହି ମାସରେ ଟ୍ରାଫିକ୍‌ ଡିସିପି ଭାବେ ପ୍ରଥମ ଥର ପାଇଁ ଜଣେ ଆଇପିଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ଦିଆଗଲା। ଆଇପିଏସ୍‌ ସାଗରିକା ନାଥ ଏହି ଗୁରୁଦାୟିତ୍ବ ବହନ କଲେ। ଆଶା କରାଯାଉଥିଲା ଏହି ଅସଜଡ଼ା ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେବ। ହେଲା ମଧ୍ୟ।

କିନ୍ତୁ ମାତ୍ର ୧୧ ମାସ ପରେ ତାଙ୍କର ବଦଳି ହୋଇଥିଲା। ୨୦୨୦ ଅଗଷ୍ଟରେ ତାଙ୍କ ସ୍ଥାନ‌ରେ ଆଇପିଏସ୍‌ ସୌମ୍ୟା ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ୬ ମାସ ପରେ କ୍ୟାଡର୍‌ ପରିବର୍ତ୍ତନ କରି ସେ ପଞ୍ଜାବ ଚାଲିଗଲେ। ତାଙ୍କ ସ୍ଥାନରେ ୨୦୨୧ ଫେବ୍ରୁଆରିରେ କେ କେ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଗଲା। ୮ ମାସ ଟ୍ରାଫିକ୍‌ ଦାୟିତ୍ବରେ ରହିବା ପରେ ତାଙ୍କୁ ମଧ୍ୟ ବଦଳି କରିଦିଆଗଲା। ୨୦୨୧ ଅକ୍ଟୋବରରେ ମାୟାଧର ସେଠୀଙ୍କୁ ନିଯୁକ୍ତ କରାଗଲା। ମାତ୍ର ୩ ମାସ ପରେ ସେ ଚାକିରିରୁ ଅବସର ନେଇଥିଲେ। ୨୦୨୨ ଜାନୁଆରିରେ ପୁଣି ଜଣେ ଆଇପିଏସ୍‌ ଏସ୍‌ ସୁଶ୍ରୀଙ୍କୁ ଏହି ଗୁରୁଦାୟିତ୍ବ ଦିଆଗଲା। ମାତ୍ର ୪ ମାସ ମଧ୍ୟରେ ତାଙ୍କୁ ଜିଲ୍ଲା ଏସ୍‌ପି ଭାବେ ବଦଳି କରିଦିଆଗଲା। ତାଙ୍କ ବଦଳି ପରେ ୨୦୨୨ ମେ’ରେ ଟି ପି ପାତ୍ରଙ୍କୁ ଏହି ପଦବିରେ ନିଯୁକ୍ତି ମିଳିଲା। ୧୦ ମାସ ପରେ ସେ ଅବସର ‌ନେଲେ। ଏବେ ଏସ୍‌ ସି ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଆଉ ମାତ୍ର ୩ ମାସ ପରେ ସେ ବି ଅବସର ନେବେ।

ଠିକ ଅବସର ପୂର୍ବରୁ ଥଇଥାନ!

ଦେଖାଯାଉଛି ଯେ ଅଧିକାଂଶ ଅଧିକାରୀଙ୍କ କ୍ଷେତ୍ରରେ ଠିକ୍‌ ଅବସର ସମୟ ପୂର୍ବରୁ ଏଠାରେ ନିଯୁକ୍ତି ମିଳୁଛି। ଚାକିରି କାଳର ଶେଷ ସମୟରେ ସେମାନଙ୍କୁ ଏଠାରେ ଥଇଥାନ କରାଯାଉଛି। ଅବସର ସମୟ ଅଳ୍ପ କିଛି ଦିନ ବାକି ଥିବାରୁ ସେମାନେ ମଧ୍ୟ ଏହି କାମକୁ ବେଶି ଗୁରୁତ୍ବ ଦେଉନାହାନ୍ତି। ସବୁବେଳେ ସ୍ଥିର ନେତୃତ୍ବ ଯେ କୌଣସି ବ୍ୟବସ୍ଥାକୁ ସଫଳ କରିଥାଏ। ମାତ୍ର ରାଜଧାନୀରେ ଦେଖାଯାଉଛି ବ୍ୟତିକ୍ରମ। ଏଠାରେ ଅସ୍ଥିର ନେତୃତ୍ବ ଅଧୀନରେ ରହୁଛି ଟ୍ରାଫିକ୍‌ ପରିଚାଳନା ଭାର। ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥାକୁ କାହିଁକି ଅଣଦେଖା କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି‌ ‌ହୋଇଛି।

ନୂଆ ରୂପ ଦେଇଥିଲେ ଆଇପିଏସ୍‌

ରାଜଧାନୀର ଟ୍ରାଫିକ୍‌ ଇତିହାସରୁ ଦେଖାଯାଏ ଯେ ୩ ମହିଳା ଆଇପିଏସ୍‌ଙ୍କ କାର୍ଯ୍ୟକାଳରେ ଅନେକ ସୁଧାର ଆସିଥିଲା। ୨୦୧୯ରେ ଆଇପିଏସ୍‌ ସାଗରିକା ନାଥ ଟ୍ରାଫିକ୍‌ ଡିସିପି ଭାବେ ଦାୟିତ୍ବ ନେବା ପରେ ଲେନ୍‌ ଡ୍ରାଇଭ୍‌ଠାରୁ ଆରମ୍ଭ କରି ହେଲମେଟ୍‌ ପିନ୍ଧିବା ଓ ସିଟ୍‌ବେଲ୍ଡ ବାନ୍ଧିବା ଭଳି ନିୟମ କଡ଼ାକଡ଼ି କରାଯାଇଥିଲା। ଟ୍ରାଫିକ୍‌ ଛକରେ ଜେବ୍ରା କ୍ରସିଂ ନିୟମ ବି କଡ଼ାକଡ଼ି ହୋଇଥିଲା। ୨୦୨୦ ‌ସେପ୍ଟେମ୍ବରରେ ଟ୍ରାଫିକ୍‌ ଡିସିପି ଭାବେ ଯୋଗ ଦେଇଥିବା ଆଇପିଏସ୍‌ ସୌମ୍ୟା ମିଶ୍ର ମଧ୍ୟ ତାଙ୍କ କାର୍ଯ୍ୟକାଳରେ ରାସ୍ତାକଡ଼ରୁ ବେଆଇନ୍‌ ପାର୍କିଂ ହଟାଇବା ଭଳି ପଦକ୍ଷେପ ନେଇଥିଲେ। ୨୦୨୨ ‌ଜାନୁଆରିରେ ଆଇପିଏସ୍‌ ଏସ୍‌ ସୁଶ୍ରୀ ଟ୍ରାଫିକ୍‌ ଡିସିପି ଭାବେ ଯୋଗଦେବା ପରେ ଆମ୍ବୁଲାନ୍‌ସକୁ ରାସ୍ତା ଛାଡ଼ିବାକୁ ପଦକ୍ଷେପ ନେଇଥିଲେ। ଟ୍ରାଫିକ୍‌ ଛକର ବାମ ପାର୍ଶ୍ବକୁ ଆମ୍ବୁଲାନ୍‌ସ ପାଇଁ ଫାଙ୍କା ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।