ଭୁବନେଶ୍ବର : ସେକ୍ସୋଟର୍ସନ ମାମଲାରେ ଅର୍ଚ୍ଚନାଙ୍କ ସତ୍ୟବିହାର ଘରର ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ଆଜି ଇଡିର ୪ ଜଣିଆ ଟିମ୍ ଓ ଭାଲ୍ୟୁଏସନ୍ ଟିମ୍ ସହିତ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘରକୁ ଯାଇ ମାପଚୁପ୍ ଆରମ୍ଭ କରିଛନ୍ତି। କେତେ ବର୍ଗଫୁଟର ଜମି ଓ ବିଲଡିଂରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ଆକଳନ କରିବା ଆରମ୍ଭ କରିଛି ଇଡି। କେବଳ ଜମି ଓ ବିଲଡିଂ କାହିଁକି ଘର ଭିତରେ ଥିବା ସମସ୍ତ ଆସବାବପତ୍ରର ମଧ୍ୟ ମୂଲ୍ୟ ଆକଳନ କରାଯାଇଛି। ଖୁବ୍ ଶୀଘ୍ର ଏସବୁ ରିପୋର୍ଟ ଇଡିର ଅଧିକାରୀମାନେ ଦିଲ୍ଲୀ ପଠାଇବେ। ଦିଲ୍ଲୀରୁ ଅନୁମତି ଆସିବା ପରେ ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଖଗେଶ୍ବରର ନିର୍ମାଣାଧୀନ ବିଲଡିଂ ଓ ଜମିର ମଧ୍ୟ ମୂଲ୍ୟ ଆକଳନ କରିଛି ଇଡି।
ଗୁରୁବାର ଦିନ ପ୍ରାୟ ୪ଟାବେଳେ ଇଡିର ଏକ ସ୍ବତନ୍ତ୍ର ଟିମ୍ ସତ୍ୟବିହାରଠାରେ ଥିବା ଅର୍ଚ୍ଚନା ଘରେ ପହଞ୍ଚିଥିଲେ। ଇଡିର ଅଧିକାରୀମାନଙ୍କ ସହିତ ଦୁଇ ଜଣ ଭାଲ୍ୟୁଏସନ ଟିମ୍ ମଧ୍ୟ ଯାଇଥିଲେ। ତୁରନ୍ତ ସେମାନେ ଫିତା ପକାଇ ଜାଗାର ସ୍କୋୟାରଫୁଟ ବାହାର କରିଥିଲେ। ପରେ ଭିତରକୁ ପଶି ଘର ଭିତରର ମାପ ମଧ୍ୟ ନେଇଥିଲେ। ସେହିପରି ଘର ଭିତରେ ସମସ୍ତ ଆସବାବପତ୍ର, ଝୁମର ଆଦିର ମୂଲ୍ୟ ଆକଳନ କରିଛନ୍ତି। ସେହିପରି ଛାତ ଉପରେ ଥିବା ସୁଇମଂପୁଲ ନିର୍ମାଣରେ କେତେ ଟଙ୍କା ଖର୍ଚ ହୋଇଛି ତାର ମଧ୍ୟ ହିସାବ ବାହାର କରିଛନ୍ତି। ଅର୍ଚ୍ଚନାଙ୍କ ଆଲିସାନ ବଙ୍ଗଳାର ଦାମ କେତେ ସେଥିପାଇଁ ଆମେ ଆସିଛୁ ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି।
ଦୁଇ ଦିନ ତଳେ ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ନାଗ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ଇଡି ୩ ଜଣଙ୍କୁ ନୋଟିସ୍ ମଧ୍ୟ କରିଥିଲା। କହିଥିଲା କାହିଁକି ତୁମ ସମ୍ପତ୍ତି ବାଜ୍ୟାପ୍ତି ନ ହେବ ଉତ୍ତର ରଖ। ସେହିପରି ଇଡି ଦିଲ୍ଲୀ ଯାଇ ଅଚ୍ଚର୍ନାଙ୍କ ସମ୍ପତ୍ତି ବାଜ୍ୟାପ୍ତି ସମ୍ପର୍କରେ ଅବଗତ କରାଇଥିଲା।
ଅନ୍ୟପକ୍ଷରେ ଇଡିର ଆଉ ଏକ ଟିମ୍ ଆଜି ସକାଳୁ ଝାରପଡ଼ା ଜେଲ ଯାଇ ତାଙ୍କ ପତି ଜଗବନ୍ଧୁଙ୍କୁ ଜେରା କରିଛି। ସକାଳ ପ୍ରାୟ ୧୧ଟାବେଳେ ଇଡିର ଏକ ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କୁ ଜେରା କରିଥିଲା। ମନି ଲଣ୍ଡରିଂ ମାମଲାରେ ଇଡି ଆଉ କିଛି ପ୍ରମାଣ ପାଇବା ପରେ ତାଙ୍କୁ ଜେଲରେ ପଚରା ଉଚରା କରିବାକୁ ଚାହିଁଥିଲା। ତେଣୁ ଏ ନେଇ ଇଡି କୋର୍ଟରେ ଆବେଦନ କରିଥିଲା। କୋର୍ଟ ଅନୁମତି ଦେବା ପରେ ବୁଧବାର ଇଡି ଝାରପଡ଼ା ଜେଲରେ ଅର୍ଚ୍ଚନାକୁ ଜେରା କରିଥିବାବେଳେ ଆଜି ତାଙ୍କ ପତି ଜଗବନ୍ଧୁଙ୍କୁ ଜେରା କରାଯାଇଛି।