ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପ୍ରସଙ୍ଗ: ଖର୍ଚ୍ଚ ଚୂଡ଼ାନ୍ତ ହୋଇନି, ବିମାନ ଉଡ଼ିବ କେମିତି?

ଭୁବନେଶ୍ବର : ଭୁବନେଶ୍ବରରୁ ବିଦେଶକୁ ବିମାନ ଉଡ଼ାଣ ନିତାନ୍ତ ଆବଶ୍ୟକ। ତାହା ଏବେ ରାଜ୍ୟ ସରକାର ହେଜିଛନ୍ତି। ଏଥିପାଇଁ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। ଗତ ୨୭ରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଇଣ୍ଡିଗୋ ବିମାନ ଭୁବନେଶ୍ବରରୁ ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକ୍‌କୁ ଉଡ଼ାଣ କରିବ। ଏଥିନିମନ୍ତେ ରାଜ୍ୟ ସରକାର ବିମାନ ଚଳାଚଳ ଖର୍ଚ୍ଚ ବହନ କରିବେ ଏବଂ ବିମାନ ଟିକେଟ୍ ବୁକିଂ ଖର୍ଚ୍ଚ ସଂପୂର୍ଣ୍ଣ ରୂପେ ପାଇବେ। କିନ୍ତୁ ଏଥିପାଇଁ ସରକାର କେତେ ଖର୍ଚ୍ଚ କରିବେ, ତାହା କୁହାଯାଇ ନାହିଁ।

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ବରରୁ ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକ୍‌କୁ ସିଧା ବିମାନ ଉଡ଼ାଣ ପାଇଁ ଯେଉଁ ଟେଣ୍ଡର ଆହ୍ବାନ ହୋଇଥିଲା ସେଥିରେ କେବଳ ଇଣ୍ଡିଗୋ ଏୟାରଲାଇନ୍ସ ଆବେଦନ କରିଥିଲା। ଏହା ସିଙ୍ଗଲ୍ ଟେଣ୍ଡର ହୋଇଥିବାରୁ ଏହାକୁ ବାତିଲ୍ କରି ପୁଣି ଥରେ ଟେଣ୍ଡର ଆହ୍ବାନ କରିବାର ନିୟମ ରହିଛି। ଏହାପରେ ପୁଣି ସିଙ୍ଗଲ୍ ଟେଣ୍ଡର ହୋଇଥିଲେ ଏହାକୁ ଅନୁମୋଦନ ପାଇଁ କ୍ୟାବିନେଟ୍‌କୁ ପଠାଯାଇପାରିଥାନ୍ତା। କିନ୍ତୁ ପରିବହନ ବିଭାଗର ଅଧିକାରୀମାନେ ଏହାକୁ ବାତିଲ୍‌ ନକରି ପ୍ରଥମ ଥରରେ ‌ହିଁ କ୍ୟାବିନେଟ୍‌ ଅନୁମୋଦନ ପାଇଁ ପଠାଇଦେଲେ। ଯାହା ସଂପୂର୍ଣ୍ଣ ରୂପେ ବେଆଇନ ବୋଲି କୁହାଯାଉଛି।

ଦ୍ବିତୀୟରେ ରାଜ୍ୟ ସରକାର ପକ୍ଷରୁ ଇଣ୍ଡିଗୋକୁ ଉଡ଼ାଣ ଖର୍ଚ୍ଚ ଦେବାକୁ ଯେତେବେଳେ ଅନୁମୋଦନ ଦିଆଗଲା ସେତେବେଳେ କ୍ୟାବିନେଟ୍‌ରେ କାହିଁକି ଇଣ୍ଡିଗୋକୁ କେତେ ଅର୍ଥ ଦିଆଯିବ କୁହାଗଲାନି।

ପୂର୍ବରୁ ଯେଉଁ ଟେଣ୍ଡର କ୍ୟାବିନେଟ୍ ଅନୁମୋଦନ ପାଏ ସେନେଇ କ୍ୟାବିନେଟ୍‌ରେ ଅର୍ଥ ଦେଣନେଣ ସମ୍ବନ୍ଧୀୟ ସବିଶେଷ ସୂଚନା ଦିଆଯାଏ। ହେଲେ ଏହି ବୈଠକରେ କାହିଁକି କେତେ ଅର୍ଥ ଇଣ୍ଡିଗୋକୁ ପ୍ରତି ଉଡ଼ାଣ ପିଛା ଦିଆଯିବ କୁହାଗଲାନି। ବାସ୍ତବରେ ଇଣ୍ଡିଗୋର ଟେଣ୍ଡରକୁ ଅନୁମୋଦନ କରାଯାଇଛି ନା ନାହିଁ ସେନେଇ ପ୍ରଶ୍ନ ଉଠିଛି।

ତୃତୀୟରେ ରାଜ୍ୟ ସରକାର ସପ୍ତାହକୁ ତିନି ଦିନ ଉଡ଼ାଣ କଲେ ଉଡ଼ାଣ ଟ୍ରିପ୍ ପିଛା ଅର୍ଥ ଦେବେ ବୋଲି କହିଥିଲେ। ହେଲେ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ସପ୍ତାହକୁ ଦୁଇ ଦିନ ବିମାନ ଉଡ଼ାଣ ହେବ ବୋଲି ଇଣ୍ଡିଗୋ କୋଟେସନ୍ ଦେବା ପରେ ରାଜ୍ୟ ସରକାର ଏଥିରେ ରାଜି ହୋଇଗଲେ।

ସବୁ ସର୍ତ୍ତ କଥା ଚୂଡ଼ାନ୍ତ ନକରି ପରିବହନ ବିଭାଗର ଅଧିକାରୀମାନେ ତରବରିଆ ଭାବେ ସିଙ୍ଗଲ୍‌ ଟେଣ୍ଡରକୁ ଯେମିତି କ୍ୟାବିନେଟ୍‌ରେ ଅନୁମୋଦନ କରାଇଲେ ସେନେଇ ପ୍ରଶ୍ନ ଉଠିଲାଣି। ଯଦି ଫ୍ଲାଇ ଦୁବାଇ, ଏୟାର ଏସିଆ ଭଳି ସଂସ୍ଥା ରାଜ୍ୟ ସରକାରଙ୍କୁ ପୂର୍ବରୁ ବିଦେଶକୁ ବିମାନ ଉଡ଼ାଣ ପାଇଁ ସହଯୋଗ ମାଗିଥିଲେ ତେବେ ବିଭାଗର ଅଧିକାରୀମାନେ ସେମାନଙ୍କ ସହ କ’ଣ ଆଲୋଚନା କରିଛନ୍ତି, ଏମିତି କ’ଣ ସର୍ତ୍ତ ଥିଲା ଯେ ସେମାନେ ଆବେଦନ କଲେନି ସେନେଇ କେହି ପ୍ରଶ୍ନ ଉଠାଇଲେ ନାହିଁ। ଯଦି ପ୍ରଥମ ପ୍ରୟାସରେ ସିଙ୍ଗଲ୍‌ ଟେଣ୍ଡର ହେଲା, ହୁଏତ ଦ୍ବିତୀୟ ପ୍ରୟାସରେ ଅଧିକ ଏୟାରଲାଇନ୍ସ ଭାଗ ନେଇଥାନ୍ତେ। ଏହାପରେ ରାଜ୍ୟ ସରକାର ଉଡ଼ାଣ ପିଛା ଦେବାକୁ ଥିବା ଅର୍ଥ ଉପରେ ମୂଲଚାଲ କରିପାରିଥାନ୍ତେ। କିନ୍ତୁ ତାହା ହେଲାନି।

ଏନେଇ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କ୍ୟାବିନେଟ୍‌ରେ କେବଳ ଇଣ୍ଡିଗୋକୁ ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକ୍‌କୁ ଉଡ଼ାଣ ପାଇଁ ପ୍ରତି ରାଉଣ୍ଡ ଟ୍ରିପ୍ ପିଛା ଅର୍ଥ ଦିଆଯିବ ବୋଲି ଅନୁମୋଦନ ହୋଇଛି। ହେଲେ କେତେ ଅର୍ଥ ଦିଆଯିବ ତାହା ଏପର୍ଯ୍ୟନ୍ତ ଅନୁମୋଦନ ହୋଇନି। ଏହା ଅନୁମୋଦନ ହେଲା ପରେ ଏମ୍‌ଓୟୁ ସ୍ବାକ୍ଷର ହେବ। ଜରୁରୀ ଆବଶ୍ୟକତା ଦର୍ଶାଇ କ୍ୟାବିନେଟ୍‌ ଅନୁମୋଦନ କରାଯାଇଛି।

ଅପରପକ୍ଷେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ଭୁବନେଶ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସମ୍ଭବ ନୁହେଁ। ଟର୍ମିନାଲ-୨ର ନବୀକରଣ କାମ ହେଉଥିବାରୁ ଏବେ ବିମାନ ଉଡ଼ାଣ ହୋଇପାରିବନି। ଏପରିକି ପୁରୁଷ ହକି ବିଶ୍ବକପ୍‌ ପାଇଁ ବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସୁଯୋଗ ନାହିଁ। ବିମାନ ଉଡ଼ାଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇନଥିଲା ବେଳେ କିପରି ମୁଖ୍ୟ ସଚିବ ଆସନ୍ତା ମାସେରୁ ଦେଢ଼ମାସ ମଧ୍ୟରେ ବିମାନ ଉଡ଼ିବ ବୋଲି କହିଲେ, ସେନେଇ ପ୍ରଶ୍ନ ଉଠିଲାଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।