ରାଜ୍ୟ

ଆଜିଠୁ ଭୁବନେଶ୍ୱରରେ ଜି-୨୦ର ଦ୍ୱିତୀୟ ବୈଠକ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ। ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସଂସ୍କୃତି କ୍ଷେତ୍ରରେ ଦେଖା ଦେଇଥିବା ଗମ୍ଭୀର ସମସ୍ୟା ଉପରେ ବିଚାରବିମର୍ଶ କରିବା ଲାଗି ଏହି ବୈଠକ ଏକ ମଞ୍ଚ ଯୋଗାଇ ଦେବ।

ଏଥିପୂର୍ବରୁ ମଧ୍ୟପ୍ରଦେଶର ଖଜୁରୋହୋଠାରେ ପ୍ରଥମ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜିତ ହୋଇଥିଲା। ଏହାପରେ ଦୁଇମାସ ଧରି ବିଶେଷଜ୍ଞମାନଙ୍କ ଦ୍ୱାରା ବୈଶ୍ୱିକ ବିଷୟବସ୍ତୁ ଉପରେ ଆଧାରିତ ୱେବିନାରରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ଏଥିରୁ ପ୍ରାପ୍ତ ପରିଣାମକୁ ଆଗକୁ ବଢ଼ାଇବା ଉପରେ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀରେ ଗୁରୁତ୍ୱାରୋପ କରାଯିବ।

ଭାରତର ଜି୨୦ ଅଧ୍ୟକ୍ଷତାର ସଂସ୍କୃତି ଟ୍ରାକ୍‌ ଅଧୀନରେ ପରିକଳ୍ପନା କରାଯାଇଥିବା ୪ଟି ପ୍ରମୁଖ ପ୍ରାଥମିକତା କ୍ଷେତ୍ର ଉପରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ବୈଠକରେ ଧ୍ୟାନ ଦିଆଯାଇଛି। ଏହି ଚାରିଟି ପ୍ରାଥମିକତା କ୍ଷେତ୍ର ହେଲା : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ।

ଆଜି ପଦ୍ମଶ୍ରୀ ପୁରସ୍କୃତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ପ୍ରଦର୍ଶନୀ ଆୟୋଜନ କରାଯିବ। ଏହି ପ୍ରଦର୍ଶନୀର ବିଷୟବସ୍ତୁ ରହିବ ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’।

ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ଅଂଶଗ୍ରହଣ କରିବାକୁ ଥିବା ଅତିଥିମାନଙ୍କୁ ବିଭିନ୍ନ ପ୍ରକାରର ସାଂସ୍କୃତିକ ଅନୁଭୂତି ହାସଲ କରିବାର ସୁଯୋଗ ମିଳିବ। ସେମାନଙ୍କୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବାର ସୁଯୋଗ ମିଳିବ। ବିଦେଶାଗତ ଅତିଥିମାନେ ଓଡ଼ିଶାର ଗୌରବ ଭାବେ ପରିଚିତ ଓଡ଼ିଶୀ, ସିଙ୍ଗାରୀ, ସମ୍ବଲପୁରୀ ଏବଂ ଗୋଟିପୁଅ ଆଦି ଲୋକନୃତ୍ୟର ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିବାର ସୁଯୋଗ ପାଇବେ।

ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକର ଅଂଶବିଶେଷ ସ୍ୱରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ’ ଶୀର୍ଷକ ଏକ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯିବ। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ଆଲୋକପାତ କରାଯାଇଥିବା ଦ୍ୱିତୀୟ ପ୍ରାଥମିକତା ଉପରେ ପ୍ରଦର୍ଶନୀର ବିଷୟବସ୍ତୁ ଆଧାରିତ ଏବଂ ତାହା ହେଉଛି – ‘ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ’।

ମେ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ, କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ କେନ୍ଦ୍ର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଏହି ପ୍ରଦର୍ଶନୀ ଉଦ୍‌ଘାଟିତ ହେବ। ମେ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନୀ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।