ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ଆରମ୍ଭ ହେଲା ଜି-୨୦ ଜନଭାଗୀଦାରି କାର୍ଯ୍ୟକ୍ରମ

ଭୁବନେଶ୍ବର : ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶର ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବୈଠକମାନ ଆୟୋଜନ କରାଯାଉଛି। ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରାଯିବ। ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ନିମନ୍ତେ ଜନସଚେନତା ସୃଷ୍ଟି ଲାଗି ଆଜି ଉତ୍କଳ ଦିବସଠାରୁ ରାଜ୍ୟବ୍ୟାପୀ ଜନ-ଭାଗୀଦାରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଜନ-ଭାଗୀଦାରି ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତାକୁ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ପ୍ରାୟ ଏକ ମାସ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଜି-୨୦ ସମ୍ବନ୍ଧୀୟ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୩୫ରୁ ଅଧିକ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରୁଛନ୍ତି। ଜି୨୦କୁ ଜନଭାଗୀଦାରି ଆନ୍ଦୋଳନରେ ପରିଣତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଆଜି ପ୍ରଥମ ଦିନରେ ଆଇଆଇଟି ଭୁବନେଶ୍ୱର, ଆଇଆଇଏମ୍‌ ସମ୍ବଲପୁର, ଏନ୍‌ଆଇଟି ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ଶିକ୍ଷାନୁଷ୍ଠାନରେ ଜନ-ଭାଗୀଦାରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ନୋଡାଲ ଏଜେନ୍ସି ଭାବେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସାଇକେଲ ରୢାଲି ଏବଂ ପୋଷ୍ଟର ଉନ୍ମୋଚନ ହୋଇଥିଲା। ସେହିପରି ଏସ୍‌ଡିଆଇ ଭୁବନେଶ୍ୱର ପକ୍ଷରୁ ଯୋଗ ଶିବିର ଓ ଲୋଗୋ ଉନ୍ମୋଚନ କରାଯାଇଥିଲା। ଏଥିରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଏବଂ ଜନଭାଗୀଦାରି ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

କିଟ୍‌ ବିଶ୍ୱବିଦ୍ୟାଳୟଠାରେ ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ସମାବେଶୀ, ଗୁଣାତ୍ମକ ଓ ସହଭାଗୀ କରିବା ବିଷୟବସ୍ତୁକୁ ନେଇ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସ୍‌ଆଇଆର୍‌-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନଠାରେ ପ୍ରଭାତଫେରି କରାଯାଇଥିଲା। ମୁଖ୍ୟ ବୈଜ୍ଞାନିକ ଡକ୍ଟର ଏକେ ସାହୁ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏଥିରେ ପ୍ରତିଷ୍ଠାନର ବୈଜ୍ଞାନିକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ସମେତ ୧୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏହାର କ୍ୟାମ୍ପସ ପରିସରରେ ପ୍ରଭାତ ଫେରି ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ ଏହାକୁ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ଡିନ୍‌, ଡିଏମ୍ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରାୟ ୩୦୦ରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିଲେ। ଭୁବନେଶ୍ୱରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ କୋଣାର୍କସ୍ଥିତ ଜବାହର ନବୋଦୟ ବିଦ୍ୟାଳୟଠାରେ ଜି-୨୦ ଜନଭାଗୀଦାରି ବିଷୟବସ୍ତୁ ଉପରେ ଆଧାରିତ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସେହିପରି ଭୁବନେଶ୍ୱର ସ୍ଥିତ ବିଆଇଆଇଟିଏମ୍ ତଥା ଇସ୍ପାତ ନଗରୀ ରାଉରକେଲାସ୍ଥିତ ଏନ୍‌ଆଇଟି ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଜନଭାଗୀଦାରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଜି୨୦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷା ବିଭାଗର ଅଧିକାରୀ, ଜିଲ୍ଲା ସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱର ସିପେଟ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସମ୍ବଲପୁର ଆଇଆଇଏମ୍‌ ପକ୍ଷରୁ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଏବଂ ସମ୍ବଲପୁର ଜବାହର ନବୋଦୟ ବିଦ୍ୟାଳୟରେ ‘ଷ୍ଟାର୍ଟଅପ୍‌ ଏବଂ ଭବିଷ୍ୟତର କାର୍ଯ୍ୟ’ ସମ୍ପର୍କରେ ଏକ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ଆଇଆଇଏମ୍‌ର ଅଧ୍ୟାପକ, ଜେଏନ୍‌ଭିର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।