ଅମୃତସର: ବୁଧବାର ମଧ୍ୟରାତ୍ର ପରେ ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିଥିବା କଥା ପଞ୍ଜାବ ପୁଲିସ କହିଛି।
ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ସ୍ବର୍ଣ୍ଣମନ୍ଦିର ଆଖପାଖ ଅଞ୍ଚଳରେ ତୃତୀୟ ବିସ୍ଫୋରଣ। ପୂର୍ବରୁ, ମେ ୬ ଓ ୮ ତାରିଖରେ ସ୍ବର୍ଣ୍ଣ ମନ୍ଦିର ନିକଟ ହେରିଟେଜ୍ ଷ୍ଟ୍ରିଟ୍ରେ ବିସ୍ଫୋରଣ ଘଟିଥିଲା।
ସଂଗୃହୀତ ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୧ଟା ବେଳେ ତୃତୀୟ ବିସ୍ଫୋରଣ ଘଟିଥିଲା। ଏହି ଦେଶୀ ବୋମା ବିସ୍ଫୋରଣ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ବିସ୍ଫୋରଣ ବେଳେ ଘଟଣାସ୍ଥଳ ନିକଟରେ ଥିବା ଗୋଟାଏ କୋଠରିରେ ୨ଜଣ ପୁରୁଷ ଓ ଜଣେ ମହିଳା ଥିଲେ। ସେ ୩ଜଣଙ୍କୁ ମଧ୍ୟ ପଚରା ଉଚରା ଚାଲିଛି।
ବିସ୍ଫୋରଣ ପରେ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ସେୟାର କରିଥିବା ଭିଡିଓରେ ଦେଖାଯାଉଛି, ପୁଲିସ ଅଧିକାରୀମାନେ ସ୍ବର୍ଣ୍ଣମନ୍ଦିର ନିକଟରେ ହାଜର ହୋଇଛନ୍ତି।

ଏହି ବିସ୍ଫୋରଣ କିଏ ଘଟାଇଛି ତାହା ଏ ପର୍ଯ୍ୟନ୍ତ କେହି ଦାବି କରି ନାହାନ୍ତି।
ଏହି ଦେଶୀ ବୋମା ବା ଗଡ଼ମାରେ ‘ପଟାସିୟମ୍ କ୍ଲୋରେଟ୍’ ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଫୋରେନ୍ସିକ୍ ଟିମ୍ ଓ ପଞ୍ଜାବ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ବେଳେ ସେମାନେ ଗଣମାଧ୍ୟମ ଆଗରେ ଘଟଣା ସଂକ୍ରାନ୍ତରେ ବିବୃତି ଦେବେ।
ସୂଚନାଯୋଗ୍ୟ, ପ୍ରଥମ ବିସ୍ଫୋରଣରେ ଜଣେ ଓ ଦ୍ବିତୀୟ ବିସ୍ଫୋରଣରେ ଆଉ ଜଣେ ବ୍ୟକ୍ତି ଆହତ ହୋଇଥିଲେ ବୋଲି ପୁଲିସ କହିଥିଲା। ତୃତୀୟ ବିସ୍ଫୋରଣରେ କେହି ଆହତ ହୋଇଥିବା ଖବର ମିଳିନାହିଁ। ଦ୍ବିତୀୟ ବିସ୍ଫୋରଣ ପରେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲା।