ଜୟପୁର: ଜୟପୁର ଉପକାରାଗାରରେ ଏକ ଗଂଜେଇ ଚୋରା ଚାଳାଣ ମାମଲାରେ ବିଚାରାଧୀନ ଅନ୍ତେବାସୀ ହାଇକୋର୍ଟରୁ ୬ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇଥିଲେ। ୬ସପ୍ତାହ ସରିବା ପରେ ଅନ୍ତେବାସୀ ଜଣକ ବିଚାରବିଭାଗୀୟ ହାଜତକୁ ଫେରିବା କଥା।କିନ୍ତୁ ସେ ଆଉ ଫେରି ନଥିଲେ। ଏ ନେଇ ମାନ୍ୟବର ହାଇକୋର୍ଟର ନିର୍ଦ୍ଦେଶରେ ଜୟପୁର ସଦରଥାନାରେ ଆଉ ଗୋଟିଏ ମାମଲା ରୁଜୁ କରାଯାଇଥିଲା। ଏଠାରୁ ଜଣେ ସବଇନିସପେକ୍ଟରଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଅଭିଯୁକ୍ତ ପଳାତକଙ୍କ ରାଜସ୍ଥାନ ଜିଲ୍ଲାର ଡୁଡୁବା ଗାଁରେ ଚଢ଼ାଉ କରି ତାଙ୍କୁ ଗିରଫ କରି ଏଠାକୁ ଆଣିଥିଲେ। ଆଜି ଉକ୍ତ ପଳାତକ ଅଭିଯୁକ୍ତ ମହେନ୍ଦ୍ର ସିଂଙ୍କୁ ସ୍ବତନ୍ତ୍ର ଜଜ୍ ତଥା ସେସନସ୍ ଜଜଙ୍କ କୋର୍ଟକୁ ଚାଳାଣ କରାଯାଇଛି ବୋଲି କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।
ସୁଚନା ଅନୁଯାୟୀ, ଜୟପୁର ସଦରଥାନା ଆଇଆଇସି ଇଶ୍ବର ତାଣ୍ଡିଙ୍କ ନିର୍ଦେଶରେ ପାତ୍ରପୁଟ ଠାରେ ଗତ୨୦୨୨ମସିହା ଜୁନ ୧୮ତାରିଖ ଦିନ ଜାତୀୟ ରାଜପଥ ୩୨୬କୁ ବ୍ଲକିଂ କରି ସବଇନିସପେକ୍ଟର ରାଜକିଶୋର ବାରିକ ଯିବା ଆସିବା ଯାନ ବାହନକୁ ଯାଂଚ କରୁଥିଲେ। ମାଲକାନଗିରୀ ପଟରୁ ଗୋଟିଏ କଣ୍ଟେନର ଟ୍ରକ ନଂ ଆରଜେ-୧୮ଜିବି୪୧୪୫ ଆସିଥିଲା। ଏହାର କାଗଜପତ୍ର ଯାଂଚ କରିବା ସହ କଣ୍ଟେନରର କବାଟ ଖୋଲିବା ସମୟରେ ସେଥିରେ ୫୦ରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ଡ୍ରମ, ୨ଟି ଧଳା ପାଣି ଟ୍ୟାଙ୍କ ରହିଥିଲା। ଏହାକୁ ଦେଖିବା ପରେ ପୁଲିସକୁ ସଂଦେହ ପ୍ରକାଶ ପାଇଥିଲା। ଗାଡିରେ ୪ଜଣ ରହିଥିବା ବେଳେ ସେମାନଙ୍କର କଥାର ତାଳମେଳ ରହୁନଥିଲା। ପରେ ପୁଲିସ କଣ୍ଟେନର ଯାଂଚ କରିବାରେ ସେଥିରେ ଗଂଜେଇ ରହିଥିବା ଦେଖିଥିଲା।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଂଜେଇକୁ ଓଜନ କରାଯିବାରେ ଏହା ୬୪୭କିଲୋ ରହିଥିଲା। ପୁଲିସ ଏହାକୁ ଜବତ କରିଥିଲା। ଅଭିଯୁକ୍ତ ମାନେ ଆନ୍ଧ୍ର ସୀମାନ୍ତ ମାଲକାନଗିରୀ ଅଂଚଳରୁ ଏହି ଗଂଜେଇକୁ ରାଜସ୍ଥାନ ନେଉଥିବା ପୁଲିସ ନିକଟରେ ସ୍ବୀକାର କରିଥିଲେ। ଏହି ଚାଳାଣରେ ଟ୍ରକର ମାଲିକ ରାଜସ୍ଥାନର ଝୁନଝୁନ୍ ଜିଲ୍ଲା ଅର୍ନ୍ତଗତ ପିଲାନି ଥାନାର ମହେନ୍ଦ୍ର ସିଂ, ବିହାର ବକ୍ସର ଜିଲ୍ଲାର ରିହାନର କ୍ରୀଷ୍ଣ କୁମାର, ବୋଇନାଥ ରାମ ଓ ସିୱାନ ଜିଲ୍ଲା ଗୋଡିଆକୋଟି ଥାନା ଅଂଚଳର ସମିମ୍ ଅହମ୍ମଦଙ୍କୁ ପୁଲିସ ଗିରଫ କରିଥିଲା। ଏମାନଙ୍କ ନିକଟରୁ ୬୪ଲକ୍ଷ ୭୦ହଜାର ଟଙ୍କାର ଗଂଜେଇ, ୧୦ଲକ୍ଷ ଟଙ୍କାର କଣ୍ଟେଇନର ଟ୍ରକ ଓ ୨୦ହଜାର ଟଙ୍କା ଓ ୨ଟି ମୋବାଇଲ୍ ଜବତ କରିଥିଲେ। ଏହି ଚାରି ଅଭିଯୁକ୍ତଙ୍କୁ ୧୯ତାରିଖ ଦିନ କୋର୍ଟକୁ ଚାଳାଣ କରିଥିଲେ।
୪ଅଭିଯୁକ୍ତ ବିଚାରବିଭାଗୀୟ ହାଜତରେ ରହିଥିଲେ। ଅଭିଯୁକ୍ତ ମହେନ୍ଦ୍ରଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବା ଦର୍ଶାଇ ହାଇକୋର୍ଟରେ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରାଯାଇଥିଲା। ହାଇକୋର୍ଟ ଗତ ୨୦୨୨ମସିହା ଡିସେମ୍ବର ୧୬ତାରିଖ ଦିନ ୬ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଦେଇଥିଲେ। ୬ସପ୍ତାହ ପରେ ଅଭିଯୁକ୍ତ ଜଣକ ନିଜେ ବିଚାରବିଭାଗୀୟ ହାଜତକୁ ଯାଇ ଆତ୍ମସର୍ମପଣ କରିବାକୁ ନିର୍ଦେଶ ଦେଇଥିଲେ। ଅଭିଯୁକ୍ତ ଜଣକ ପେବୃଆରୀ ପ୍ରଥମ ସପ୍ତାହରେ ବିଚାରବିଭାଗୀୟ ହାଜତକୁ ଯିବା କଥା। କିନ୍ତୁ ସେ ନିର୍ଦ୍ଧାରିତ ତାରିଖରେ ନ ପହଚିଂବାରୁ ତାଙ୍କ ନାଁରେ ପୁଣି ହାଇକୋର୍ଟଙ୍କ ନିର୍ଦେଶରେ ସଦରଥାନାରେ ଆଉ ଗୋଟିଏ ପଳାତକ ମାମଲା ରୁଜୁ କରାଯାଇଥିଲା। ସବଇନିସପ୍ଟେର ଶ୍ରୀବାରିକଓ ଟିମକୁ ନେଇ ପଳାତକ ଅଭିଯୁକ୍ତ ମହେନ୍ଦ୍ରଙ୍କୁ ଗିରଫ କରି ଅଣାଯାଇଥିଲା।