ରାଜ୍ୟ

ଦୂର ହେଉନି ଚନ୍ଦନପୁରରେ ପାନୀୟ ଜଳ ସମସ୍ୟା, ପାଣି ପାଇଁ ଖରାରେ ଚାଲୁଛନ୍ତି ମହିଳା

ନିରାକାରପୁର : ଟାଙ୍ଗୀ ବ୍ଲକ୍‌ ରାମେଶ୍ୱରପଞ୍ଚାୟତ ଅଧୀନସ୍ଥ ୧୪ ନମ୍ବର ୱାର୍ଡରେ ଥିବା ଚନ୍ଦନପୁର ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର ହୋଇ ପାରୁନି। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏଠାରେ ଦୁଇ ବର୍ଷ ତଳେ ଏକ ବୋରିଂ କରାଯାଇ ପାଣି ଯୋଗାଇ ଦେବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ। ଏହି ଗ୍ରାମର ଲୋକସଂଖ୍ୟା ୫ଶହରୁ ଅଧିକ। ପାଣି ପାଇଁ ଗ୍ରାମବାସୀ ସଂପୂର୍ଣ୍ଣଭାବେ ମଲାଗୁଣୀ ନଦୀ ଉପରେ ନିର୍ଭର କରନ୍ତି। ନଦୀରୁ ସବୁଦିନ ପାଣି ଆଣିଲେ ସେମାନେ ତାହାକୁ ବ୍ୟବହାର କରିଥାନ୍ତି। କିନ୍ତୁ ଅଧିକାଂଶ ସମୟରେ ନଦୀ ଜଳ ଦୂଷିତ ଥିବାରୁ ତାହା ପନୀୟ ଉପଯୋଗୀ ନହେଲେ ମଧ୍ୟ ପିଇବାକୁ ଗ୍ରାମବାସୀ ବାଧ୍ୟ ହେଉଛନ୍ତି। ଗ୍ରୀଷ୍ମରେ ପ୍ରଚଣ୍ଡ ଖରାରେ ଲୋକେ ଅତି କଷ୍ଟରେ ନଦୀରୁ ପାଣି ଆଣୁଥିବାବେଳେ ବର୍ଷା ଦିନେ ବନ୍ୟା ଆସିଲେ ଗୋଳିଆ ପାଣି ପିଇବାକୁ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି।

ବାରମ୍ବାର ଗ୍ରାମବାସୀଙ୍କ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଗତବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟରେ ଗ୍ରାମ ଶ୍ମଶାନ ନିକଟରେ ଏକ ବୋରିଂ କରାଯାଇଥିଲା। ଏହାଦେଖି ଲୋକେ ବହୁବର୍ଷର ସମସ୍ୟା ସମାଧାନ ହୋଇଗଲା ବୋଲି ଆଶ୍ବସ୍ତ ହୋଇଥିଲେ। ହେଲେ ଯୋଜନାଟି ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରି ନାହିଁ। ଗ୍ରାମର ଦୁର୍ଯ୍ୟୋଧନ ପଲେଇ, ହରିହର ସ୍ୱାଇଁ ପ୍ରମୁଖ କହିଛନ୍ତି ଯେ ଏହି ବୋରିଂ କେବଳ ଏକ ପ୍ରହସନ ପାଲଟିଛି। ମଲାଗୁଣୀ ଦନୀରୁ ଜଳ ଆଣିବା ସହ ଗ୍ରାମରେ ଥିବା ଏକ ନଳକୂପ ଲୋକଙ୍କ ସାହାଭରସା ପାଲଟିଛି। ଏଥିରୁ ପିଇବାପାଣି ଟୋପେ ପାଇଁ ପ୍ରତିଯୋଗିତାମୂଳକଭାବେ ରାତି ଉଜାଗର ହେବାକୁ ପଡିଥାଏ ବୋଲି କେତକ ମହିଳା ଦୁଃଖ ବଖାଣିଥିଲେ। ତେଣୁ ଅନ୍ୟ ଉପାୟ ନପାଇ ଲୋକେ ସ୍ଥାନୀୟ ମଲାଗୁଣି ନଦୀବନ୍ଧରୁ ପ୍ରାୟ ୪୦ ଫୁଟ ତଳକୁ ଅତି ବିପଦପୂର୍ଣ୍ଣ ଅବସ୍ଥାରେ କାଖରେ ଓ ହାତରେ ଗରା, ବାଲ୍‌ଟି ଧରି ଯିବାଆସିବା ଦୃଶ୍ୟ ଦେଖିବାକୁ ମିଳିଛି।

ଗ୍ରାମବାସୀଙ୍କ ଏଭଳି ଦୟନୀୟ ଅବସ୍ଥାରେ ଦୁଇବର୍ଷ ତଳେ ଖାଲି ବୋରିଂଟିଏ କରି ପ୍ରଶାସନ ଗହନ ନିଦ୍ରାରେ ଶୋଇଛି। ଏହା କେବେ ଶେଷ ହେବ ତାହା ଅନିଶ୍ଚିତତା ଘେରରେ ରହିଛି। ରାମେଶ୍ୱର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରଞ୍ଜିତ ଜଗଦେବଙ୍କ ସହ ଆଜି କିଛି ଲୋକ ଏ ସଂପର୍କରେ ଆଲୋଚନା କରିବା ସହ ସରକାରୀ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।