କଟକ : ମହାନଦୀ ସଙ୍କଟ ଏବେ ଜାତୀୟ ଟ୍ରିବ୍ୟୁନାଲ୍ରେ ବିଚାରାଧୀନ। ଛତିଶଗଡ଼-ଓଡ଼ିଶା ଜଳ ବିବାଦ ପରେ ମହାନଦୀରେ ପାଣି ପରିମାଣ କମି ଚାଲିଛି। ବର୍ଷକର ବର୍ଷା ଦୁଇ-ତିନି ମାସକୁ ବାଦ୍ ଦେଲେ ମହାନଦୀ ଓ ଏହାର ଶାଖା ନଦୀ ଅନ୍ୟ ସମୟରେ ଶୁଖିଲା ମରୁଭୂମି ପାଲଟୁଛି। ଦୀର୍ଘ ୯ମାସ କାଳ ନଦୀରେ ଜଳଧାର ଟିକେ ବି ଦେଖିବାକୁ ମିଳୁନି। ଏଭଳି ସ୍ଥିତିର ଯୋବ୍ରା ଓ ନରାଜ-ମୁଣ୍ଡଳୀ ତଳମୁଣ୍ଡରେ ନଈ ପାଣି ସାତ ସପନ ହୋଇଛି। ଚାଷ ଜମି ତ ଦୂରର କଥା, ଏବେ ସ୍ନାନ ଓ ଶୌଚ ପାଇଁ ମଧ୍ୟ ନଦୀରେ ପାଣି ନାହିଁ।
ଗତ ୬/୭ ବର୍ଷ ହେବ ମହାନଦୀର ତଳମୁଣ୍ଡରେ ଥିବା କଟକ ଜିଲ୍ଲାର କିଛି ଭାଗ ସମେତ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ନଦ ଜଳକୁ ନେଇ ଅଭାବନୀୟ ସ୍ଥିତି ଉପୁଜିଲାଣି। ତାଳଦଣ୍ଡା କେନାଲ୍ ଓ ପଟ୍ଟାମୁଣ୍ଡାଇ କେନାଲ୍ ଶୁଖିଲା ପଡ଼ୁଛି। ମହାନଦୀରେ ଆଉ ପାଣି ନଥିବାରୁ ଏଭଳି ସ୍ଥିତି ଉପୁଜିଛି। ଯେତିକି ବି ପାଣି ମହାନଦୀର ଯୋବ୍ରା, ମୁଣ୍ଡଳୀ ଓ କାଠଯୋଡ଼ିର ନରାଜ ବ୍ୟାରେଜ୍ରେ ଗଚ୍ଛିତ ରହୁଛି ସେତିକି ପାଣି ଶିଳ୍ପକୁ ଅଣ୍ଟୁନାହିଁ। ଏହି ଗଚ୍ଛିତ ଜଳ କେବଳ ପାରାଦୀପ ତୈଳ ବିଶୋଧନାଗାରକୁ ଯାଉଛି। ପାରାଦୀପରେ ଥିବା ୧୫ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତାବିଶିଷ୍ଟ ବିଶୋଧନାଗାରକୁ ବି ପାଣି ନିଅଣ୍ଟ ପଡିଲାଣି। ଦୈନିକ ୧୦୦ ମିଲିୟନ୍ ଲିଟର ଜଳ ଶୋଷୁଥିବା ବିଶୋଧନାଗାରକୁ ଯୋବ୍ରାର ଗଚ୍ଛିତ ପାଣି ଯାଉଛି। ଶିଳ୍ପକୁ ପାଣି ଦେବା ପାଇଁ ଏବେ ବୁନ୍ଦାଏ ବି ପାଣି ସମୁଦ୍ରକୁ ଯିବାକୁ ଦିଆଯାଉ ନାହିଁ।
ଆଇଓସିଏଲ୍କୁ ପାଣି ଅଣ୍ଟୁନି; ଅନ୍ୟ ଶିଳ୍ପ ପାଇଁ ଆସିବ କେଉଁଠୁ?

ଏଭଳି ସ୍ଥିତିରେ ଏବେ ପାରାଦୀପରେ ପ୍ରସ୍ତାବିତ ବୃହତ୍ତ ଶିଳ୍ପ ପେଟ୍ରୋ କେମିକାଲସ୍ କମ୍ପ୍ଲେକ୍ସ ଓ ଜେଏସ୍ଡବ୍ଲୁ ଶିଳ୍ପ ପାଇଁ ପାଣି କେଉଁଠୁ ଆସିବ ତାକୁ ନେଇ ଚିନ୍ତା ଘାରିଛି। ପରିବେଶବିତ୍ଙ୍କ ମତରେ ପାରାଦୀପ ତୈଳ ବିଶୋଧନାଗାର, ପେଟ୍ରୋ କେମିକାଲ୍ କମ୍ପ୍ଲେକ୍ସ, କେନ୍ଦ୍ରାପଡାର ମହାକଳାପଡା ଓ ପାରାଦୀପର ଏରସମାରେ ପ୍ରସ୍ତାବିତ ବୃହତ୍ତ ଇସ୍ପାତ କାରଖାନା ପାଇଁ ଦୈନିକ ଆବଶ୍ୟକ ଥିବା ୧୦୦୦ ମିଲିୟନ୍ ଲିଟର ପାଣି କେଉଁଠୁ ଆସିବ? ରାଜ୍ୟରେ ଆବଶ୍ୟକ ବ୍ୟାରେଜ୍, ୱାଟର୍ ରିଜର୍ଭର୍ ନଥିବାରୁ ଆଗାମୀ ଦିନରେ ଏଭଳି ଭୟଙ୍କର ଜଳ ସଙ୍କଟ ଦେଖାଦେବ। ପାଣି ବିନା କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ୩୦ଲକ୍ଷ ଲୋକ ମାତ୍ରାଧିକ ପ୍ରଭାବିତ ହେବେ ବୋଲି ଆକଳନ କରାଯାଇଛି।
ତୈଳ ବିଶୋଧନାଗାର ପାଇଁ ଜଳ ଯୋଗାଣ କରିବା ପରେ ଏବେ ଯୋବ୍ରା ବ୍ୟାରେଜ୍ରେ ଜଳ ସଙ୍କଟ ଦେଖାଦେଇଛି। ଯୋବ୍ରା ରିଜର୍ଭର୍ର କ୍ଷମତା ଅନୁସାରେ ପାଣି ରହୁ ନଥିବା ବେଳେ ମହାନଦୀ ପାଣିରେ ପାରାଦୀପ ୧୫ଲକ୍ଷ ମେଟ୍ରିକ୍ ଟନ୍ର ରିଫାଇନରି ଚାଲିଛି। ବିଶୋଧନାଗାରରକୁ ଯେତିକି ପାଣି ଆବଶ୍ୟକ ତାହା ମଧ୍ୟ ହେଉ ନାହଁ। ମହନଦୀର ତଳମୁଣ୍ଡ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ଏହି କାରଣରୁ ଏବେ ଭୟଙ୍କର ଜଳ ସଙ୍କଟ ଦେଖାଦେଇଛି। ତାଳଦଣ୍ଡା କେନାଲ ଗତ କିଛିବର୍ଷ ହେବ ଶୁଖିଲା ପଡିଛି। ପଟ୍ଟାମୁଣ୍ଡାଇ କେନାଲରେ ମଧ୍ୟ ପାଣି ଛଡ଼ା ଯାଉ ନାହିଁ। ତଳ ମୁଣ୍ଡରେ ଚାଷ ଜମିକୁ ପାଣି ମିଳୁନି।

ଯୋବ୍ରାରେ ଜଳଧାରଣ କ୍ଷମତା ଅନୁସାରେ ଜଳ ନାହିଁ। ଯୋବ୍ରାରେ ୨୧ ମିଟର ଜଳ ଧାରଣ କ୍ଷମତା ଥିବା ବେଳେ ଏହି ସ୍ତର ୧୮ରୁ ୧୯କୁ ମଧ୍ୟ ଖସି ଆସୁଛି। ତଳ ମୁଣ୍ଡକୁ ପାଣି ଛଡ଼ା ଯାଉନଥିବାରୁ କଟକ ଜିଲ୍ଲାର ୬ଟି ବ୍ଲକ୍, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଏକାଧିକ ବ୍ଲକ୍ରେ ଏବେ ଜଳସଙ୍କଟ ଦେଖାଦେଇଛି। ମହାନଦୀ ଓ କାଠଯୋଡିରେ ଏକାଧିକ ବ୍ୟାରେଜ୍ ନିର୍ମାଣ କରାଯାଇ ଜଳ ରିଜର୍ଭର କରାଗଲେ ଯାଇ ଜଳ ସଙ୍କଟ ଦୂର ହୋଇପାରିବ। ଏବେ ପୁରୀଘାଟ ଠାରେ କାଠଯୋଡ଼ିରେ ଅଉ ଏକ ବ୍ୟାରେଜ୍ ନିର୍ମାଣ ପାଇଁ ଯୋଜନା ରହିଛି। କଟକରୁ ପାରାଦୀପ ମଧ୍ୟରେ ମହାନଦୀ ଉପର ଏକାଧିକ ବ୍ୟାରେଜ୍ର ଆବଶ୍ୟକତା ଥିବା ପରିବେଶବିତ୍ମାନେ ମତ ରଖିଛନ୍ତି।