ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ଶୀତ ହେଉଛି। ତାପମାତ୍ରା ବହୁ ତଳକୁ ଖସିଯାଇଥିବାରୁ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସବୁ ଘରୋଇ ବିଦ୍ୟାଳୟକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କହିଛନ୍ତି। ଦିଲ୍ଲୀ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ଏ ନେଇ ଆଜି ଉପଦେଶାବଳି ଜାରି କରିଛି। ଏଥିରେ କୁହାଯାଇଛି ଦିଲ୍ଲୀରେ ଅଧିକାଂଶ ଘରୋଇ ବିଦ୍ୟାଳୟ ଜାନୁଆରି ୮ ପର୍ଯ୍ୟନ୍ତ ଶୀତ ଛୁଟି କରିଛନ୍ତି। ସୋମବାର ପାଠପଢ଼ା ଆରମ୍ଭ ହୋଇଥାନ୍ତା। କିନ୍ତୁ ଏହାର ଅବ୍ୟବହିତ ପୂର୍ବରୁ ଆଜି ଶିକ୍ଷା ନିର୍ଦ୍ଦେଶାଳୟ ଘରୋଇ ବିଦ୍ୟାଳୟ ପାଇଁ ନୂଆ ଘୋଷଣା କରିଛନ୍ତି।
ପୂର୍ବରୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଶୀତ ଛୁଟି ଘୋଷଣା କରାଯାଇଛି। ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଥିବା ରିମେଡିଆଲ କ୍ଲାସେସ ବନ୍ଦ କରିବା ପାଇଁ କୁହାଯାଇଛି। ତେବେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପିଲାଙ୍କ ପ୍ରାକ୍ଟିକାଲ ପରୀକ୍ଷା, ପ୍ରୋଜେକ୍ଟ ଆସେସମେଣ୍ଟ, ଇଣ୍ଟରନାଲ ଆସେସ୍ମେଣ୍ଟ୍ ପୂର୍ବ ନିର୍ଦ୍ଧାରିତ ତାରିଖ ଓ ସମୟ ଅନୁସାରେ ଚାଲିବ।

