ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ମାମଲାରେ ପୂର୍ଣ୍ଣଚ୍ଛେଦ, ରତ୍ନଭଣ୍ଡାର ମାମଲାରେ ହସ୍ତକ୍ଷେପ ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିଚାଳନାରେ ବିଭ୍ରାଟକୁ ନେଇ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ଦ୍ବାରା ଦାଏର ଜନସ୍ବାର୍ଥ ମାମଲା ଶୁଣାଣିର ଆଜି ଅନ୍ତ ଘଟାଇଛନ୍ତି ସୁପ୍ରିମ‌କୋର୍ଟ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌ ଶାହା ଓ ବିଚାରପତି ଜଷ୍ଟିସ ସି.ଟି ରବିକୁମାରଙ୍କ ଖଣ୍ଡପୀଠ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ବାରା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନଭେମ୍ବର ୪, ୨୦୧୯ ନିର୍ଦ୍ଦେଶନାମାର ବିସ୍ତୃତ ଅନୁପାଳନ ହୋଇଥିବା ଜଣାପଡ଼ୁଛି ବୋଲି କହିଥିଲେ। ଯଦି ନିର୍ଦ୍ଦେଶନାମାଗୁଡ଼ିକର ଅନୁପାଳନ ସଂପୂର୍ଣ୍ଣ ରୂପେ ହୋଇନାହିଁ କିମ୍ବା ହେବାର ଆବଶ୍ୟକତା ରହିଛି, ସେ ସଂପର୍କରେ କୌଣସି ଆପତ୍ତି ଅଭିଯୋଗ ଥିଲେ ପକ୍ଷମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋ‌ଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ରତ୍ନଭଣ୍ଡାର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଟିପ୍ପଣୀ ଦେଇ କହିଥିଲେ, ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ଆମର ସଂପୂର୍ଣ୍ଣ ଆସ୍ଥା ରହିଛି। ଏହି ଧାର୍ମିକ ତଥା ସମ୍ବେଦନଶୀଳ ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟ ଆଉ ହସ୍ତକ୍ଷେପ କରିବେ ନାହିଁ କିମ୍ବା କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। କାହାର କିଛି ଆପତ୍ତି ଅଭିଯୋଗ ରହିଲେ, ସେମାନେ ହାଇକୋର୍ଟରେ ଆବେଦନ କରିପାରିବେ। ଏହା ସହିତ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ମାମଲାରେ ନିଯୁକ୍ତ କୋର୍ଟ ମିତ୍ର (ଆମିକସ୍‌ କ୍ୟୁରି) ରଞ୍ଜିତ କୁମାରଙ୍କୁ ତାଙ୍କ ଦାୟିତ୍ବରୁ ମୁକ୍ତ କରିଛନ୍ତି। ଆଜି ଶୁଣାଣି ବେଳେ ଆମିକସ୍‌ କ୍ୟୁରି କହିଥିଲେ, ଶ୍ରୀମନ୍ଦିର ମାମଲାରେ କୋର୍ଟଙ୍କ ନଭେମ୍ବର ୪, ୨୦୧୯ର ରିପୋର୍ଟକୁ ଅନୁଧ୍ୟାନ କରିବା ସମୟରେ ଜଣାପଡିଛି ରତ୍ନଭଣ୍ଡାର ମାମଲାରେ ଅନୁପାଳନ ହୋଇନାହିଁ। ଅନୁରୂପ ଭାବେ ଆବେଦନକାରୀ ମୃଣାଳିନୀ ପାଢ଼ୀଙ୍କ ଓକିଲଙ୍କ ଦ୍ବାରା ରତ୍ନଭଣ୍ଡାର ମାମଲାରେ ଆଦେଶ ଜାରି କରିବା ପାଇଁ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା।

୪ଟି ପ୍ରସଙ୍ଗର ଅନୁପାଳନ ହୋଇନାହିଁ: ଆମିକସ୍‌ କ୍ୟୁରି
ଅଭିଯୋଗ ଥିଲେ ହାଇକୋର୍ଟ ଯାଇପାରିବେ: ସୁପ୍ରିମକୋର୍ଟ

Image Courtesy of The Indian Express

ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ଅନୁପା‌ଳନ ରିପୋର୍ଟରେ ୪ଟି ପ୍ରସଙ୍ଗରେ ଅନୁପାଳନ କରାଯାଇନାହିଁ ବୋଲି ଆମିକସ୍‌ କ୍ୟୁରି ଖଣ୍ଡପୀଠଙ୍କର ଦୃଷ୍ଟି ଆକ‌ର୍ଷଣ କରିଥିଲେ। ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ବିଭିନ୍ନ ଅଂଚଳରେ ପ୍ରାୟ ୬୦ ହଜାର ଏକର ଜମି ରହିଛି। ଅନୁପାଳନ ରିପୋର୍ଟରେ ୩୮ ହଜାର ୬୧ ଏକର ଜମିର ଆର୍‌ଓଆର୍‌ ରହିଛି ବୋଲି ଦର୍ଶାଯାଇଛି। ବାକି ୨୧,୯୩୯ ଏକର ଜମିର ଆର୍‌ଓଆର୍‌ ନାହିଁ। ଅତଏବ ଅନୁପାଳନ ଅସଂପୂର୍ଣ୍ଣ ରହିଛି ବୋଲି ସେ କହିଥିଲେ। ସେହିଭଳି ଆନନ୍ଦ ବଜାର ଦରତାଲିକା ଚୂଡ଼ାନ୍ତ କରାଯାଇନାହିଁ ଏହି ପ୍ରସଙ୍ଗରେ ବିଚାରବିମର୍ଶ ଜାରି ରହିଥିବାର ଅନୁପାଳନ ରିପୋର୍ଟର ଉଲ୍ଲେଖ ରହିଛି ବୋଲି ସେ କହିଥିଲେ। ଖଣି ଖାଦାନଗୁଡ଼ିକ ଜଗନ୍ନାଥ ମନ୍ଦିର ଅଧୀନକୁ ଆସିନାହିଁ। ନିକଟରେ ଖଣି ଖଦାନ ପ୍ରସଙ୍ଗରେ ଏନ୍‌ଜିଟି ଲଗାଇଥିବା ଜୋରିମାନା ସଂପର୍କରେ ସେ ଅବଗତ କରାଇଥିଲେ। ଅତଏବ କିଛି ପ୍ରସଙ୍ଗଗୁଡ଼ିକର ଅନୁପାଳନ ହୋଇପାରିନଥବାରୁ ମାମଲାର ସଂପୂର୍ଣ୍ଣ ଅନୁପାଳନ ପର୍ଯ୍ୟନ୍ତ ଶୁଣାଣି ଜାରି ରହୁ ବୋଲି ରଂଜିତ କୁମାର କହିଥିଲେ।

‌ହେଲେ ରଞ୍ଜିତ କୁମାରଙ୍କ ଯୁକ୍ତି ଖଣ୍ଡପୀଠଙ୍କୁ ପ୍ରଭାବିତ କରିପାରିନଥିଲା। କୋର୍ଟ ଟିପ୍ପଣୀ କରି କହିଥିଲେ ଆମେ ଏହି ମାମଲାକୁ କେତେ ଦିନ ପର୍ଯ୍ୟନ୍ତ ତଦାରଖ କରିବୁ। ଯାହାର କିଛି ଅଭିଯୋଗ ରହିବ ‌ସେ ଉଚ୍ଚ ନ୍ୟାୟାଳୟକୁ ଯାଇପାରିବେ ‌ବୋଲି ଖଣ୍ଡପୀଠ କହିଥିଲେ। ଆଜିର ଶୁଣାଣି ସମୟରେ ଓଡ଼ିଶାର ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ଶ୍ରୀଜଗନ୍ନାଥ ମନ୍ଦିର ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକଙ୍କ ନିଯୁକ୍ତି ହୋଇସାରିଥିବା କୋର୍ଟଙ୍କୁ ଅବଗତ କରାଇଥିଲେ। କୋର୍ଟ ଏହାକୁ ରେକର୍ଡକୁ ନେଇଥିଲେ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିଚାଳନା ବିଭ୍ରାଟ ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ଦ୍ବାରା ଜୁନ୍‌ ୮, ୨୦୧୮ରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ତତ୍କାଳୀନ ବିଚାରପତି ଆଦର୍ଶ କୁମାର ଗୋଏଲଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ସେବାୟତମାନେ ଶ୍ରୀଜଗନ୍ନାଥଙ୍କ ନାମରେ କୌଣସି ଦାନଦକ୍ଷିଣା ଗ୍ରହଣ କରିପାରିବେ ନାହିଁ ବୋଲି ବୋଲି ଏକାଧିକ ନିର୍ଦ୍ଦେଶନାମା ଜାରି କରିଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ପର୍ଯ୍ୟାୟରେ ଏହି ମାମଲାର ଶୁଣାଣି ହୋଇଥିଲା। ପ୍ରଥମେ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମଙ୍କୁ ସୁପ୍ରିମକୋର୍ଟ ଆମିକସ କ୍ୟୁରି ଭାବେ ନିଯୁକ୍ତ କରିଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ପରେ ଗୋପାଳ ସୁବ୍ୟମଣ୍ୟମ ଏହି ଦାୟିତ୍ବରୁ ଓହରିଯାଇଥିଲେ। ତାଙ୍କ ପରେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ସୁପ୍ରିମକୋର୍ଟ ଆମିକସ କ୍ୟୁରି ଏବଂ ତାଙ୍କୁ ସହାୟତା କରିବା ପାଇଁ ଆଇନଜୀବୀ ପ୍ରିୟା ହିଙ୍ଗୋରାନିଙ୍କୁ ସହ ଆମିକସ କ୍ୟୁରି ରୂପେ ନିଯୁକ୍ତି ନିଯୁକ୍ତି କରାଯାଇଥିଲା। ଉଭୟ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ‌ବିସ୍ତୃତ ରିପୋର୍ଟ ଦାଖଲ କରିଥିଲେ। ଏହି ଆଧାରରେ ସୁପ୍ରିମକୋର୍ଟ ନଭେମ୍ବର ୪, ୨୦୧୯ରେ ୨୨ ଟି ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଥିଲେ। ମାର୍ଚ୍ଚ ୨୯, ୨୦୨୩ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମାଗୁଡ଼ିକର ଅନୁପାଳନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ମାମଲାରେ ସୁପ୍ରିମକୋର୍ଟରେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ସମୁଦାୟ ୨୬ ଥର ଶୁଣାଣି ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ