ନୂଆଦିଲ୍ଲୀ : ଆମେରିକାରେ ବସବାସ କରୁଥିବା ବାର୍ ଟେଲ୍ଡ ଗଡୱିଟ୍ ନାମକ ଏକ ପକ୍ଷୀ ବିଶ୍ବ ରେକର୍ଡରେ ନିଜକୁ ସାମିଲ କରିଛି। ୧୧ ଦିନରେ ଏହି ପକ୍ଷୀ ଆଲାସ୍କାରୁ ଅଷ୍ଟ୍ରେଲିଆର ତସମାନିଆ ପର୍ଯ୍ୟନ୍ତ ୧୩୫୬୦ କିମିର ଲମ୍ବା ଯାତ୍ରା କରିଛି। ସେ ଲଗାତାର ଉଡ଼ି ଚାଲିଥିବା ଏବଂ କୌଣସି ସ୍ଥାନରେ ଅଟକି ନଥିଲା। ଗଡ୍ୱିଟ୍ ପକ୍ଷୀ ତା’ର ଉଡ଼ାଣ ୧୩ ଅକ୍ଟୋବରରେ ଆଲାସ୍କାରୁ ଆରମ୍ଭ କରିଥିଲା ଏବଂ ୨୫ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା। ୫ଜି ସାଟେଲାଇଟ୍ ଟ୍ୟାଗ୍ ଉକ୍ତ ପକ୍ଷୀ ଦେହରେ ଲଗାଯାଇ ତାହାର ଉଡ଼ାଣ ଉପରେ ନଜର ରଖାଯାଇଥିଲା। ବୈଜ୍ଞାନିକମାନେ ଏହି ୫ଜି ଟ୍ୟାଗ୍କୁ ଅନୁଧ୍ୟାନ କରି ଏହି ଅବିଶ୍ବସନୀୟ ଉଡ଼ାଣ ସଂପର୍କରେ ତଥ୍ୟ ହାସଲ କରିଛନ୍ତି। ଉଡ଼ାଣ ସମୟରେ ପକ୍ଷୀଟି ଆଦୌ ବିଶ୍ରାମ ନେଇନାହିଁ କିମ୍ବା ଖାଦ୍ୟ ମଧ୍ୟ ଗ୍ରହଣ କରିନାହିଁ। ବାର୍ ଟେଲ୍ ଗଡ୍ୱିଟ୍ର ଯାତ୍ରା ଓସିନିଆ, ବାନୁୱତୁ ଏବଂ ନ୍ୟୁ କେଲଡୋନିଆ ଦ୍ବୀପର ଆକାଶ ମାର୍ଗ ଦେଇ ତସମାନିଆରେ ପହଞ୍ଚିଛି।
ପୂର୍ବରୁ ମଧ୍ୟ ଏହି ପ୍ରଜାତିର ପକ୍ଷୀ ଦୀର୍ଘପଥ ଅତିକ୍ରମ କରିଥିବା ନଜିର ରହିଛି। ୨୦୨୦ରେ ବିନା ରହଣିରେ ୧୨୦୦୦ କିମି ଦୂରତା ୧୧ ଦିନରେ ଅତିକ୍ରମ କରି ଅନ୍ୟ ଏକ ଗଡୱିଟ୍ ରେକର୍ଡ କରିଥିଲା। ୨୦୨୧ରେ ମଧ୍ୟ ଆଉ ଏକ ଗଡୱିଟ୍ ୧୩୦୫୦ କିମି ରାସ୍ତା ବିନା ରହଣିରେ ଅତିକ୍ରମ କରିଥିଲା। ଗିନିଜ ୱାର୍ଲଡ ରେକର୍ଡ ତଥ୍ୟ ଅନୁଯାୟୀ, ୧୩୫୬୦ କିମି ଉଡ଼ିଥିବା ଗଡୱିଟ୍ର ଟ୍ୟାଗ୍ ନମ୍ବର ଥିଲା ୨୩୪୬୮୪।