ରାଜ୍ୟ ସ୍ପେଶାଲ ରିପୋର୍ଟ

ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର

ଜଳେଶ୍ୱର : ନିଶାର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ କରୋନା ଯୋଗୁଁ ବ୍ରାଉନ୍‌ସୁଗାର କାରବାର ଧିମେଇ ଯାଇଥିଲା। ହେଲେ ଏବେ ନିଶା ବେପାର ପୂର୍ବ ପରି କାୟାବିସ୍ତାର କରିଛି। ନିଶା କାରବାର ପାଇଁ ନୂଆ ତରିକା ମଧ୍ୟ ଆପଣେଇଛନ୍ତି ମାଫିଆ। ସେମାନେ ନେପଥ୍ୟରେ ରହି କାରବାରକୁ ନିୟନ୍ତ୍ରଣ କରୁଥିବା ବେଳେ ମହିଳା ଓ ଯୁବତୀଙ୍କୁ ଏହି ବ୍ୟବସାୟରେ ଲଗାଉଥିବା ଜଣାପଡ଼ିଛି।

ଜଳେଶ୍ୱରର ରାଜପୁର ବସ୍ତି, ଝାଡ଼େଶ୍ବରପୁର, ସେକବାଡ଼, ଶାସନବାଡ଼, ପଞ୍ଚୁଘଣ୍ଟା, ପଥରପୁରା ଆଦି ଅଞ୍ଚଳରେ ବ୍ରାଉନ୍‌ସୁଗାର ବେପାର ଆରମ୍ଭ ହୋଇଥିଲା। ବାଂଲାଦେଶରୁ ଭାୟା ପଶ୍ଚିମବଙ୍ଗ ଦେଇ ଜଳେଶ୍ୱରକୁ ବ୍ରାଉନ୍‌ସୁଗାର ଆସେ। ଏଠାରୁ ସାରା ରାଜ୍ୟକୁ ଚାଲାଣ ହୁଏ। ପୂର୍ବରୁ ଜଳେଶ୍ୱରର କିଛି ଲୋକ ଏହ‌ି ବେପାର କରୁଥିଲେ। ପରେ ଜଳେଶ୍ୱର ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଗଲା। ଆଗ ଅପେକ୍ଷା ଅଧିକ ପରିମାଣରେ ବ୍ରାଉନ୍‌ସୁଗାର ଆସିଲା ଏବଂ ରାଜ୍ୟର ନୂଆ ନୂଆ ଜାଗାକୁ ଚାଲାଣ ହେଲା। ବ୍ୟବସାୟକୁ ରୋକିବା ପାଇଁ ପୁଲିସ, ଅବକାରୀ ବିଭାଗ ଓ ସ୍ବତନ୍ତ୍ର ସ୍କ୍ୱାଡ୍‌ ଝାଳ ବୁହାଉଥିଲେ ବି ବେପାର ଥମିବାର ନାମ ନେଉନି। କରୋନା ପ୍ରଭାବ ଯୋଗୁ ୩ ବର୍ଷ ହେଲା ଜଳେଶ୍ବରରେ ନିଶା ବ୍ୟବସାୟ ଧିମେଇ ଯାଇଥିଲା। ବ୍ରାଉନ୍‌ସୁଗାର ଆମଦାନି ଓ ଚାଲାଣରେ ଭଟ୍ଟା ପଡ଼ିଥିଲା‌। ହେଲେ ଏବେ କରୋନା ସ୍ଥିତି ସୁଧୁରିବା ସହ ବେପାର ଜୋର୍‌ ଧରିଛି।

Representational image

ବ୍ୟବସାୟୀମାନଙ୍କ ମଧ୍ୟରେ ଆଗ ପରି ଆଉ ଭୟ ବି ନାହିଁ। ସେମାନେ ନିର୍ଭୟରେ ବ୍ୟବସାୟ ଚଳାଇଛନ୍ତି। ଯେଉଁମାନେ ବ୍ରାଉନ୍‌ସୁଗାର ବେପାର କରୁଥିଲେ ସେମାନେ ଏବେ ପୂରା ପରିବାରକୁ ଏଥିରେ ସାମିଲ କରିଛନ୍ତି। ଏନ୍‌ଡିପିଏସ୍‌ ମାମଲାରେ ଗିରଫ ହୋଇଥିବା ସଂପୃକ୍ତ ବ୍ୟକ୍ତିମାନେ ଏ କ୍ଷେତ୍ରରେ ଅନେକ ଆଗରେ। ଉକ୍ତ ବ୍ୟବସାୟୀମାନେ ନେପଥ୍ୟରେ ରହି କାରବାରକୁ ନିୟନ୍ତ୍ରଣ କରୁଥିବା ବେଳେ ପରିବାରର ମହିଳାମାନଙ୍କୁ ବ୍ୟବସାୟରେ ଲଗାଉଥିବା ଜଣାପଡ଼ିଛି। ସେମିତି ମହିଳାଙ୍କ ସଂଖ୍ୟା ୨୦ରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଏହି ମହିଳାମାନେ କିଏ ମାଫିଆଙ୍କ ମାଆ ତ ଆଉ କିଏ ପତ୍ନୀ; ନହେଲେ ଭଉଣୀ। ସହର ଉପକଣ୍ଠ ସେକବାଡ଼ ଅଞ୍ଚଳର ଦୁଇ ଭଉଣୀ ଏବେ ବ୍ରାଉନ୍‌ସୁଗାର ବେପାରର ମୁଖ୍ୟ କାର୍ପଟଦାର ପାଲଟିଛନ୍ତି। ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ବିବାହିତା ହୋଇଥିବା ବେଳେ ଅନ୍ୟ ଜଣେ ଅବିବାହିତା। ପୂର୍ବରୁ ଏମାନଙ୍କର କିଛି ସମ୍ପର୍କୀୟ ବ୍ରାଉନ୍‌ସୁଗାର ବେପାର କରୁଥିଲେ। ଯେଉଁମାନେ କୋଲକାତା ପୁଲିସ ଦ୍ବାରା ଗିରଫ ମଧ୍ୟ ହୋଇଥିଲେ। ସେହିପରି ଝାଡ଼େଶ୍ବରପୁର ଅଞ୍ଚଳର ଜଣେ କୁଖ୍ୟାତ ନିଶା ବେପାରୀଙ୍କ ଉପରେ ପୁଲିସ ବାରମ୍ବାର କାର୍ଯ୍ୟାନୁଷ୍ଠାନ ନେବା ଯୋଗୁ ସେ ପଶ୍ଚିମବଙ୍ଗକୁ ପଳାଇଯାଇ ପତ୍ନୀଙ୍କ ମାଧ୍ୟମରେ ବେପାର କରୁଛନ୍ତି। ପଥରପୁରା ମାଣିକଚକ ଅଞ୍ଚଳର ଜଣେ ମାଛ ବ୍ୟବସାୟୀ ମଧ୍ୟ ତାଙ୍କ ପତ୍ନୀଙ୍କ ଜରିଆରେ ବେପାର ଚଳାଇଛନ୍ତି।

କେବଳ ବ୍ରାଉନ୍‌ସୁଗାର ନୁହେଁ, ଜଳେଶ୍ବରରେ ଗଞ୍ଜେଇ କାରବାର ମଧ୍ୟ ଅବାଧରେ ଚାଲିଛି। ଫୁଲବାଣୀ, କନ୍ଧମାଳ ଆଦି ସ୍ଥାନରୁ ପିକ୍‌ଅପ୍‌, ନହେଲେ କାର୍‌ ଯୋଗେ ଏଠାକୁ ଗଞ୍ଜେଇ ଆସୁଛି। ପଥରପୁରା ଅଞ୍ଚଳର ଜଣେ ବ୍ୟକ୍ତି ଫୁଲବାଣୀରେ ରହି କୁଇଣ୍ଟାଲ୍‌ କୁଇଣ୍ଟାଲ୍‌ ଗଞ୍ଜେଇ ଜଳେଶ୍ବର ପଠାଉଛନ୍ତି। ଆଉ ଏଠାରୁ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳ ସହ ବାଲିଆପାଳ, ପଶ୍ଚିମବାଡ଼, କମର୍ଦ୍ଦା, ବାଲିମ, ସୁଗୋ, ଚନ୍ଦନେଶ୍ୱର, ଦେଉଳା ଆଦି ସ୍ଥାନକୁ ଗଞ୍ଜେଇ ଚାଲାଣ କରୁଛନ୍ତି। କରୋନା ପୂର୍ବରୁ ଜଳେଶ୍ବରରେ ହାତଗଣତି ଲୋକ ଗଞ୍ଜେଇ କାରବାର କରୁଥିବା ବେଳେ ଏବେ ଶତାଧିକ ଲୋକ ଏଥିରେ ସଂପୃକ୍ତ ହୋଇ ସାରିଲେଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।