ଦେଶ ବିଦେଶ ରାଜନୀତି

ବ୍ରାଜିଲ୍‌ର ରାଷ୍ଟ୍ରପତି ଭବନ, କଂଗ୍ରେସ ଓ ସୁପ୍ରିମ୍‌ କୋର୍ଟରେ ଧସେଇ ପଶିଲେ ପୂର୍ବତନ ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ ୩୦୦୦ ସମର୍ଥକ

ବ୍ରଜିଲିଆ: ପୂର୍ବତନ ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ରବିବାର ଦିନ ପୁଲିସ ବାରିକେଡ୍‌ ଭାଙ୍ଗି ଦେଶର କଂଗ୍ରେସ, ରାଷ୍ଟ୍ରପତିଙ୍କ ପ୍ରାସାଦ ଓ ସୁପ୍ରିମ୍‌ କୋର୍ଟ ମଧ୍ୟକୁ ବଳପୂର୍ବକ ପ୍ରବେଶ କରିଛନ୍ତି।

‘ଫାଶୀବାଦ’ ଆକ୍ରମଣ କହି ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ଏହି ଘଟଣାକୁ ନିନ୍ଦା କରିଛନ୍ତି।

ପୂର୍ବତନ ରାଷ୍ଟ୍ରପତି ବୋଲ୍‌ସୋନାରୋ ମଧ୍ୟ ଜାତୀୟ କଂଗ୍ରେସ ଓ ରାଷ୍ଟ୍ରପତି ପ୍ରାସାଦରେ ହୋଇଥିବା ଲୁଟ୍‌ତରାଜ ଓ ଆକ୍ରମଣକୁ ନିନ୍ଦା କରିଛନ୍ତି।

ଶାଗୁଆ ଓ ହଳଦିଆ ପୋଷାକ ପରିହିତ ପ୍ରାୟ ୩୦୦୦ ପ୍ରତିବାଦକାରୀ ଜନସମୁଦ୍ର ବଳପୂର୍ବକ ଜାତୀୟ କଂଗ୍ରେସରେ ପ୍ରବେଶ କରିବା ସହିତ ସୁପ୍ରିମ୍‌ କୋର୍ଟର ମୁଖ୍ୟାଳୟରେ ଭଙ୍ଗାରୁଜା କରି ପ୍ଲାନାଲ୍‌ଟୋ ରାଷ୍ଟ୍ରପତି ପ୍ରାସାଦକୁ ଯାଇଥିଲେ।

ସମ୍ପ୍ରତି ଭୀଷଣ ବନ୍ୟା ପ୍ରପୀଡ଼ିତ ଦକ୍ଷିଣପୂର୍ବ ନଗରୀ ଆରାରାକ୍ବାରା ପରିଦର୍ଶନରେ ଯାଇଥିବା ୭୭ ବର୍ଷିୟ ରାଷ୍ଟ୍ରପତି ଲୁଲା ରାଜଧାନୀରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ନିମନ୍ତେ ଆଦେଶନାମା ସ୍ବାକ୍ଷର କରି କହିଛନ୍ତି, ଏ ଫାଶୀବାଦୀ ଉଦ୍‌ଭ୍ରାନ୍ତମାନେ ଯାହା କରିଛନ୍ତି, ଦେଶର ଇତିହାସରେ ସେଭଳି ଘଟଣା କେବେ ଘଟି ନ ଥିଲା। ଆମେ ସେମାନଙ୍କୁ ଖୋଜି ବାହାର କରି ଆଇନ ଅନୁସାରେ ଶାସ୍ତି ଦେବୁ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସ ୩୦ ତାରିଖରେ ହୋଇଥିବା ନିର୍ବାଚନରେ ବୋଲ୍‌ସୋନାରୋଙ୍କୁ ଅତି ସ୍ବଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ଲୁଲା ରାଷ୍ଟ୍ରପତି ହୋଇଥିଲେ। ଯେହେତୁ ଲୁଲା ଅଳ୍ପ ଭୋଟ୍‌ରେ ବିଜୟୀ ହୋଇଛନ୍ତି, ତାଙ୍କୁ କ୍ଷମତାସୀନ ନ କରାଇ ଦେବା ଲାଗି ସେନାର ହସ୍ତକ୍ଷେପ ଲୋଡ଼ି କଠୋରପନ୍ଥୀ ବୋଲ୍‌ସୋନାରୋଙ୍କ ସମର୍ଥକମାନେ ବ୍ରାଜିଲ୍‌ସ୍ଥିତ ‘ଆର୍ମି ବେସ୍‌’ରେ ପ୍ରତିବାଦ ଚଳାଇଥିଲେ।

ତେଣୁ, ରବିବାର ଦିନ ଅସଂଖ୍ୟ ପ୍ରତିବାଦକାରୀ କଂଗ୍ରେସ ଭବନ ଛାତରେ ଚଢ଼ି ଗୋଟାଏ ପତାକା ଉତ୍ତୋଳନ କରିଥିଲେ। ପତାକାରେ ସେନାବାହିନୀକୁ ନିବେଦନ କରି ଲେଖାଯାଇଥିଲା ‘ହସ୍ତକ୍ଷେପ’।

ପ୍ରତିବାଦକାରୀମାନେ କବାଟ ଓ ଝରକା ଭାଙ୍ଗି କଂଗ୍ରେସ ଭବନରେ ପ୍ରବଶେ କରିବା ସହିତ ସାଂସଦମାନଙ୍କର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା କଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଫୁଟେଜ୍‌ରୁ ଜଣାପଡୁଛି। ଅଶ୍ବାରୋହୀ ପୁଲିସମାନଙ୍କୁ ମଧ୍ୟ ପ୍ରତିବାଦକାରୀମାନେ ତଳେ ପକାଇ ମାରଧର କରୁଥିବା କେତେକ ଫୁଟେଜ୍‌ରେ ଦେଖାଯାଉଛି।

ଶେଷରେ ଉତ୍ତ୍ୟକ୍ତ ପ୍ରତିବାଦକାରୀଙ୍କୁ ହଟାଇବା ଲାଗି ଅଶ୍ବାରୋହୀ ପୁଲିସ ମୁତୟନ କରାଯିବା ସହିତ ହେଲିକପ୍ଟର୍‌ରୁ ଲୁହବୁହା ବାଷ୍ପ ସୃଷ୍ଟିକାରୀ ବୋମା ବର୍ଷଣ କରାଯାଇଥିଲା। କିନ୍ତୁ, ବିଳମ୍ବିତ ଅପରାହ୍ନ ପର୍ଯ୍ୟନ୍ତ ଉପରୋକ୍ତ ୩ ଅଟ୍ଟାଳିକା ଚତୁଃପାର୍ଶ୍ବରେ ପ୍ରତିବାଦକାରୀମାନେ ଉପସ୍ଥିତ ଥିବା ଦେଖାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର