ରାଜ୍ୟ ସ୍ପେଶାଲ ରିପୋର୍ଟ

ବିତର୍କ: ଚୀନ, ପାକିସ୍ତାନ ମନ୍ତ୍ରୀଙ୍କ ସହ ହାତ ମିଳାଉ ନାହାନ୍ତି ଆମ ମନ୍ତ୍ରୀ; କେତେ ଲାଭ, କେତେ କ୍ଷତି

କିଛିଦିନ ପୂର୍ବରୁ ଭାରତ-ଚୀନ୍‌ ପ୍ରତିରକ୍ଷା ସଂକ୍ରାନ୍ତ ଦ୍ବିପାକ୍ଷିକ ଆଲୋଚନା ଅବସରରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗ୍‌ଫୁଙ୍କ ସହ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହାତ ନ ମିଳାଇ କେବଳ ନମସ୍କାରଟିଏ ପକାଇ କାମ ସାରିଦେଇଥିଲେ। ତାକୁ ନେଇ ଚର୍ଚ୍ଚା ନ ଥମୁଣୁ, ଅନୁରୂପ ଘଟଣାକ୍ରମରେ ଗୋଆରେ ଅନୁଷ୍ଠିତ ଏସ୍‌ସିଓ ବିଦେଶ ମନ୍ତ୍ରୀଙ୍କ ସମ୍ମିଳନୀ ଅବସରରେ ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ସହ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ହାତ ନ ମିଳାଇ ସୈାଜନ୍ୟକୁ କେବଳ ନମସ୍କାରରେ ସୀମିତ ରଖିଥିଲେ। ଅନ୍ତର୍ଜାତୀୟ ରାଜନୀତିରେ ବିତର୍କ ପାଇଁ ଏହା ସୁଯୋଗ ସୃଷ୍ଟି କରିଛି। ଓଡ଼ିଶାର ଦୁଇ ବରିଷ୍ଠ ନେତାଙ୍କ ଭିନ୍ନ ଭିନ୍ନ ମତ

ସୀମା ସୁରକ୍ଷାରେ ବିଫଳ, ନାଟକବାଜିରୁ କ’ଣ ମିଳିବ?
କେନ୍ଦ୍ରର ବୈଦେଶିକ ନୀତି ପୂରା ତ୍ରୁଟିପୂର୍ଣ୍ଣ। ଚୀନ୍ ଓ ପାକିସ୍ତାନକୁ ତ ମଣ କରିପାରୁନ! ଚୀନ୍ ଆମ ସୀମା ଭିତରକୁ ପଶି ଆମ ଭୂଖଣ୍ଡ ନେଇଯାଉଛି। ପ୍ରତିରୋଧ କରିପାରୁନ କି ଛଡ଼ାଇଆଣିପାରୁନ। ଯଦି ଏତେ ଘୃଣାର ବାତାବରଣ ସୃଷ୍ଟି କରୁଛ, ନିଜ ଦେଶର ସୀମାରେଖା ଶତ୍ରୁମାନଙ୍କ ପାଇଁ କେମିତି ଖୋଲା ରଖିଦେଉଛ? ଏଣେ ମୋଦୀ ଚୀନ୍‌ର ରାଷ୍ଟ୍ରମୁଖ୍ୟଙ୍କୁ ଆଣି ଦିଲ୍ଲୀ-ଅହମ୍ମଦାବାଦରେ ମାନଭଂଜନ କରାଉଛନ୍ତି; ଆଦାନୀଙ୍କ କମ୍ପାନିଗୁଡ଼ିକୁ ଚୀନ୍‌ ସହ ଯୋଡ଼ି ବ୍ୟବସାୟରେ ସହଯୋଗ କରୁଛନ୍ତି। ତେଣେ ଆମ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ମନ୍ତ୍ରୀଙ୍କ ସହ ହାତ ମଧ୍ୟ ମିଳାଇବେନି! ଏସବୁ ଲୋକଦେଖାଣିଆ। ଠିକ୍ ସେମିତି ପାକିସ୍ତାନ ସହ ମଧ୍ୟ ଅନୁରୂପ ବିଫଳତା। ଆମ କେନ୍ଦ୍ର ସରକାର ନିଜ ଦେଶରେ ଘୃଣାର ବାତାବରଣ କରି ପାକିସ୍ତାନର କାଣିଚାଏ ମଧ୍ୟ କ୍ଷତି କରିପାରିଛି କି? ଏଣେ ବିନ୍‌ବୁଲାଏ ମେହମାନ୍ ଭଳି ବିନା ନିମନ୍ତ୍ରଣରେ ପାକିସ୍ତାନରେ ଓହ୍ଲାଇ ବିରିୟାନି ଖାଉଛ; ତେଣେ ତାଙ୍କ ଦେଶର ବିଦେଶ ମନ୍ତ୍ରୀ ଭାରତ ଆସିଲେ ହାତ ମିଳାଇବାକୁ ଅସ୍ବୀକାର କରୁଛ! ଏ କି କଥା? ଏହା ଡବଲ୍‌ ଷ୍ଟାଣ୍ଡାର୍ଡ ନୁହେଁ ତ ଆଉ କ’ଣ? ହାତ ମିଳାଇବା ଏକ ମାନବୀୟ କାର୍ଯ୍ୟ। ହାତ ନ ମିଳାଇ କି ମହନତାର ପରିଚୟ ଦେଉଛନ୍ତି ଆମ ମନ୍ତ୍ରୀମାନେ? ଅନ୍ତର୍ଜାତୀୟ ସ୍ତରରେ କୂଟନୈତିକ ସମ୍ପର୍କକୁ ନେଇ ଭାରତର ଏକ ଗୈାରବମୟ ପରମ୍ପରା ରହିଛି। ଆହୁରି ମଧ୍ୟ, ଯେଉଁଠି ଯୁଦ୍ଧ କରି ଜିତିହୁଏନି, ସେଠି କୂଟନୀତି ଜରିଆରେ ବୁଝାମଣା କରି ଶାନ୍ତି ସ୍ଥାପନ କରାଯାଏ। ମୂଳରୁ ଆମ ଦେଶ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ନୀତି କରିଆସିଛି। ହେଲେ ଏହି ସରକାର ଦାୟିତ୍ବ ନେବା ଦିନଠାରୁ ସଂଖ୍ୟାଲଘୁଙ୍କ ପ୍ରତି ଘୃଣାର ବାତାବରଣ ସୃଷ୍ଟି କରିବା ଫଳରେ ବହୁ ପଡ଼ୋଶୀ ରାଷ୍ଟ୍ର ଭାରତକୁ ଏକଘରିକିଆ କରିବାରେ ଲାଗିପଡ଼ିଛନ୍ତି। ଦେଶବାସୀ ସବୁ ବୁଝିପାରିଲେଣି। ବିଜେପି ବି ଜାଣିଲାଣି ଯେ ଧର୍ମକୁ ନେଇ ତା’ର ପୁରୁଣା ଚାଲ୍ ଆଉ କାମ କରୁନାହିଁ। ତେଣୁ ଏବେ ଏସବୁ ନାଟକବାଜି ଚାଲିବ। ହେଲେ ଏସବୁର ଉଦ୍ଦେଶ୍ୟ ମଧ୍ୟ ଲୋକେ ଠିକ୍ ବୁଝିପାରିବେ।
ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ

odishatime.com

ହାତ ମିଳାଇଲେ କ’ଣ ସେମାନେ ତାଙ୍କର ପ୍ରକୃତି ଛାଡ଼ିବେ?
ହାତ ମିଳାଇଥିଲେ ଭୁଲ ବାର୍ତ୍ତା ଯାଆନ୍ତା। ଆତଙ୍କ ବନ୍ଦ ହେଲେ ଯୋଉ ଦେଶକୁ ଖରାପ ଲାଗୁଛି, ସେଇ ଦେଶକୁ ଗୁରୁତ୍ବ ନ ଦେବା ଭଲ। ଯଦି ହାତ ମିଳାଇବାର କିଛିଦିନ ପରେ ସେମାନେ ତାଙ୍କ ଚିରାଚରିତ ଢଙ୍ଗରେ ଭାରତକୁ ଆକ୍ରମଣ କରନ୍ତେ, କେନ୍ଦ୍ର ସରକାରଙ୍କୁ ଅଧିକ ସମାଲୋଚନା ହୁଅନ୍ତା। ତେବେ ଉଭୟ ଦେଶ ସହ ବିବାଦ ବଢ଼ାଇବାକୁ ମଧ୍ୟ ଭାରତ ଚାହିବ ନାହିଁ। ଏମିତିରେ ପାକିସ୍ତାନ ଭଳି ଏକ କାଙ୍ଗାଳ ରାଷ୍ଟ୍ର ସହ ଭାରତ କାହିଁକି ଲଢ଼ିବ? ଭାରତ ଶାନ୍ତି ଚାହେ; ହେଲେ ସେମାନେ ଯଦି ନ ଚାହିବେ, ସେମାନଙ୍କ ପ୍ରତି କାହିଁକି ନରମ ହେବା? ୨୦୧୪ରେ ନିଜ ଶପଥ ଗ୍ରହଣ ଉତ୍ସବକୁ ମୋଦୀ ତତ୍କାଳୀନ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ଶେରିଫଙ୍କୁ ଡାକିଥିଲେ। ସେହିପରି ‌ଆଉଥରେ ମଧ୍ୟ ବିଦେଶ ଗସ୍ତରୁ ଫେରିବା ବାଟରେ ମୋଦୀ ପାକିସ୍ତାନରେ ଅବତରଣ କରି ଶାନ୍ତିପ୍ରତିଷ୍ଠାର ମାର୍ଗ ଖୋଲିଥିଲେ। ଏମିତିରେ ବି ଶେରିଫ ଭ୍ରାତା ଭାରତ-ବିରୋଧୀ ନୁହନ୍ତି। ବରଂ ଇମ୍ରାନ୍ ଅଧିକ ଭାରତ-ବିରୋଧୀ। ପୂର୍ବତନ ପାକ୍ ସେନାମୁଖ୍ୟ ବାଜ୍‌ୱା ୨୦୨୧ରେ ସେବାନିବୃତ୍ତ ହେବା ପରେ କହିଥିଲେ, ଭାରତ ସହ ଲଢ଼ିବା ପାଇଁ ପାକିସ୍ତାନର ସାମର୍ଥ୍ୟ ନାହିଁ। ଏହି କଥାକୁ ଦେଶର ଜଣେ ଆଗଧାଡ଼ିର ସାମ୍ବାଦିକ ହମିଦ ମୀର ପ୍ରଘଟ କରିବା ପରେ ଦେଶରେ ନୈରାଶ୍ୟ ଖେଳିଯାଇଥିଲା। ସମ୍ଭବତଃ ଦେଶବାସୀଙ୍କୁ ଏପରି ହୀନମନ୍ୟତାରୁ ମୁକୁଳାଇବା ପାଇଁ ବାଜୱାଙ୍କ ନିଜ ଲୋକ ତଥା ଏବର ସେନାମୁଖ୍ୟ ଜେନେରାଲ ଅସୀମ ମୁନିର (ବାଜୱାଙ୍କ ଅମଳରେ ମୁନିର ତାଙ୍କ ଆଇଏସ୍‌ଆଇ ମୁଖ୍ୟ ଥିଲେ) କହୁଛନ୍ତି, ଆମେ ଲଢ଼ିପାରିବୁ। ଏହା କେବଳ ବାହାସ୍ ଫୋଟ। ଯେଉଁ ଦେଶରେ ମୁଦ୍ରାସ୍ଫୀତି ୩୬ ଧରିଲାଣି, ଯେଉଁ ଦେଶ ଆଇଏମ୍‌ଏଫଠୁ ୬୦୦ କୋଟି ଡଲାରର ଋଣ ପାଇଁ ବିକଳ ହେଉଛି, ଯେଉଁ ଦେଶ ୟୁଏଇ, ସାଉଦି ଆରବ ଆଦି ଦେଶରୁ ୨୦୦ କୋଟି ଡଲାର ପାଇଲେ ଚଳିପାର, ସେ ଦେଶ ସହ ବିବାଦ କାହିଁକି ରହିବ?
ଖାରବେଳ ସ୍ବାଇଁ, ବରିଷ୍ଠ ବିଜେପି ନେତା ଓ ପୂର୍ବତନ ଲୋକସଭା ସାଂସଦ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।