ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦିନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଛି। ଏହାର ପ୍ରଭାବରେ ଆଜି(ସୋମବାର) ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେଧୀରେ ଅଧିକ ଘନୀଭୂତ ହୋଇ ୯ ତାରିଖ ବେଳକୁ ଅବପାତର ରୂପ ନେବ ଓ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିବ। ଏହାପରେ ଏହା ଆହୁରି ଆହୁରି ଘନୀଭୂତ ହେବ ଓ ବାତ୍ୟା ରୂପ ନେଇ ଉତ୍ତର ଦିଗର ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ରହିବ। ଆଜି ଲଘୁଚାପ ସୃଷ୍ଟି ପରେ ବାତ୍ୟାର ଗତିପଥ, ତୀବ୍ରତା ନେଇ ସ୍ପଷ୍ଟ କହିହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିଥିବାରୁ ପ୍ରବଳ ଖରା ଜାରି ରହିଛି। ସୋମବାର ଦିନ ରାଜ୍ୟର ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହାପରେ ରାଜ୍ୟର ପାଗ ଖରାଟିଆ ଓ ଶୁଖିଲା ରହିବ। ଆସନ୍ତା ୩ ଦିନ ଭିତରେ ରାଜ୍ୟର ତାପମାତ୍ରା ୨ରୁ ୪ ଡିଗ୍ରି ଯାଏ ବଢ଼ିବ। ଫଳରେ ମେ’ ଦ୍ବିତୀୟ ସପ୍ତାହରେ ପ୍ରଚଣ୍ଡ ଖରା ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିବ ବୋଲି ସୂଚନା ମିଳିଛି। ଆଜି ରାଜଧାନୀ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ସାମାନ୍ୟ ବର୍ଷା ସମ୍ଭାବନା ମଧ୍ୟ ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ।