ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଲାଇନ୍‌ କଟିବା ପ୍ରସଙ୍ଗ: ଏବେ ମୁଣ୍ଡ ପୂରାଇଲେ

ଭୁବନେଶ୍ବର : ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମଏସସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ ଘଟଣାରେ ନୂଆ ମୋଡ଼ ଆସିଛି। ତିନି ଦିନ ହେଲା ଚୁପ୍‌ ବସିଥିବା ରାଜ୍ୟ ସରକାର ଏବେ ମୁଣ୍ଡ ପୂରାଇଛନ୍ତି। ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଗତ ୮ ତାରିଖରେ ମୁଖ୍ୟ ଶାସନ ସଚିବ ଓ କୁଳପତିଙ୍କଠାରୁ ରିପୋର୍ଟ ତଲବ କରିବା ପରେ ସରକାରୀ ବାବୁମାନେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି। ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୭ଟି ପୃଥକ ତଦନ୍ତ ଜାରି ରହିଛି। ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ଶକ୍ତି, ଗୃହ ବିଭାଗ, ଇଡକୋ, ଟାଟା ପାୱାର ନିଜ ନିଜ ସ୍ତରରେ ତଦନ୍ତ କରୁଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି) ଓ ଜିଲ୍ଲା ପ୍ରଶାସନ ମଧ୍ୟ ନିଜସ୍ତରରେ ଯାଞ୍ଚ କରୁଛନ୍ତି।

ଘଟଣା ପରେ ହିଁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ତିନି ଜଣିଆ କମିଟି ଗଠନ କରିବା ସହ ୧୨ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ୫ ଦିନ ବିତିଗଲାଣି। ହାତରେ ଆଉ ମାତ୍ର ଦୁଇ ଦିନ ସମୟ ରହିଥିବାରୁ କମିଟି ବିଭିନ୍ନ ଦିଗ ଉପରେ ଗୁରୁତ୍ବ ଦେଇ ତଦନ୍ତ କରୁଛି। ଧାର୍ଯ୍ୟ ସମୟ ପୂର୍ବରୁ ହିଁ କୁଳପତିଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କମିଟିର ଜଣେ ସଦସ୍ୟ କହିଛନ୍ତି। ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ରାଜ୍ୟ ପ୍ରଶାସନ ଅଧିକ ସକ୍ରିୟ ହୋଇଉଠିଛି। ବିଦ୍ୟୁତ୍‌ ବିଭ୍ରାଟ ହୋଇଥିବାରୁ ଶକ୍ତି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନେଇ ଗଠିତ ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଟିମ୍‌ର ସଦସ୍ୟମାନେ ପ୍ରେକ୍ଷାଳୟ ବୁଲି ଦେଖିବା ସହ ଉକ୍ତ ଦିନ କେତେବେଳେ ବିଦ୍ୟୁତ୍‌ ବିଭ୍ରାଟ ହୋଇଥିଲା? କେତେ ସମୟ ଲାଇନ୍‌ କଟିଥିଲା? ମଞ୍ଚ ଉପର ଯେତେବେଳେ ଅନ୍ଧାର ଥିଲା ସେତେବେଳେ ପ୍ରେକ୍ଷାଳୟର ଅନ୍ୟ ସ୍ଥାନରେ ବିଦ୍ୟୁତ୍‌ ଥିଲା କି ନାହିଁ? କ୍ୟାମ୍ପସର ଅନ୍ୟ ସ୍ଥାନରେ ବିଦ୍ୟୁତ୍‌ ଥିଲା କି ନାହିଁ? ଆଦି ବିଷୟ ଉପରେ ଯାଞ୍ଚ କରିଛନ୍ତି।

ପ୍ରେକ୍ଷାଳୟ ଦାୟିତ୍ବରେ ଥିବା ଇଡ୍‌କୋ କର୍ତ୍ତୃପକ୍ଷ ମଧ୍ୟ ନିଜ ତରଫରୁ ତଦନ୍ତ ଆରମ୍ଭ କରିଛନ୍ତି। ଭିତ୍ତିଭୂମିର କେଉଁଠି ତ୍ରୁଟି ରହିଲା କି ନାହିଁ ଇଡ୍‌କୋ ଅଧିକାରୀମାନେ ବୁଲି ଦେଖିଛନ୍ତି। କୁହାଯାଉଛି ଯେ ସମ୍ପୃକ୍ତ ପ୍ରେକ୍ଷାଳୟର ଭିତ୍ତିଭୂମି ଦୁର୍ବଳ ରହିଥିବାରୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଲା। ଯେଉଁଥିପାଇଁ ଓଡ଼ିଶା ସାରା ଦେଶରେ ଲଜ୍ଜିତ ହୋଇଥିଲା। ମାତ୍ର ଦୁଇ ବର୍ଷ ତଳେ ନିର୍ମାଣ ସରିଥିବା ଏହି ପ୍ରେକ୍ଷାଳୟ ଏତେ ଶୀଘ୍ର କିଭଳି ଦୁର୍ବଳ ହୋଇଗଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏମିତିକି କିଛି ମାସ ପୂର୍ବରୁ ଏହି ପ୍ରେକ୍ଷାଳୟର ମରାମତି ଲାଗି ୭୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିଜ ସ୍ତରରେ ଏକାଧିକ କମିଟି କରି ଘଟଣାର ତଦନ୍ତ କରୁଛି।

ଆଶ୍ଚର୍ଯ୍ୟର ବିଷୟ ହେଉଛି ‌ଯେ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଭାଗୀୟ ମନ୍ତ୍ରୀ ଓ ସଚିବ ନିରବ। ଘଟଣା ସମ୍ପର୍କରେ କେହି ମୁହଁ ଖୋଲି ନାହାନ୍ତି କି ତଦନ୍ତ ଲାଗି କମିଟି ଗଠନ ହୋଇନି। ବିଭାଗୀୟ ଅଧିକାରୀମାନେ ମଧ୍ୟ ଚିଠି ଟିଏ ବି ଲେଖି କାହାଠାରୁ ସ୍ପଷ୍ଟୀକରଣ ମାଗିନାହାନ୍ତି। ବିରୋଧୀ ଦଳଗୁଡ଼ିକ ମଧ୍ୟ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗକୁ ଉତ୍ତରଦାୟୀ ନ କରିବା ଆହୁରି ଆଶ୍ଚର୍ଯ୍ୟ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।