ରାଜ୍ୟ ସ୍ପେଶାଲ ରିପୋର୍ଟ

ଢେଙ୍କାନାଳରୁ ଲଢ଼ିବେ ଧର୍ମେନ୍ଦ୍ର! ଚାଲିଛି କ୍ଷେତ୍ର ପ୍ରସ୍ତୁତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଅନୁଗୁଳ: ସାଧାରଣ ନିର୍ବାଚନ ପାଖାପାଖି ବର୍ଷେ ବାକି ଅଛି। କିନ୍ତୁ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଆଗୁଆ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। ଦୁଇ ଜିଲ୍ଲାକୁ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଗସ୍ତ କାରଣରୁ ଦଳ ଚଳଚଞ୍ଚଳ ରହିଛି। କର୍ମୀମାନେ ମଧ୍ୟ ଉତ୍ସାହିତ। ପୁଣି ଏଇ ମାସ ୨୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଢେଙ୍କାନାଳ ଆସୁଛନ୍ତି। ଏହାକୁ ସଫଳ କରିବା ନେଇ ଦଳର ମଣ୍ଡଳସ୍ତରୀୟ ପ୍ରସ୍ତୁତି ବୈଠକ ବି ଚାଲିଛି। ଏସବୁ କେବଳ ଧର୍ମେନ୍ଦ୍ରଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତି ବୋଲି ବିଜେପି ମହଲରେ ଆଲୋଚନା ହେଉଛି। ଆସନ୍ତା ନିର୍ବାଚନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲାବେଳେ ଏବେଠାରୁ ତାଙ୍କ ସପକ୍ଷରେ ଏକ ସକାରାତ୍ମକ ହାୱା ତିଆରି ପାଇଁ ଦଳ ଲାଗିପଡ଼ିଛି। ‌ଧର୍ମେନ୍ଦ୍ର ଏଥର ପ୍ରାର୍ଥୀ ହେବା ନେଇ ଦଳର ବରି‌ଷ୍ଠ ନେତାମାନେ ମଧ୍ୟ ଇଙ୍ଗିତ ଦେବା ଆରମ୍ଭ କଲେଣି। ଛାମୁଆଁ ନେତାମାନେ ବି ଧର୍ମେନ୍ଦ୍ରଙ୍କ ପ୍ରାର୍ଥିତ୍ବ ‌ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି।

ଧର୍ମେନ୍ଦ୍ରଙ୍କ ଘର ଅନୁଗୁଳ ଜିଲ୍ଲାରେ ହୋଇଥିଲାବେଳେ ଆଗରୁ ସେ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ଅନୁଗୁଳ ଜିଲ୍ଲା ପାଳଲହଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୦୯ରେ ଦେବଗଡ଼ ଲୋକସଭା ଆସନରୁ ବିଜେପି ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ସେତେବେଳେ ଦେବଗଡ଼ ସଂସଦୀୟ ‌କ୍ଷେତ୍ରରେ ତାଳଚେର ଓ ପାଳଲହଡ଼ା ବିଧାନସଭା କ୍ଷେତ୍ର ସାମିଲ ଥିଲା। ଏହି ନିର୍ବାଚନରେ ମଧ୍ୟ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ ଧର୍ମେନ୍ଦ୍ର। ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ପୁଣି ପାଳଲହଡ଼ା ଆସନରୁ ସେ ବିଜେପି ପ୍ରାର୍ଥୀ ‌ହୋଇଥିଲେ। ଏଥର କିନ୍ତୁ ପରାଜୟର ସାମ୍‌ନା କରିବା ସହ ଅନୁଗୁଳ ରାଜନୀତିରୁ ଏକପ୍ରକାର ଦୂରେଇ ରହିଥିଲେ। ପରେ ସେ ବାହାର ରାଜ୍ୟରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। କେନ୍ଦ୍ର ବିଜେପି ରାଜନୀତିରେ ଧୀରେ ଧୀରେ ତାଙ୍କର ପତିଆରା ବଢ଼ିବା ସହ ରାଜ୍ୟ ବିଜେପିର ସେ ଚେହେରା ପାଲଟିଥିଲେ। ହେଲେ ଅନୁଗୁଳ ତାଙ୍କ ଫୋକସ୍‌ରେ ନ ଥିଲା। କିନ୍ତୁ ଗତ ମନ୍ତ୍ରିମଣ୍ଡଳ ଅଦଳବଦଳ‌ ପରେ ହଠାତ୍‌ ଅନୁଗୁଳ ଓ ଢେଙ୍କାନାଳକୁ ସେ ପ୍ରାଥମିକତା ଦେଇଛନ୍ତି। ଏପ୍ରିଲ ପରଠାରୁ ପ୍ରତି ମାସରେ ସେ ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଆସିଛନ୍ତି। ଆଉ ଏବେ ପ୍ରତି ମାସରେ ଦୁଇରୁ ୩ ଥର ଅନୁଗୁଳ ଗସ୍ତ କରୁଛନ୍ତି। କେବଳ ସେ ଏକା ଆସୁଛନ୍ତି ତାହା ନୁହେଁ, ସାଙ୍ଗରେ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କୁ ଆଣି ଅନୁଗୁଳ ଓ ଢେଙ୍କାନାଳ ବୁଲାଇ ସାରିଲେଣି। ଏହି ମନ୍ତ୍ରୀଙ୍କ ଭିତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରସାୟନ ଓ ସାରମନ୍ତ୍ରୀ ମନସୁଖ ମାଣ୍ଡଭୀୟ, କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ପରି ପ୍ରଭାବଶାଳୀ ମନ୍ତ୍ରୀ ରହିଛନ୍ତି। କେନ୍ଦ୍ରମନ୍ତ୍ରୀମାନଙ୍କୁ ନେଇ ସେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କର୍ମୀ ସମ୍ମିଳନୀ ମଧ୍ୟ କରୁଛନ୍ତି। ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅତିଥି ଭାବେ ଯୋଗ ଦେଉଛନ୍ତି। ବିଭିନ୍ନ ଧର୍ମାନୁଷ୍ଠାନକୁ ନିୟମିତ ଗସ୍ତ କରୁଛନ୍ତି। ଏପଟେ ଅନୁଗୁଳ ଓ ଢେଙ୍କାନାଳର ବିକାଶମୂଳକ କାମ ପାଇଁ କେମିତି ଅଧିକ କେନ୍ଦ୍ରୀୟ ଅନୁଦାନ ଆସିବ ସେ ଦିଗରେ ପ୍ରୟାସ କରୁଛନ୍ତି।

ଗତ ୭ ମାସ ହେବ ଧର୍ମେନ୍ଦ୍ରଙ୍କ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ଗସ୍ତ ଓ ସଭାସମିତିରେ ଯୋଗଦାନ ପରେ ସେ ଏଠାରୁ ପ୍ରାର୍ଥୀ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଢେଙ୍କାନାଳ ଗସ୍ତ ଏହି ଚର୍ଚ୍ଚାକୁ ବଳ ଦେଇଛି। ସେ ଆସନ୍ତା ୨୩ ତାରିଖରେ ଆସି ଉଭୟ ଜିଲ୍ଲାର ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ‌କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଗୃହମନ୍ତ୍ରୀ ଯୋଗ ଦେବାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକମାନେ ସହଜରେ ଗ୍ରହଣ କରୁନାହାନ୍ତି। ଏହା ପଛରେ ନିଶ୍ଚିତ ବଡ଼ ଧରଣର ଯୋଜନା ରହିଥିବା କୁହାଯାଉଛି। ପୁଣି ଦଳର ବରି‌ଷ୍ଠ ନେତା ରୁଦ୍ର ନାରାୟଣ ପାଣି ଆଉ ସାଂସଦ ଭାବେ ନ ଲଢ଼ିବା ପାଇଁ ସଙ୍କେତ ଦେଇଛନ୍ତି। ସେ ଲଗାତାର ଭାବେ ଢେଙ୍କାନାଳରୁ ବିଜେପିର ସାଂସଦ ପ୍ରାର୍ଥୀ ହେଉଥିଲାବେଳେ ସ୍ବାସ୍ଥ୍ୟଗତ କାରଣରୁ ଆଉ ଲଢ଼ି‌ବେ ନାହିଁ ବୋଲି କହିଛନ୍ତି। ଧର୍ମେନ୍ଦ୍ରଙ୍କ ପାଇଁ ଆସନ ଛାଡ଼ିଦେବାକୁ ସେ ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଯେଉଁମାନେ ରାଜ୍ୟସଭାରୁ ମନ୍ତ୍ରୀ ହୋଇଛନ୍ତି ସେମାନେ ଲୋକସଭା ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ଏହା ଭିତରେ ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟ୍ ସହଯୋଗୀମାନଙ୍କୁ କହିଥିବା କୁହାଯାଉଛି। ଏବେ ରାଜ୍ୟସଭାରୁ ୧୮ ଜଣ ସଦସ୍ୟ ମନ୍ତ୍ରୀ ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ଅତି କମ୍‌ରେ ୧୦ ଜଣ ଲୋକସଭା ନିର୍ବାଚନ ଲଢ଼ିବାକୁ କୁହାଯାଇଛି। ଏହି ତାଲିକାରେ ଧର୍ମେନ୍ଦ୍ରଙ୍କ ନାମ ରହିଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ଧର୍ମେନ୍ଦ୍ର କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏ ଭିତରେ ଜିଲ୍ଲାରୁ ବିଭିନ୍ନ ଦଳର ନେତାମାନେ ଧର୍ମେନ୍ଦ୍ରଙ୍କୁ ଭେଟି ବିଜେପିରେ ସାମିଲ ହେଉଛନ୍ତି। ପୁଣି ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନ ତାଳଚେରରେ ରହି ଦଳର ସଂଗଠନ ସଜାଡ଼ିବାରେ ଲାଗିଛନ୍ତି। ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ବିଜେପି ‌ଭୋଟ୍‌ବ୍ୟାଙ୍କ ବଢ଼ାଇବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ତେଣୁ ଆସନ୍ତା ନିର୍ବାଚନରେ ଧର୍ମେନ୍ଦ୍ର ଢେଙ୍କାନାଳରୁ ବିଜେପି ଟିକେଟରେ ଲଢ଼ିବା ନିଶ୍ଚିତ ବୋଲି ଦଳୀୟ ନେତାମାନେ କହୁଛନ୍ତି। ତେବେ ଧର୍ମେନ୍ଦ୍ର ଏହା ଅସ୍ବୀକାର କରୁ ନ ଥିଲାବେଳେ ତାଙ୍କ ଉଭୟ ଜିଲ୍ଲାକୁ ଗସ୍ତ, କର୍ମୀମାନଙ୍କ ସହିତ ଆଲୋଚନା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।