ରାଜ୍ୟ

ବର୍ଷ ଆରମ୍ଭରୁ ମହାବିଭ୍ରାଟ, ଦିନ ସାରା ଖାଡ଼ା ଉପାସରେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର : ବର୍ଷ ଆରମ୍ଭରୁ ମହାବିଭ୍ରାଟ। ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରବିବାର ଦିନ ଖାଡ଼ା ଉପାସରେ ଶୋଇଛନ୍ତି। ଦିନ ୧୦ଟା ପରଠାରୁ ମନ୍ଦିର ପହଡ଼ ପଡ଼ିବା ପର୍ଯ୍ୟନ୍ତ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି। ନୂଆବର୍ଷ ଉପଲକ୍ଷେ ରବିବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ଏ ଅବ୍ୟବସ୍ଥା ସେମାନଙ୍କୁ କଷ୍ଟ ଦେଇଛି। ଠାକୁରଙ୍କ ନୀତିକାନ୍ତି ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ଆଡ଼କାଠ ଠାରୁ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଛନ୍ତି।

ସୂଚନା ଅନୁଯାୟୀ, ନୂଆବର୍ଷ ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଠିକ୍‌ ସମୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ଅବକାଶ, ରୋଷ ହୋମ ନୀତି ମଧ୍ୟ ଅନୁଷ୍ଠିତ ହୋଇଥିଲା। କିନ୍ତୁ ସେବାୟତ ବେଶରେ କପିଳେଶ୍ବରର ଜଣେ ବରିଷ୍ଠ ନାଗରିକ ଭୋଗ ମଣ୍ଡପ ପଟେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପଶିବାରୁ ସେଠାରେ ଥୁଆ ହୋଇଥିବା କୋଠ ଭୋଗ ଓ ସୁଆର ସେବାୟତଙ୍କ ପ୍ରସ୍ତୁତ ଅନ୍ୟ ଭୋଗ ମାରା ହୋଇଯାଇଥିଲା। ଭୋଗ ମଣ୍ଡପ ନୀତି ଚାଲୁଥିବା ବେଳେ ଏହି ବିଭ୍ରାଟ ଘଟିବାରୁ ପାଳିଆ ପୂଜାପଣ୍ଡା ଠାକୁରଙ୍କ ପୂଜା ବନ୍ଦ କରିଦେଇଥିଲେ। ମାରା ଭୋଗକୁ ଅମୁଣିଆ କୂଅରେ ପୋତିବାକୁ ସୁଆର ସେବାୟତଙ୍କୁ କୁହାଯାଇଥିଲା।

ତେବେ ସୁଆର ସେବାୟତଙ୍କ ସବୁ ଭୋଗ ‌ଫିଙ୍ଗା ହେଲା ନାହିଁ ବୋଲି ଅଭିଯୋଗ କରି ବଡ଼ୁ ନିଯୋଗ ପକ୍ଷରୁ ମନ୍ଦିର ଗର୍ଭଗୃହ ପ୍ରବେଶ ଦ୍ବାରକୁ ବନ୍ଦ କରି ଦିଆଯାଇଥିଲା। ସବୁ ଭୋଗ ଫିଙ୍ଗା ନହେବା ପର୍ଯ୍ୟନ୍ତ ଫାଟକ ଖୋଲାଯିବ ନାହିଁ ବୋଲି ନିଯୋଗ ମୁଖ୍ୟ ଅଡ଼ି ବସିବା ସହ ମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ରୋକଠୋକ୍‌ ଶୁଣାଇ ଦେଇଥିଲେ। ଏପଟେ ସୁଆର ସେବାୟତମାନେ ବି ନିଜ ଜିଦ୍‌ରେ ଅଟଳ ରହିଥିଲେ। ଭୋଗ ଫିଙ୍ଗା ହେଲା କି ନାହିଁ, ତାହା ମନ୍ଦିର ପ୍ରଶାସନର ସୁପରଭାଇଜର୍‌, ଚର୍ଚ୍ଚେଇତେ ତଦାରଖ କରିବେ। ଅନ୍ୟ କାହାରିକୁ ଆମର ସଫେଇ ଦେବାର ନାହିଁ ବୋଲି କହିଥିଲେ।

ଅପରପକ୍ଷେ, ମଣ୍ଡପରେ ଥିବା ସବୁ ଭୋଗ ଫିଙ୍ଗା ଯାଇଛି ବୋଲି ବ୍ରାହ୍ମଣ ନିଯୋଗ ମୁଖ୍ୟ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ତେବେ ସେବାୟତଙ୍କ ମଧ୍ୟରେ ଏହିପରି ବିବାଦ ଯୋଗୁଁ ମନ୍ଦିରରେ ଆଉ ନୀତି ହୋଇ ନଥିଲା। ଅପରାହ୍‌ଣ ସାଢ଼େ ୨ଟାରେ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ନିଯୋଗ ସମ୍ପାଦକମାନଙ୍କୁ ବୈଠକ ପାଇଁ ଡକାଯାଇଥିଲା। କିନ୍ତୁ କେହି ବୈଠକକୁ ଆସିନଥିଲେ। ଫଳରେ ଦିନ ୧୦ଟା ପରଠାରୁ ରାତି ପର୍ଯ୍ୟନ୍ତ ମହାପ୍ରଭୁ ଉପାସରେ ରହିଥିଲେ। ଅପରପକ୍ଷେ, କପିଳେଶ୍ବରର ଯେଉଁ ବରିଷ୍ଠ ନାଗରିକଙ୍କ ପାଇଁ ଆଜି ଭୋଗ ମାରା ହୋଇଛି, ତାଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।