ଦେଶ ବିଦେଶ

ଗାନ୍ଧୀବାଦୀ ନିଶାକର ଦାସଙ୍କ ପରଲୋକ: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ

କୋରାପୁଟ/ଯାଜପୁର: ବର୍ଷୀୟାନ୍‌ ଗାନ୍ଧୀବାଦୀ ନେତା ତଥା ଭୂଦାନ ଆନ୍ଦୋଳନର ପୁରୋଧା ନିଶାକର ଦାସ (୧୦୨ବର୍ଷ)ଙ୍କ ପରଲୋକ ହୋଇଛି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ କୁଲାବିର ପଞ୍ଚାୟତ ସଦର ମହକୁମାସ୍ଥିତ ବାସଭବନରେ ମଙ୍ଗଳବାର ସକା‌ଳ ସାଢ଼େ ୫ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଲାବିର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

୧୯୨୧ମସିହା ମାର୍ଚ୍ଚ ମାସ ୨୦ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍‌ ସିଙ୍ଗିପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ନିଶାକର। କିଶୋର ବୟସରେ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ତେଣୁ ୧୯୩୪ ମସିହାରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ ସମୟରେ ଗାନ୍ଧୀଙ୍କ ବାନର ସେନାରେ ସାମିଲ ହୋଇ ସଭାରେ ରାମଧୁନ୍‌ ଗାଇଥିଲେ। ବିନୋବା ଭାବେ ଭୂଦାନ ସଂଗ୍ରହ ପାଇଁ ୧୯୫୫ ମସିହାରେ ପଦଯାତ୍ରାରେ ଓଡ଼ିଶା ଆସିବା ବେଳେ ସେ ବାଲେଶ୍ୱରର ଲକ୍ଷ୍ମଣନାଥଠାରୁ ଆନ୍ଧ୍ରପ୍ରଦେଶରେ ପ୍ରବେଶ ଯାଏ ତାଙ୍କ ସହଯାତ୍ରୀ ଥିଲେ। ଗ୍ରାମଦାନ ଆନ୍ଦୋଳନ ଆରମ୍ଭ ହେବାପରେ ସେ ଯାଜପୁର ଛାଡ଼ି କୋରାପୁଟର ନନ୍ଦପୁର ବ୍ଲକ୍‌ କୁଲାବୀର ଗ୍ରାମରେ ଆଶ୍ରମ ନିର୍ମାଣ କରି ଗାଁଗାଁରେ ଗ୍ରାମସଭା, ଗ୍ରାମପାଣ୍ଠି ଗଢ଼ିଥିଲେ। ସରଳା ଦେବୀ, ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ପଣ୍ଡିତ କୃପାସିନ୍ଧୁ ହୋତା, ଗୁଣନିଧି ମହାନ୍ତି, ବିଶ୍ୱନାଥ ପଟ୍ଟନାୟକ, ଈଶ୍ୱରଲାଲ ବ୍ୟାସ, ଅନ୍ନପୂର୍ଣ୍ଣା ମହାରଣା ଆଦି ସର୍ବୋଦୟ ଆନ୍ଦୋଳନର ବିଶିଷ୍ଟ ବ୍ୟକ୍ତିମାନଙ୍କର ସେ ଘନିଷ୍ଠ ସହଯୋଗୀ ଥିଲେ। ଆଚାର୍ଯ୍ୟ ହରିହର ଦାସଙ୍କ ଓଡ଼ିଶାବ୍ୟାପୀ ପଦଯାତ୍ରାରେ ସେ ତାଙ୍କର ସହଯାତ୍ରୀ ରହିଥିଲେ। ୧୦୨ ବର୍ଷ ବୟସରେ ସ୍ୱରାଜ୍ୟ ସଙ୍ଗୀତ ଗାନ କରିବା ସହ କୋରାପୁଟ ଜିଲ୍ଲାର ଗାଁଗାଁରେ ଗ୍ରାମ ସ୍ୱରାଜ୍ୟର ବାର୍ତ୍ତା ପ୍ରଚାର କାମରେ ଲାଗିଥିଲେ।

ହେଲେ , ବହୁ ତ୍ୟାଗ ଏବଂ ବଳିଦାନ ସତ୍ତ୍ବେ ତାଙ୍କୁ ସ୍ବାଧୀନତା ସଂଗ୍ରାମୀ ଆଖ୍ୟା ଦିଆଯାଇ ନଥିଲା। ଏ ନେଇ ବାରମ୍ବାର ଦାବି ଏବଂ ଅନୁରୋଧ ସତ୍ତ୍ବେ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୁଣ୍ଠାବୋଧ କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଝାଟିମାଟି ଘରେ ରହୁଥିବାରୁ ପକ୍କା ଘର ଖଣ୍ଡିଏ ଯୋଗାଇ ଦେବାକୁ ଅନେକ ଥର ବ୍ଲକ୍‌ ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ତଥାପି ଏଥିପ୍ରତି କେହି ଆଗ୍ରହ ଦେଖାଇନଥିଲେ। ଯାହାକୁ ସେ ନିଜ ଆତ୍ମଜୀବନୀ ‘ଖରସୁଆଁରୁ କୁଲାବିର’ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ଆଜି ଏହି ଗାନ୍ଧୀବାଦୀ ନେତାଙ୍କ ପରଲୋକ ଖବର ପ୍ରଚାର ହେବାପରେ ରାଜ୍ୟ ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ଉପଜିଲ୍ଲାପାଳ ବେଣୁଧର ଶବର, ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ର, ନନ୍ଦପୁର ତହସିଲଦାର ନରସିଂହ ଗାଦବା, ବିଡିଓ ସୁଜିତ କୁମାର ମିଶ୍ର, ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ, କୋରାପୁଟ ଓ ପାଡୁଆ ଥାନାର ସେରିମୋନିଆଲ ପୁଲିସ ଦଳ ଶେଷ ସମ୍ମାନ ଜଣାଇଥିଲେ। ଶେଷ ସମୟରେ ନିକଟରେ ୩ ପୁଅ ଶଶିକାନ୍ତ, ସୁଶାନ୍ତ ଓ ପ୍ରଶାନ୍ତ, ୨ଝିଅ ସଞ୍ଜୁ ଓ ମଞ୍ଜୁ, ଜ୍ୱାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ। ସ୍ଥାନୀୟ ରାଜନେତା, ବୁଦ୍ଧିଜୀବୀ, ଶତାଧିକ ଗ୍ରାମବାସୀ ଶେଷଦର୍ଶନ କରିବା ସହ ଶେଷଯାତ୍ରାରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ନନ୍ଦପୁର ବ୍ଲକ୍‌ର ଡାବାସପୁଟ, ମାଳିଭୀମଡଲ ଓ ବନମାଳୀପୁଟ ଗ୍ରାମକୁ ସମ୍ପୂର୍ଣ ନିଶାମୁକ୍ତ ଗ୍ରାମ ଘୋଷଣା କରିବାରେ ନିଶାକର ଦାସ ପ୍ରମୁଖ ଭୂମିକା ନିଭେଇଥିଲେ। ତାଙ୍କ ମାର୍ଗଦର୍ଶନରେ ନାରାୟଣ ପଣ୍ଡା ସ୍ମୃତି ସାହିତ୍ୟ ସଂସଦ ପକ୍ଷରୁ ନିଶାମୁକ୍ତି ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ