କଟକ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସ୍ଥାୟୀ ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାରେ ପ୍ରତିଷ୍ଠା ପ୍ରସଂଗକୁ ନେଇ ଦାୟର ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ମୁଖ୍ୟ କାର୍ଯ୍ୟାଳୟ କେଉଁ ସ୍ଥାନରେ ହେବ ସେ ନେଇ ପରିଷଦର ସଦସ୍ୟମାନେ ସହମତି ଆଧାରରେ ନିଷ୍ପତ୍ତି ନେଇ ପାରିବେ ବୋଲି ଆଇନରେ ବ୍ୟବସ୍ଥା ରହିଛି। ୨୦୨୧, ଡିସେମ୍ବର ୨୭ରେ ମୁଖ୍ୟ କାର୍ଯ୍ୟାଳୟ ପରିଷଦ ଅନ୍ତର୍ଗତ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ କରିବାକୁ ନେଇ ସଦସ୍ୟଙ୍କ ମଧ୍ୟରେ ସହମତି ହୋଇ ପାରି ନଥିଲା। ଭୁବନେଶ୍ବର ଠାରେ ପରିଷଦର କାର୍ଯ୍ୟାଳୟ ତିନି ବର୍ଷ ପର୍ଯ୍ୟନ୍ତ ପୂର୍ବଭଳି ଚାଲିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ସରକାରଙ୍କ ତରଫରୁ ହାଇକୋର୍ଟରେ ଆଜି ଏଭଳି ତଥ୍ୟ ଉପସ୍ଥାପନ କରାଯାଇଥିଲା।
ଅନ୍ୟପକ୍ଷରେ ଆଇନ ଅନୁସାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସ୍ଥାୟୀ କାର୍ଯ୍ୟାଳୟ ପରିଷଦ ଅନ୍ତର୍ଗତ ଅଞ୍ଚଳରେ ହେବା କଥା ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ ରହିବା ଯୁକ୍ତିଯୁକ୍ତ ନୁହେଁ। ମୁଖ୍ୟ କାର୍ଯ୍ୟାଳୟ କେଉଁ ସ୍ଥାନରେ ହେବ ସେ ନେଇ ପରିଷଦର ସଦସ୍ୟଙ୍କ ସହମତି ଆଧାରରେ ନିଷ୍ପତ୍ତି ନିଆଯାଇ ପାରିବ ବୋଲି ଆଇନରେ ବ୍ୟବସ୍ଥା ଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ହାଇକୋର୍ଟ ମୁଖ୍ୟ ସଚିବଙ୍କ ୨୦୨୩, ଫେବ୍ରୁଆରି ୨୩ର ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହରିପ୍ରିୟା ପଟେଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ପୂର୍ବରୁ ଆବେଦନକାରୀ ଏହି ପ୍ରସଂଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ପ୍ରସଂଗରେ ବିଚାର କରି ନିଷ୍ପତ୍ତି ନେବାକୁ ମୁଖ୍ୟ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ସଚିବ ଆବେଦନକାରୀଙ୍କ ସ୍ମାରକପତ୍ରକୁ ଗତ ଫେବ୍ରୁଆରି ମାସରେ ଖାରଜ କରିବା ସେ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।