ରାଜ୍ୟ ସ୍ପେଶାଲ ରିପୋର୍ଟ

ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ତା’ପୂର୍ବରୁ ରାଜ୍ୟର ୬୭ଟି ଯୁକ୍ତ୨ କଲେଜରେ ନାମଲେଖା‌ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଲଗାତାର ଦୁଇ ବର୍ଷ ଧରି ଜଣେ ବି ଛାତ୍ରଛାତ୍ରୀ କଲେଜଗୁଡ଼ିକରେ ନାମ ଲେଖାଇ ନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କଟକଣା ଲାଗିଥିବା କଲେଜଗୁଡ଼ିକ ମଧ୍ୟରୁ ୫୦ଟି ସେଲ୍ଫ ଫାଇନାନ୍ସିଂ ରହିଛି। ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ ଅଧୀନରେ ଥିବା ୧୪ଟି କଲେଜରେ ନାମଲେଖା ଲାଗି ଏବର୍ଷ ଅନୁମତି ଦିଆଯାଇ ନାହିଁ। ଏଥିସହ ଅଣଅନୁଦାନପ୍ରାପ୍ତ ୩ କଲେଜ ଉପରେ ମଧ୍ୟ କଟକଣା ଲାଗିଛି।

ସୂଚନା ଅନୁଯାୟୀ ସେଲ୍ଫ ଫାଇନାନ୍ସ କଲେଜଗୁଡ଼ିକ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ ୧୨ଟି ରହିଛି। ଏହାବ୍ୟତୀତ ସୁନ୍ଦରଗଡ଼ରେ ୮, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୬ଟି ଲେଖାଏ, ଗଞ୍ଜାମରେ ୫ଟି, ପୁରୀ ଓ ମୟୂରଭଞ୍ଜରେ ୪ଟି ଲେଖାଏ, ଭଦ୍ରକ ଓ ଯାଜପୁରରେ ୩ଟି ଲେଖାଏ, କନ୍ଧମାଳ, ବାଲେଶ୍ବର ଓ ରାୟଗଡ଼ାରେ ୨ଟି ଲେଖାଏ ଏବଂ ବରଗଡ଼, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, ଗଜପତି, କଳାହାଣ୍ତି, ବଲାଙ୍ଗୀର, ଅନୁଗୁଳ ଜିଲ୍ଲାର ଗୋଟିଏ ଲେଖାଏ କଲେଜ ରହିଛି। ଅନ୍ୟ ବିଭାଗ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୩ଟି ଏକଲବ୍ୟ ମଡେଲ୍‌ ସ୍କୁଲ ଏବଂ ସୁନ୍ଦରଗଡ଼ ଜିଲ୍ଲା ବିର୍ସା ବ୍ଲକ ବୋଣ୍ଡମୁଣ୍ଡାଠାରେ ଥିବା ଏସ୍‌.ଇ. ରେଲୱେ ମାକ୍ସଡ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଅଣଅନୁଦାନପ୍ରାପ୍ତ ୩ଟି ଯାକ କଲେଜ ସଂସ୍କୃତ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏହା କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଛି। ଜିଲ୍ଲାର ମହାକାଳପଡ଼ାରେ ଥିବା ଗ୍ରାମେଶ୍ବର ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ମଦନମୋହନଜୀଉ ସଂସ୍କୃତ ବିଦ୍ୟାପୀଠ ଓ ଗରଦପୁର ବ୍ଲକରେ ଥିବା କ୍ଷେତ୍ରବାସୀ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ମଧ୍ୟରୁ ଅଧିକାଂଶରେ ଏବେ ସୁଦ୍ଧା ତାଲା ପଡ଼ିଯାଇଛି। ଆଉ ଯାହା କିଛି ରହିଛି ସେଠାରେ ପିଲା ହେଉ ନ ଥିବାରୁ ଚଳିତ ଶିକ୍ଷାବର୍ଷରେ ତାଲା ପଡ଼ିବାକୁ ଯାଉଥିବା ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଥର ଯୁକ୍ତ୨ କଲେଜ ଓ ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ଏଥର ୨୧୦୮ କଲେଜର ୫ଲକ୍ଷ ୧୬ହଜାର ୪୨୬ଟି ସିଟ୍‌ରେ ନାମଲେଖା ହେବ। ସେଥିମଧ୍ୟରୁ କଳାରେ ୨ଲକ୍ଷ ୮୯ହଜାର ୬୯୮ ସିଟ୍‌ ଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୫୯ହଜାର ୨୨୦, ବାଣିଜ୍ୟରେ ୪୪ହଜାର ୩୮୮, ସଂସ୍କୃତ ପାଠ୍ୟକ୍ରମର ୧୩ ହଜାର ୧୦୮ ଓ ଧନ୍ଦାମୂଳକ ପାଠ୍ୟକ୍ରମର ୧୦ହଜାର ୧୨ ସିଟ୍‌ରେ ନାମଲେଖା କରିବାକୁ ନିଷ୍ପତ୍ତି ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୨ହଜାର ୬୪୧ ସିଟ୍‌ରେ ନାମଲେଖା କରାଯିବ। ଏହାତଳକୁ ଖୋର୍ଦ୍ଧା ଜିଲ୍ଲାର ୪୦ହଜାର ୩୯୬, କଟକର ୩୭ହଜାର ୧୦, ବାଲେଶ୍ବରର ୩୪ହଜାର ୮୨୦, ମୟୂରଭଞ୍ଜ ଜିଲ୍ଲାର ୩୦ ହଜାର ୮୮ ସିଟ୍‌ରେ ନାମଲେଖା କରାଯିବ। ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୩,୪୦୮, ବୌଦ୍ଧରେ ୪,୫୩୨, ଝାରସୁଗୁଡ଼ାରେ ୪,୮୧୨, ମାଲକାନଗିରିରେ ୬,୧୦୪, ନୂଆପଡ଼ାରେ ୭୩୮୮ ସିଟ୍‌ରେ ନାମଲେଖା କରାଯିବ। ମାଲକାନଗିରିର କୌଣସି କଲେଜରେ ଧନ୍ଦାମୂଳକ କିମ୍ବା ସଂସ୍କୃତ ପାଠ୍ୟକ୍ରମ ନ ଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ୨,୦୬୭ କଲେଜର ୫ ଲକ୍ଷ ୯ହଜାର ୩୫୮ ସିଟ୍‌ରେ ନାମଲେଖା ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।