ରାଜ୍ୟ

କଳାକାର ବଞ୍ଚିଲେ ସିନା କଳା ବଞ୍ଚିବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବିଶ୍ବପ୍ରସିଦ୍ଧ ଛଉନୃତ୍ୟର ପ୍ରଚାର ପ୍ରସାର ପାଇଁ ଗତ ୩ ଦଶନ୍ଧି ଧରି ଉଦ୍ୟମ କରି ଆସୁଛନ୍ତି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ବଡ଼ଜାମବଣୀ ଗ୍ରାମର ବିଶିଷ୍ଟ ଛଉ ନୃତ୍ୟଗୁରୁ ତ୍ରିଲୋଚନ ମହାନ୍ତ। ପିଲାଦିନେ ମୁହଁରେ ରଙ୍ଗ ବୋଳି ଗାଁ ସାଙ୍ଗମାନଙ୍କ ସହ ଛଉନୃତ୍ୟ ପରିବେଷଣ କରୁଥିଲେ। ଯୁବବସ୍ଥାରୁ ପାଲଟିଗଲେ ନୃତ୍ୟଗୁରୁ। ତାଙ୍କର ଏହି ନିରନ୍ତର ସାଧନାକୁ ମିଳିଛି ସ୍ବୀକୃତି। ୨୦୨୦ ମସିହା ପାଇଁ ତାଙ୍କୁ ‌କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଛି। ଗତ ମାସ ୨୮ ତାରିଖରେ ଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଜଣେ କଳାକାର ଓ ନୃତ୍ୟଗୁରୁ ଭାବେ ତାଙ୍କ ଦୀର୍ଘବର୍ଷର ଯାତ୍ରା କେମିତି ଥିଲା, ସେ ସଂପର୍କରେ ‘ସମ୍ବାଦ’ ସହ ବାଣ୍ଟିଛନ୍ତି ନିଜ ଅନୁଭୂତି।

ଛଉନୃତ୍ୟ ସହ ଆପଣ ୪୪ ବର୍ଷରୁ ଅଧିକ ସମୟ ଧରି ଜଡ଼ିତ, କେମିତି ଆରମ୍ଭ ହୋଇଥିଲା ଏ ଯାତ୍ରା?
୭-୮ ବର୍ଷ ବୟସରୁ ନୃତ୍ୟ ଆରମ୍ଭ କରିଥିଲି। ‌ଲକ୍ଷ୍ମୀଧର ମହାନ୍ତ ଥିଲେ ମୋର ପ୍ରଥମ ଗୁରୁ। ୧୧ ବର୍ଷ ବୟସରେ ବାରିପଦା ଯାଇ ୧୯୮୨ରୁ ୧୯୮୬ ଯାଏ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଖୋଲା ଯାଇଥିବା ଟ୍ରେନିଂ ସେଣ୍ଟରରେ ରହି ନୃତ୍ୟଶିକ୍ଷା କଲି। ୧୯୮୬ରୁ ବାରିପଦା ଉତ୍ତର ସାହି ଛଉନୃତ୍ୟ ପ୍ରତିଷ୍ଠାନରେ କଳାକାର ଭାବେ ଯୋଗ ଦେଲି। ସେଠାରେ ଲାଲମୋହନ ପାତ୍ରଙ୍କଠାରୁ ନୃତ୍ୟଶିକ୍ଷା ଗ୍ରହଣ କଲି।

କଳାକାରରୁ ଗୁରୁ ହେଲେ କେମିତି?
୧୯୯୨-୯୩ ମସିହାର ବେଳର କଥା। ଛଉ ନୃତ୍ୟରେ ମହିଳା କଳାକାରଙ୍କ ଘୋର ଅଭାବ ଥିଲା। ପୁରୁଷମାନଙ୍କୁ ନାରୀ ଚରିତ୍ରରେ ଅଭିନୟ କରିବାକୁ ପଡ଼ୁଥିଲା। ତେଣୁ ଝିଅମାନଙ୍କୁ ବୁଝାସୁଝା କରି ନୃତ୍ୟଶିକ୍ଷା ଦେବାକୁ ଉତ୍ତର ସାହି ଛଉନୃତ୍ୟ ପ୍ରତିଷ୍ଠାନର ତତ୍କାଳୀନ ସମ୍ପାଦକ ଲକ୍ଷ୍ମୀନାରାୟଣ ଦାସ ମତେ କହିଥିଲେ। ତାଙ୍କ ପରାମର୍ଶରେ ମାତ୍ର ୨୨ ବର୍ଷ ବୟସରେ ନୃତ୍ୟ ଶିକ୍ଷା ଦେବା ଆରମ୍ଭ କରିଥିଲି। ଶୁଭଶ୍ରୀ ମୁଖାର୍ଜୀ (ଏବେ ପ୍ରୋଜେକ୍ଟ ଛାଉଣିର ନିର୍ଦ୍ଦେଶିକା), ଅଭିପ୍ସା ମିଶ୍ର, ସୁସ୍ମିତା ମିଶ୍ର, ଗୋପୀ ବାରିକଙ୍କ ୪ ଝିଅଙ୍କୁ ନୃତ୍ୟଶିକ୍ଷା ଦେଇଥିଲି। ୧୯୯୪ରେ କଟକରେ ଆୟୋଜିତ ଯୁବ ମହୋତ୍ସବରେ ଆମ ନୃତ୍ୟଦଳ ପ୍ରଥମ ସ୍ଥାନ ହାସଲ କରିଥିଲା।

ମୟୂରଭଞ୍ଜ, ଷଢ଼େଇକଳା ଓ ପୁରୁଲିଆ ଛଉନୃତ୍ୟ ମଧ୍ୟରେ କ’ଣ ପ୍ରଭେଦ ରହିଛି।
ଷଢ଼େଇକଳା ଛଉରେ ଛୋଟ ମୁଖା ଓ ପୁରୁଲିଆ ଛଉରେ ବଡ଼ମୁଖା ପିନ୍ଧି ନୃତ୍ୟ ପରିବେଷଣର ଧାରା ରହିଛି। ହେଲେ ମୟୂରଭଞ୍ଜ ଛଉରେ ମୁଖା ପିନ୍ଧା ଯାଏନାହିଁ। ମୁହଁରେ ରଙ୍ଗ ବୋଳି ବିଭିନ୍ନ ଅଙ୍ଗଭଙ୍ଗୀ ମାଧ୍ୟମରେ ବିଷୟବସ୍ତୁକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଏ। ଷଢ଼େଇକଳା ଛଉନୃତ୍ୟ ବେଶ୍‌ ପ୍ରାଚୀନ। ଓଡ଼ିଶାରୁ ଏହି ପ୍ରାନ୍ତ ବିଚ୍ଛେଦ ହୋଇଗଲା ପରେ ସେଠାକାର କଳାକାର ଓ ମୟୂରଭଞ୍ଜ କଳାକାରଙ୍କ ମଧ୍ୟରେ ଦୂରତା ବଢ଼ିଗଲା। ତଥାପି ଅନେକ ମଞ୍ଚରେ ଉଭୟ କଳାକାରଙ୍କ ମିଳିତ ନୃତ୍ୟ ପରିବେଷଣ ହେଉଛି। ତେବେ ମୟୂରଭଞ୍ଜର ଛଉନୃତ୍ୟ ଯେଉଁ ପ୍ରସିଦ୍ଧି ପାଇଛି ଅନ୍ୟମାନଙ୍କ ଭାଗ୍ୟରେ ତାହା ଜୁଟିନି।

ପୂର୍ବରୁ ଗୁରୁ ଓ କଳାକାରମାନେ କଣ ଆଜି ଭଳି ପରିଚୟ ପାଉଥିଲେ?
ଟିଭି, ମୋବାଇଲ୍ ଆସିବା ପରେ ଆମ କଳାକୁ ଦେଶ ବିଦେଶରେ ପହଞ୍ଚାଇବା ସହଜ ହୋଇଛି। ପୂର୍ବରୁ ଅନେକ ପ୍ରବୀଣ ନୃତ୍ୟଗୁରୁ ଓ କଳାକାର ଥିଲେ ବି ପ୍ରଚାର ପ୍ରସାରର ଅଭାବରୁ ସେମାନେ ଲୋକଲୋଚନକୁ ଆସି ପାରିଲେନି। ଗାଁ କନିଆଁ ସିଂଘାଣି ନାକି ନୀତିରେ ସେମା‌ନଙ୍କୁ ନିଜ ଜିଲ୍ଲାରେ ଉଚିତ ସମ୍ମାନ ମିଳିଲାନି। ବର୍ତ୍ତମାନ ସମୟ ଭଳି ସେତେବେଳେ ପାଶ୍ଚାତ୍ୟ ଦେଶର କଳାପ୍ରେମୀ ଆମ ଆଞ୍ଚଳିକ କଳାକାରଙ୍କ ବାବଦରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ।

ଛଉ ନୃତ୍ୟକୁ କଣ ପେସା କରିହେବ?
କଲମ୍ବିଆରୁ କେରୋଲିନ, ଜାପାନରୁ ୟୁକି ଏରୋରା, ଆମେରିକାରୁ ଅନେକ କଳାକାର ମୋର ପାଖରୁ ନୃତ୍ୟଶିକ୍ଷା ପାଇଁ ଆଗ୍ରହ ଦେଖାଉଛନ୍ତି। ପ୍ରଖ୍ୟାତ ଓଡ଼ିଶୀ ଓ ଛଉ ନୃତ୍ୟଶିଳ୍ପୀ ଇଲିଆନା ସିତାରିଷ୍ଟଙ୍କ ସହ ମଧ୍ୟ ମିଳିତ ଭାବେ କାର୍ଯ୍ୟକ୍ରମ କରିଛି। ବିଦେଶୀ କଳାକାର ଯଦି ଛଉନୃତ୍ୟ ପ୍ରତି ଆଗ୍ରହ ଦେଖାଉଛନ୍ତି ଆମ ପିଲାମାନେ କାହିଁକି ହେବେନି? ଆଗରୁ ନୃତ୍ୟଶିଳ୍ପୀଙ୍କ ପାଇଁ ମଞ୍ଚର ଅଭାବ ଥିଲା। ଏବେ କିନ୍ତୁ ଯଥେଷ୍ଟ ସୁଯୋଗ ରହିଛି। ତେବେ କଳାକାରମାନଙ୍କୁ ନିଜ କଳାରେ ସେତିକି ନିପୁଣ ହେବା ଜରୁରୀ। ମୁଁ ତ’ କହିବି ଜଣେ କଳାକାର ଯଦି ନିଷ୍ଠାର ସହ କାମ କରିବ ତେବେ ଛଉନୃତ୍ୟକୁ ପେସା ଭାବେ ଗ୍ରହଣ କରି ଭଲ ରୋଜଗାର କରିପାରିବ।

ତେବେ କଣ ପାଇଁ କଳାକାରମାନେ ଏହାକୁ ପେସା କରିବାକୁ ଡରୁଛନ୍ତି?
ମୟୂରଭଞ୍ଜ ଜିଲ୍ଲା ଛଉନୃତ୍ୟର ଅନ୍ତୁଡ଼ିଶାଳ। ତେବେ ଏଠାକାର ଲୋକଙ୍କ ଆର୍ଥିକ ସ୍ଥିତି ସେତେ ଭଲ ନୁହେଁ। ତେଣୁ ଦୁଃସ୍ଥିତି ଭିତରେ ଥାଇ ଛଉ ନୃତ୍ୟକୁ ପେସା ଭାବେ ଗ୍ରହଣ କରିବା ଜଣେ ଅଭାବୀ ପରିବାରର କଳାକାର ପକ୍ଷେ ସମ୍ଭବ ହୋଇନପାରେ। ଉତ୍ତର ସ‌ାହି, ଦକ୍ଷିଣ ସାହି ନୃତ୍ୟ ପ୍ରତିଷ୍ଠାନ ବ୍ୟତୀତ ଜିଲ୍ଲାର ୭୨ଟି ଗାଁରେ କଳାକାରଙ୍କୁ ଛଉନୃତ୍ୟ ପ୍ରଶିକ୍ଷଣ ସହ ମୁଁ ନିଜେ ସମ୍ପୃକ୍ତ। ଏମିତିରେ ତ’ ଜିଲ୍ଲାର ଗାଁ ଗାଁରେ ଛଉ କଳାକାର ଅଛନ୍ତି। ହେଲେ ଆର୍ଥିକ ଅନଟନ ପାଇଁ ସବୁ କଳାକାର ଏହି ପେସାରେ ଆଗେଇ ପାରୁନାହାନ୍ତି।

ଛଉନୃତ୍ୟ ସହ ସମ୍ପୃକ୍ତ ବାଦ୍ୟକାରଙ୍କ ବାବଦରେ କଣ କହିବେ?
ଏବେ ମୟୂରଭଞ୍ଜରେ ବାଦ୍ୟକାରଙ୍କ ସଂଖ୍ୟା ଢ଼େର କମ୍‌, ଯାହାକି ଚିନ୍ତାର ବିଷୟ। ଅନେକ ଆଗ୍ରହୀ ପିଲା ଏ ଦିଗରେ ଆସିବାକୁ ଚାହୁଁଛନ୍ତି, ହେଲେ ସେମାନଙ୍କୁ ଉପଯୁକ୍ତ ତାଲିମ ମିଳୁନି। ତେବେ ବିଶିଷ୍ଟ ମହୁରୀ ବାଦକ ବିରଞ୍ଚି ମହାନ୍ତ, ଢ଼ୋଲ ବାଦକ ସୁନିଲ କୁମାର ମହାନ୍ତ ପ୍ରମୁଖ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ମୁଁ ନି‌ଜେ ଢ଼ୋଲ, ଧୁମସା ଆଦି ବଜାଏ। ହେଲେ ମହୁରୀ ବଜାଇ ପାରେନି।

ସଂସ୍କୃତି ବିଭାଗ କଣ କଳାକାରଙ୍କ କଥା ବୁଝୁଛି?
୨୦୧୬ରୁ ସଙ୍ଗୀତ ନାଟକ ଏକାଡେମିର ଜିଲ୍ଲା ଶାଖା ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ ହୋଇଗଲା ପରେ ଶୁଭଶ୍ରୀ ମୁଖାର୍ଜୀଙ୍କ ଉଦ୍ୟମରେ ଆରମ୍ଭ ହେଲା ପ୍ରୋଜେକ୍ଟ ଛାଉଣି। ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଏଥିପାଇଁ ସମସ୍ତ ସହଯୋଗ ଦେଇଥିଲେ। ସେ ସମୟରେ ଆମେ ୨ ଶହରୁ ଊର୍ଦ୍ଧ୍ବ ଛଉ ନୃତ୍ୟାନୁଷ୍ଠାନ ଓ ୧୪ ହଜାରରୁ ଊର୍ଦ୍ଧ୍ବ କଳାକାରଙ୍କୁ ଜିଲ୍ଲାରୁ ଚିହ୍ନଟ କରିଥିଲୁ। ସମସ୍ତ କଳାକାରଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ମାଧ୍ୟମରେ ପଞ୍ଜୀକରଣ ପାଇଁ ଉଦ୍ୟମ କରିଥିଲୁ। ହେଲେ କଳାକାରଙ୍କୁ ମିଳୁଥିବା ସରକାରୀ ପ୍ରୋତ୍ସାହନ ଯଥେଷ୍ଟ ନୁହେଁ। ୧୨ ଶହ ଟଙ୍କା କଳାକାର ଭତ୍ତାରେ ଜଣେ ବରିଷ୍ଠ କଳାକାର ପରିଣତ ବୟସରେ ବଞ୍ଚିବ କେମତି?

କେବଳ ସରକାରୀ ପ୍ରୋତ୍ସାହନ ମିଳିଲେ କଣ ସବୁ ଠିକ୍‌ ହେଇଯିବ?
ଅନୁଷ୍ଠାନ ବଞ୍ଚିଲେ କଳାକାର ବଞ୍ଚିବେ, କଳାକାର ବଞ୍ଚିଲେ ସିନା କଳା ବଞ୍ଚିବ। ଏକଥା ସରକାର ବୁଝିବା ଦରକାର। ଯେଉଁ ଅନୁଷ୍ଠାନଗୁଡ଼ିକ ଛଉନୃତ୍ୟର ପ୍ରଚାର ପ୍ରସାର ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ ଜରୁରୀ। ଏହି ଅନୁଷ୍ଠାନମାନେ ହିଁ କଳାକାରଙ୍କୁ ପ୍ରଶିକ୍ଷଣ ଦେବା ସହ ନୃତ୍ୟ ପ୍ରଦର୍ଶନ ପାଇଁ ମଞ୍ଚ ବ୍ୟବସ୍ଥା କରନ୍ତି, କଳାକାରଙ୍କ ସୁଖଦୁଃଖରେ ଛିଡ଼ାହୁଅନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ସମ୍ମାନ ଗ୍ରହଣ କଲେ, କେମିତି ଥିଲା ଅନୁଭବ? ଭବିଷ୍ୟତର ଲକ୍ଷ୍ୟ କ’ଣ?
ଆମ ମାଟିର ଝିଅ ମହାମହିମ ରାଷ୍ଟ୍ରପତିଙ୍କ ସହ ଆଗରୁ ମଧ୍ୟ ଭେଟ ହୋଇଥିଲା। ସେ ମତେ ଚିହ୍ନିପାରିଲେ। ତାଙ୍କ ହାତରୁ ସମ୍ମାନ ଗ୍ରହଣ କରିବା ସ୍ମରଣୀୟ ହୋଇ ରହିବ। ମୋ ବାପା ଛଉନୃତ୍ୟ ପ୍ରଦର୍ଶନ କରୁଥିଲେ। ତାଙ୍କ କଳାକୁ ମୁଁ ଆଗେଇ ନେଉଛି। ସେହି କଳା ହିଁ ମୋତେ ଆଜି ପରିଚୟ ଦେଇଛି। ଆଶା ଅଛି, ମୋ ଛାତ୍ରଛାତ୍ରୀମାନେ ମୋ’ଠାରୁ ଆଗକୁ ଯିବେ, ମୟୂରଭଞ୍ଜ ଛଉକୁ ବିଶ୍ବ ଦରବାରରେ ଆହୁରି ଆଦୃତ କରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।