ଭୁବନେଶ୍ବର: ପଦ୍ମପୁରକୁ ଆସନ୍ତା ବର୍ଷକ ମଧ୍ୟରେ ଜିଲ୍ଲା ମାନ୍ୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ଆଜି ପ୍ରତିଶ୍ରୁତି ଦେବା ସହ ବିଜେପିର କେନ୍ଦ୍ର ମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ପ୍ରଭୁ ନୃସିଂହନାଥ ଟିକେ ମନେପକାଇ ଦିଅନ୍ତୁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି କେଇ ଧାଡ଼ି ପଦ୍ମପୁର ଉପନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇଥିବା କେନ୍ଦ୍ରମନ୍ତ୍ରୀଙ୍କୁ ତାଚ୍ଛଲ୍ୟ କରିବା ଭଳି ଥିଲା। ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁରକୁ ଜିଲ୍ଲା କରିବାର ପ୍ରତିଶ୍ରୁତି, ଏବେ ବି ଘୋଷଣାରେ ସୀମିତ । ଜିଲ୍ଲା ଘୋଷଣା କରିବାର ନିର୍ଦ୍ଧାରିତ ତାରିଖ ନ କହିବା ପଦ୍ମପୁରବାସୀଙ୍କ ପାଇଁ ପ୍ରତାରଣା ସଦୃଶ ନୁହେଁ କି? ମୁଖ୍ୟମନ୍ତ୍ରୀଙ୍କୁ ଜବାବ୍ ଦେଇ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି, ସେ ନିଜ ମନ କଥା ନ କହି କାହା ହାତ ଲେଖା ପଢୁଛନ୍ତି। ଦୀର୍ଘ ୨୩ ବର୍ଷର ଶାସନ ଦାୟିତ୍ୱରେ ରହିବା ପରେ ପଦ୍ମପୁରର ପାଇକମାଳରେ ଥିବା ଗୋଟେ ପିଏଚ୍ସିକୁ ସିଏଚ୍ସି ଭାବେ ପରିଣତ କରି ମୁଁ ଯାହା କହେ ତାହା କରେ ବୋଲି କହିବା କେତେ ଦୂର ଠିକ୍? ଏଥିରୁ ରାଜ୍ୟରେ ବିକାଶର ଚିତ୍ର ସ୍ପଷ୍ଟ ଅନୁମେୟ।
ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ଦୁଇଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଲା ପରେ ବି ବରଗଡ ଜିଲ୍ଲା ସମେତ ଏହି ଅଞ୍ଚଳରୁ ହଜାର ହଜାର ଯୁବକ ଯୁବତୀ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ କରିବେ? ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେବାକୁ ଚାହୁଁଛି ଯେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା ରେଲ୍ ଇନଫ୍ରାଷ୍ଟ୍ରକଚର ଡେଭେଲପମେଣ୍ଟ ଲିମିଟେଡ ବରଗଡ ରୋଡ୍- ନୂଆପଡ଼ା ରେଳ ଲାଇନର ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରିଛନ୍ତି କି? ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରନ୍ତୁ।
ଫସଲ ବୀମାରେ ଘରୋଇ କମ୍ପାନିକୁ ଆପଣ ସାମିଲ କରିଥିଲେ କି ନାହିଁ? ବରଗଡ଼ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ୍ ରାଜ୍ୟ ସରକାର ଦେଇଛନ୍ତି କି? ମୁଖ୍ୟମନ୍ତ୍ରୀ ବରଗଡ଼ରେ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବେ? ଆପଣ ନିର୍ଦ୍ଧାରିତ ସମୟ ସୀମା କହିବେ କି, କେବେ ଏହାର ସୁଫଳ ବରଗଡ଼ର ନାଗରିକଙ୍କୁ ମିଳିବ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିରେ ଓଡ଼ିଶା ସରକାରଙ୍କ ସମ୍ପୃକ୍ତି ଅଛି କି ନାହିଁ ? ବରଗଡ଼ ସମେତ ପଶ୍ଚିମ ଓଡ଼ିଶାକୁ ଆବାସ ଯୋଜନାରେ ଘର ବଣ୍ଟନରେ ପାତରଅନ୍ତର କରିଛନ୍ତି ନା ନାହିଁ? ମୁଖ୍ୟମନ୍ତ୍ରୀ ନିଜ ରାଜନୈତିକ ଫାଇଦା ଦେଖି ପ୍ରତ୍ୟେକ ଯୋଜନା ପ୍ରଣୟନ କରନ୍ତି। ଆମ ଦଳ ବିଜେପି ଯୋଜନା ପ୍ରଣୟନ କରିବା ସହିତ କାର୍ଯ୍ୟକାରୀ କରିବାରେ ବିଶ୍ୱାସ କରେ ବୋଲି ଧର୍ମେନ୍ଦ୍ର ଟୁଇଟ୍ କରି କହିଛନ୍ତି।