ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭୁଶୁଡ଼ିବ ଆମେରିକା ଅର୍ଥନୀତି! ଶେଷ ହେବାକୁ ବସିଲାଣି ପାଣ୍ଠି

ୱାସିଂଟନ: ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଚିତ ଆମେରିକା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସରକାରୀ ପାଣ୍ଠି ସରିବାକୁ ବସିଲାଣି। ନୂଆ ପାଣ୍ଠି ସଂଗ୍ରହ ପାଇଁ ସଂସଦ (କଂଗ୍ରେସ)ର ଅନୁମତି ଦରକାର ଥିବା ବେଳେ ସରକାର ଓ ବିରୋଧୀ ଦଳ ମଧ୍ୟ‌ରେ ବିବାଦ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ। ଏହାର ଶୀଘ୍ର ସମାଧାନ ନହେଲେ ଆମେରିକାର ଅର୍ଥନୀତି ଭୁଶୁଡ଼ି ପଡ଼ିବାକୁ ବେଶି ସମୟ ଲାଗିବ ନାହିଁ। ଏଭଳି ପରିସ୍ଥିତି ସୃଷ୍ଟି ହେଲେ ସାରା ବିଶ୍ବର ଅର୍ଥନୀତି ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆମେରିକାରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଦେବାଳିଆ ହେବାରେ ଲାଗିଥିବା ବେଳେ ପାଣ୍ଠି ସଙ୍କଟ ପରିସ୍ଥିତିକୁ ଜଟିଳ କରି ପକାଇଛି।

ଆମେରିକା ହେଉଛି ବିଶ୍ବ ଅର୍ଥନୀତିର ମୂଳ କେନ୍ଦ୍ର। ଏହା ଉପରେ ବିଶ୍ବର ଅଧିକାଂଶ ଦେଶ ଓ ବିଶ୍ବସ୍ତରୀୟ ସଂସ୍ଥା ନିର୍ଭରଶୀଳ। ଏହା ବିଭିନ୍ନ ଦେଶକୁ ଆର୍ଥିକ ଓ ସାମରିକ ସହାୟତା ପ୍ରଦାନ କରୁଛି। ବିଶ୍ବବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍), ଜାତିସଂଘ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଦି ଅନେକ ସଂସ୍ଥା ଆମେରିକୀୟ ସହାୟତା ଉପରେ ନିର୍ଭର କରିଥାନ୍ତି। ଯଦି ଆମେରିକାରେ ଆର୍ଥିକ ସଙ୍କଟ ଦେଖାଦେବ, ଏହା ଉପରେ ନିର୍ଭରଶୀଳ ଥିବା ସବୁ ଦେଶ ଓ ସଂଗଠନ ଦୁର୍ବଳ ହେଇପଡ଼ିବ ଯାହା ସାରା ବିଶ୍ବରେ ଘୋର ଅସ୍ଥିରତା ସୃଷ୍ଟି କରିବ। ଆମେରିକାରୁ ଆର୍ଥିକ ସହାୟତା ପାଉଥିବା ଗରିବ ଦେଶଗୁଡ଼ିକରେ କ୍ଷୁଧା, ଅନାହାର ଓ ଦାରିଦ୍ର୍ୟ ବଢ଼ିଯିବ। ବିଶ୍ବ ସ୍ତରରେ ଷ୍ଟକ ବଜାର ଭୁଶୁଡ଼ି ପଡ଼ିବ। ବ୍ୟାଙ୍କଗୁଡ଼ିକ ଦୁର୍ବଳ ହୋଇପଡ଼ିବେ। ସମସ୍ୟା ସୃଷ୍ଟି ହୋଇଛି ଖୋଲା ବଜାରରୁ ଋଣ ଉଠାଣକୁ ନେଇ। ବିଭିନ୍ନ ଖର୍ଚ୍ଚ ଲାଗି ସରକାର ଖୋଲା ବଜାରରୁ ଋଣ ଉଠାଇଥାଆନ୍ତି।

ତେବେ ଏହି ଋଣ ଉଠାଣ ପାଇଁ ସୀମା ଧାର୍ଯ୍ୟ ହୋଇଥାଏ। ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ଏହି ଋଣ ସୀମା ବୃଦ୍ଧି କରନ୍ତି। ଏହା ଏକ ନିୟମିତ ଏବଂ ଆଇନଗତ ପ୍ରକ୍ରିୟା। ତେବେ ସୀମା ବୃଦ୍ଧି ଲାଗି ଆମେରିକୀୟ କଂଗ୍ରେସ ବା ସଂସଦର ଅନୁମତି ଦରକାର। ରାଷ୍ଟ୍ରପତି ବାଇଡେନଙ୍କ ଡେମୋକ୍ରାଟିକ ଦଳ ଏଥିପାଇଁ ପ୍ରସ୍ତାବ ଆଗତ କରିଛି। କିନ୍ତୁ ବିରୋଧୀ ରିପବ୍ଲିକାନ ପାର୍ଟି ଏଥିରେ‌ ପ୍ରତିବନ୍ଧକ ହୋଇଛି। ଏହି ପ୍ରସ୍ତାବକୁ ସମର୍ଥନ କରିବା ଲାଗି ସେମାନେ କେତେକ ସର୍ତ୍ତ ଆରୋପ କରିଛନ୍ତି। ଯାହାକୁ ରାଷ୍ଟ୍ରପତି ବାଇଡେନ ଗ୍ରହଣ କରିବାକୁ ନାରାଜ। ରାଷ୍ଟ୍ରପତି ବାଇଡେନ୍‌ ରିପବ୍ଲିକାନ୍ ହାଉସ୍‌ର ବାଚସ୍ପତି କେଭି ମ୍ୟାକ୍‌କାର୍ଥି, ଡେମୋକ୍ରାଟିକ୍ ନେତା ହକିମ୍ ଜେଫ୍ରିଜ୍‌, ସିନେଟ୍‌ର ସଂଖ୍ୟାଗରି‌ଷ୍ଠ ନେତା ଚୁକ୍ ସୁମର ଓ ରିପବ୍ଲିକାନ୍ ନେତା ମିଚ୍‌ ମ୍ୟାକୋନେଲ୍‌ଙ୍କୁ ଡାକି ଆ‌ଲୋଚନା କରିଛନ୍ତି। ରିପବ୍ଲିକାନ୍ ସର୍ତ୍ତ ରଖିଛନ୍ତି ଯେ ଗରିବମାନଙ୍କ କଲ୍ୟାଣ ପାଇଁ ଯେଉଁସବୁ ସ୍କିମ୍ ରହିଛି ସେଥିରେ ଖର୍ଚ୍ଚକାଟ୍ କରାଯାଉ। କିନ୍ତୁ ଏହି ସର୍ତ୍ତ ଗ୍ରହଣୀୟ ନୁହେଁ ବୋଲି ବାଇଡେନ ରୋକଠୋକ୍ ଶୁଣାଇ ଦେଇଛନ୍ତି। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଏହାର ସମାଧାନ ବାଟ ବାହାରି ପାରୁନି।
ବର୍ତ୍ତମାନ ସରକାରଙ୍କ ପାଖରେ ଯେତିକି ନଗଦ ରହିଛି ତାହା ଧୀରେ ଧୀରେ ଶେଷ ହେବାରେ ଲାଗିଛି।

ଋଣ ସୀମାକୁ ବଢ଼ାଇବାରେ ସରକାର ଅସମର୍ଥ ହେଲେ ଆମେରିକା ପାଖରେ ଥିବା ସବୁ ନଗଦ ଅର୍ଥ ଜୁନ୍ ୧ ସୁଦ୍ଧା ଶେଷ ହୋଇଯିବ। ସରକାର ଆଉ କୌଣସି ଦେୟ ଦେଇପାରିବେ ନାହିଁ ବୋଲି ଆମେରିକାର ଟ୍ରେଜେରି ସଚିବ ଜାନେଟ୍‌ ୟାଲେନ୍ କହିଛନ୍ତି। ସେ କଂଗ୍ରେସକୁ ଏକ ଚିଠି ଲେଖି ସ୍ଥିତିର ଗମ୍ଭୀରତା ବିଷୟରେ ଜଣାଇଛନ୍ତି। ଆମେରିକା ଋଣ ଖିଲାପ କରିବାର ଏକ ସମ୍ଭାବ୍ୟ ତାରିଖକୁ ଯଦିଓ ୟାଲେନ୍‌ ଜଣାଇଛନ୍ତି, କିନ୍ତୁ ତା’ପୂର୍ବରୁ ଯେକୌଣସି ସମୟରେ ଏହି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେ ଚେତାଇ ଦେଇଛନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ ଯଦି ଆମେରିକା ଋଣ ଖିଲାପ କରିବ କିମ୍ବା ନିଜ ଉପରେ ଥିବା ଆର୍ଥିକ ଦାୟିତ୍ବକୁ ନିର୍ବାହ କରିବାରେ ବିଫଳ ହେ‌ବ, ତେବେ ଗୋଟିଏ ଝଟ୍‌କାରେ ୭୦ ଲକ୍ଷ ଚାକିରି ଚାଲିଯିବ। ଆମେରିକାର ଅଭିବୃଦ୍ଧି ହ୍ରାସ ପାଇବ ଯାହା ବିଶ୍ବ ଅର୍ଥନୀତିକୁ ତଳକୁ ଟାଣିବ।

୨୦୨୧ରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଋଣ ସୀମାକୁ ବଢ଼ାଇବା ଲାଗି ଛକାପଞ୍ଝା ଲାଗି ରହିବାରୁ ଆମେରିକା ଋଣ ଖିଲାପର ଦ୍ବାରଦେଶରେ ପହଞ୍ଚିଯାଇଥିଲା। ସେହି ବର୍ଷ ଆମେରିକାର ରେଟିଂକୁ ହ୍ରାସ କରାଯାଇଥିଲା। ଏଥର ଏହି ପ୍ରସଙ୍ଗରେ ମୂଲଚାଲ ଆହୁରି ଜଟିଳ ହେବ ବୋଲି ଅନୁମାନ କରାଯାଉଛି। ବିନା କୌଣସି ଆଲୋଚନାରେ ଋଣ ସୀମା ବଢ଼ୁ ବୋଲି ବାଇଡେନ୍ ଚାହୁଛନ୍ତି। କିନ୍ତୁ ରିପବ୍ଲିକାନ୍ ସଦସ୍ୟମାନେ କହିଛନ୍ତି ଯେ ପ୍ରଥମେ ଖର୍ଚ୍ଚ କାଟ କରାଯାଉ, ତା’ପରେ ଋଣ ସୀମା ବଢ଼ିବ। ଯଦି ଉଭୟ ପକ୍ଷରେ ଏଭଳି ମତାନ୍ତର ଲାଗି ରହିବ ତେବେ ଋଣ ସୀମା ବଢ଼ାଇବା କଷ୍ଟକର ହୋଇପଡ଼ିବ।
ସୂଚନାଯୋଗ୍ୟ ଯେ ଆମେରିକା ଅର୍ଥନୀତି ଜଟିଳ ସ୍ଥିତି ଦେଇ ଗତି କରୁଛି। ସେଠାରେ ସରକାରଙ୍କ ବ୍ୟୟ ତୁଳନାରେ ଆୟ କମ୍ ରହିଛି। ସେଥିପାଇଁ ବିତ୍ତୀୟ ନିଅଣ୍ଟ ଉଚ୍ଚ ସ୍ତର‌ରେ ରହିଛି। ଆୟ କମ୍ ରହୁଥିବାରୁ ବୈଧାନିକ ଦାୟିତ୍ବଗୁଡ଼ିକୁ ନିର୍ବାହ କରିବା ଲାଗି ଆମେରିକା ସରକାରଙ୍କୁ ଋଣ ଉପରେ ନିର୍ଭରଶୀଳ ରହିବାକୁ ପଡ଼ୁଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଆମେରିକାର ବିତ୍ତୀୟ ନିଅଣ୍ଟ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଆଗକୁ ଖର୍ଚ୍ଚ ତୁଲାଇବା ଲାଗି ଆମେରିକାକୁ ୭୨,୬୦୦ କୋଟି ଡଲାର ଋଣ ଦରକାର ଯାହା ଜାନୁଆରିରେ ଦିଆଯାଇଥିବା ପ୍ରସ୍ତାବ ତୁଳନାରେ ୪୪,୯୦୦ କୋଟି ଡଲାର ଅଧିକ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ