ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିତ୍ତିଭୂମି ମାଗୁଛି ମଣ୍ଡି: ନିୟନ୍ତ୍ରିତ ବଜାର କମିଟିରେ ଖର୍ଚ୍ଚ ନହୋଇ ପଡ଼ିଛି ୬ କୋଟି

ସୁନ୍ଦରଗଡ଼/ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ଖୋଲା ଯାଇଥିବା ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଚାଷୀମାନେ କଲବଲ ହେଉଛନ୍ତି। ଜିଲ୍ଲାର ୧୩୪ଟି ଧାନ ସଂଗ୍ରହ କେନ୍ଦ୍ର ମଧ୍ୟରୁ ପ୍ରମୁଖ ୪୭ଟି କେନ୍ଦ୍ରରେ ଆବଶ୍ୟକ ଭିତ୍ତିଭୂମି ଥିବା ବେଳେ ଅନ୍ୟ କିଛି କେନ୍ଦ୍ରରେ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। ତେବେ ପ୍ରାୟ ୫୦ଟି କେନ୍ଦ୍ର ପଞ୍ଚାୟତ ପରିସର ନହେଲେ ଖୋଲା ଆକାଶ ତଳେ ଚାଲିଛି। କିନ୍ତୁ ମଣ୍ଡିଗୁଡ଼ିକୁ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରାଇବା ଦାୟିତ୍ବରେ ଥିବା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଏହାକୁ ଅଣଦେଖା କରି ହାତବାନ୍ଧି ବସିଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଅର୍ଥର ଯେ ଅଭାବ ଅଛି, ସେ କଥାା ନୁହେଁ, କାରଣ ଭିତ୍ତିଭୂମି ସଜାଡ଼ିବାକୁ ପ୍ରତି ବର୍ଷ ନିୟନ୍ତ୍ରିତ ବଜାର କମିଟିକୁ ଧାନ ସଂଗ୍ରହ ମୂଲ୍ୟର ୨ ପ୍ରତିଶତ କମିସନ ମିଳୁଛି।

ଏହିକ୍ରମରେ ୨୦୧୯-୨୦ ବର୍ଷରେ ଜିଲ୍ଲାର ୩ଟି ନିୟନ୍ତ୍ରିତ ବଜାର କମିଟିକୁ ପ୍ରାୟ ୬ କୋଟି ଟଙ୍କା କମିସନ ମିଳିଛି। କିନ୍ତୁ ବଜାର କମିଟି ତାକୁ ଖର୍ଚ୍ଚ ନ କରି ଆକାଉଣ୍ଟରେ ପକାଇ ରଖିଛି। ଯେଉଁଥିପାଇଁ ଖୋଲାମେଲା ମଣ୍ଡିରେ ଚାଷୀ ହୀନସ୍ତା ହେଉଛନ୍ତି। ସରକାରୀ ତଥ୍ୟ ଅନୁସାରେ, ୨୦୧୯-୨୦ ବର୍ଷରେ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ଅଧୀନରେ ୧୨୨୮୪୨୪.୨୯ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ସେହି ବର୍ଷ କ୍ବିଣ୍ଟାଲ ପ୍ରତି ୧୮୧୫ ଟଙ୍କା ମୂଲ୍ୟରେ ୨୨୨ କୋଟି ୯୫ ଲକ୍ଷ ୯୦ ହଜାର ୮୬ ଟଙ୍କାର ଧାନ କ୍ରୟ ହୋଇଥିଲା। ସର୍ଗିପାଲି ବଜାର କମିଟି ବିକ୍ରି ମୂଲ୍ୟର ୨ ପ୍ରତିଶତ କମିସନ ବାବଦକୁ ୩ କୋଟି ୯୬ ଲକ୍ଷ ୧୮୩୬୧ ଟଙ୍କା ପାଇଥିଲା। ସେହିପରି ପାନପୋଷ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ୨୧୪୪୫୨ କ୍ବିଣ୍ଟାଲ ଧାନ ୩୮ କୋଟି ୯୨ ଲକ୍ଷ ୩୦ ହଜାର ୪୫୩ ଟଙ୍କାରେ ସଂଗ୍ରହ ହୋଇଥିବା ବେଳେ କମିସନ ବାବଦକୁ ୬୭ ଲକ୍ଷ ୮୨ ହଜାର ୩୦୯ ଟଙ୍କା ପ୍ରଦାନ କରାଯାଇଥିଲା। ବଣାଇଁ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ୪୦୬୫୫୫ କ୍ବିଣ୍ଟାଲ ଧାନ ୭୩ କୋଟି ୭୮ ଲକ୍ଷ ୯୭ ହଜାର ୭୦୬ ଟଙ୍କାରେ କ୍ରୟ ହୋଇଥିଲା। କମିସନ ବାବଦକୁ ବଜାର କମିଟି ୧ କୋଟି ୩୦ ଲକ୍ଷ ୬୯ ହଜାର ୩୯୭ ଟଙ୍କା ପାଇଥିଲା।

କିନ୍ତୁ ତାହା ଖର୍ଚ୍ଚ ନହୋଇ ପଡ଼ି ରହିଛି। ସବୁଠାରୁ ବଡ଼ କଥାୟ ହେଲା, କମିସନର ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇ ପାରି ନଥିବାରରୁ ରାଜ୍ୟ ସରକାର ୨୦୨୦-୨୧ ଓ ୨୦୨୧-୨୨ ଧାନ ସଂଗ୍ରହର କମିସନକୁ ସ୍ଥଗିତ ରଖିଛନ୍ତି। ଏସ୍ଥିତିରେ ଏହା ପୂର୍ବ ବର୍ଷମାନଙ୍କରେ ବଜାର କମିଟି କେତେ ଟଙ୍କା କମିସନ ପାଇଥିଲା ଓ ସେସବୁ ଅର୍ଥ କେଉଁଠି ଓ କାହା ପାଇଁ ଖର୍ଚ୍ଚ ହୋଇଛି, ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ । ଉଲ୍ଲେଖଯୋଗ୍ୟ, ସରକାରୀ ମାର୍ଗଦର୍ଶିକା ଅନୁସାରେ, ନିୟନ୍ତ୍ରିତ ବଜାର କମିଟି ମଣ୍ଡିରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମ ଗୃହ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ଗୋଦାମଗୃହ, ଆବରଣଯୁକ୍ତ ପିଣ୍ଡି, ଖୋଲା ପିଣ୍ଡି, ଡିଜିଟାଲ ୱେ ବ୍ରିଜ୍, ଡିଜିଟାଲ ଓଜନ ଓ ମାପ ଯନ୍ତ୍ର, ଆର୍ଦ୍ରତା ମାପଯନ୍ତ୍ର, ଧାନ ସଫେଇ ଯନ୍ତ୍ର, ସେଟ୍ ଅଫ୍ ସିଭ୍. ଯାଞ୍ଚ ବ୍ୟବସ୍ଥା, ମିନି ଗ୍ରେଡର, କେରପାଲ ଆଦି ବ୍ୟବସ୍ଥା କରିବା କଥା। ଏହାଛଡ଼ା ଅଧିକାଂଶ ମଣ୍ଡିରେ ମିଲର୍ସ ଓ ଦଲାଲରାଜ୍ ଚାଲିଥିବାରୁ ସିସିଟିଭି କ୍ୟାମରୋ ଲଗାଇବା ଜରୁରୀ।

ଏହାଛଡ଼ା ମଣ୍ଡିରେ ଯେଉଁ ଧାନ ଏଫଏକ୍ୟୁ ମାନର ନୁହେଁ, ସେସବୁକୁ ଏଫଏକ୍ୟୁ ମାନର କରି ବିକିବା ନିୟନ୍ତ୍ରିତ ବଜାର କମିଟିର ଦାୟିତ୍ୱ । କିନ୍ତୁ, ଏଠାରେ ମଣ୍ଡି ଗୁଡ଼ିକ ଖୋଳା ଆକାଶ ତଳେ, କେଉଁ ଆମ୍ବ ତୋଟା ତ’ ପୁଣି କେଉଁଠି ପଡ଼ିଆରେ ଖୋଲି ଚାଷୀଙ୍କୁ କୌଣସି ସୁବିଧା ଓ ସେବା ଯୋଗାଇ ଦିଆଯାଉ ନାହିଁ । ଏହି ଅର୍ଥରୁ ପଞ୍ଚାୟତଗୁଡ଼ିକୁ ମଧ୍ୟ ଅଂଶ ଦେବାର ସରକାରୀ ନିର୍ଦ୍ଦେଶାନାମା ରହିଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ପଞ୍ଚାୟତକୁ ଟଙ୍କାଏ ବି ମିଳି ନାହିଁ । ବଜାର କମିଟି କମିସନ ଅର୍ଥ ପକାଇ ରଖିଥିବା ବେଳେ ଏବେ ନିକଟରେ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ କିଛି ସ୍ଥାନରେ ଗୋଦାମ ଘର ଓ ଆବରଣପିଣ୍ଡି ନିର୍ମାଣ ହୋଇଛି। ଅନ୍ୟପଟେ ପ୍ରାୟ ମଣ୍ଡିରେ କେତେକ ପୁରୁଣା କାଳିଆ ବିଦ୍ୟୁତଚାଳିତ ଓଜନ ଯନ୍ତ୍ର ଓ କିଛି କେରପାଲ ଦେଇ ବଜାର କମିଟି ନିଜ ଦାୟିତ୍ବ ସାରି ଦେଉଥିବା ଅଭିଯୋଗ ହେଉଥିବା ବେଳେ ଅନେକ ମଣ୍ଡିରେ ଧାନକିଣା ସମୟରେ ନିଜ କର୍ମଚାରୀ ମଧ୍ୟ ଉପସ୍ଥିତ ରହୁ ନ ଥିବା ଦେଖିବାକୁ ମିଳୁଛି । ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ପଦବିରେ ଖୋଦ୍ ଜିଲ୍ଲାପାଳ ରହିଥିଲେ ହେଁ ଏଭଳି ଅବ୍ୟବସ୍ଥା ଯୋଗୁଁ ଚାଷୀକୂଳ ହତାଶ ହୋଇ ପଡ଼ିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।