ରାଜ୍ୟ ସ୍ପେଶାଲ ରିପୋର୍ଟ

ନଜରରେ ୨୦୨୪ ସାଧାରଣ ନିର୍ବାଚନ: ଲୋକାର୍ପଣ ହେବ ବହୁ ରେଳ ପ୍ରକଳ୍ପ

ଭୁବନେଶ୍ବର : ୨୦୨୪ରେ ସାଧାରଣ ନିର୍ବାଚନ। ତା’ପୂର୍ବରୁ ରେଳ ମନ୍ତ୍ରଣାଳୟ ଫୋକସ୍‌ରେ ଓଡ଼ିଶା। ନିର୍ବାଚନକୁ ନଜରରେ ରଖି ୨୦୨୩ରେ ଏକାଧିକ ପୁରୁଣା ପ୍ରକଳ୍ପ କାର୍ଯ୍ୟ ଶେଷ ସହ ନୂଆ ଟ୍ରେନ୍‌ ଚଳାଇବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏମିତିକି ଏପ୍ରିଲ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ୩ରୁ ୪ ଟି ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ଯେଉଁଥିରେ ବହୁ ପ୍ରତୀକ୍ଷିତ ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ରହିଛି। ହରିଦାସପୁର-ପାରାଦୀପ ରେଳ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବା ନେଇ ମଧ୍ୟ ପ୍ରସ୍ତୁତି ସରିଛି। ଯଦି ସବୁ କିଛି ଠିକ୍‌ ଚାଲେ ତେବେ ଏପ୍ରିଲ/ମେ’ ମାସରେ ଏହି ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଗଡ଼ିବ। ସେହିପରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ ୨୦୨୩ ମାର୍ଚ୍ଚ ସୁଦ୍ଧା ବନ୍ଦେ ଭାରତ ଟ୍ରେନ୍‌ ସହ ଜାନୁଆରି ୨୫ରେ ଜଗନ୍ନାଥ ସର୍କିଟ୍‌ ଟ୍ରେନ୍‌ ଚାଲିବ।

ପ୍ରଥମାର୍ଦ୍ଧରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ
ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ଶେଷ, ଉଦ୍‌ଘାଟନକୁ ଅପେକ୍ଷା
ହରିଦାସପୁର-ପାରାଦୀପ ଲାଇନ୍‌ରେ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍‌

ଅଢେ଼ଇ ଦଶନ୍ଧିର ପ୍ରତୀକ୍ଷା ପରେ ୨୦୨୦ ସେପ୍ଟେମ୍ବର ୨୦ରେ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସହିତ ମାଲବାହୀ ଟ୍ରେନ୍‌ ଗଡ଼ିଥିଲା। କିନ୍ତୁ ଇତିମଧୢରେ ଅଢ଼େଇ ବର୍ଷ ପୂରିବାକୁ ବସିଥିଲେ ବି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିପାରି ନାହିଁ। ୨୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୮୨କିମି ଏହି ରେଳ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଦାବି ନେଇ ବିଭିନ୍ନ ରାଜନୈତିକ, ସାମାଜିକ ଅନୁଷ୍ଠାନ ଆନ୍ଦୋଳନ କରିଛନ୍ତି। ଏମିତିକି ଗତ ଅଗଷ୍ଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଘଟଣାରେ ହସ୍ତକ୍ଷେପ କରି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଚିଠି ଲେଖି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଉପରେ ବିଚାର କରିବାକୁ କହିଥିଲେ। ସୂଚନା ଅନୁଯାୟୀ ଏହା ଭିତରେ କମିସନ୍‌ ଅଫ୍‌ ରେଲୱେ ସେଫ୍ଟି(ସିଆରଏସ୍‌) ପକ୍ଷରୁ ରେଳ ଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ନେଇ ଅନୁଧ୍ୟାନ ସରିଛି। ଷ୍ଟେସନ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଶେଷ କରି ଖୁବ୍‌ଶୀଘ୍ର ଟ୍ରେନ୍‌ ‌ଚାଲିବା ଲାଗି ରୂପରେଖ ପ୍ରସ୍ତୁତ ହେଉଛି।

୮୨ କିମି ବ୍ୟାପୀ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍‌ ବିଛାଇବା କାର୍ଯ୍ୟ ସରିଛି। ଷ୍ଟେସନଗୁଡ଼ିକ ନିର୍ମାଣ ସହ ଆନୁଷଙ୍ଗିକ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ। ଦୁଇରୁ ତିନି ମାସ ମଧ୍ୟରେ ପ୍ରକଳ୍ପର ସମସ୍ତ କାର୍ଯ୍ୟ ଶେଷ କରି ଏହି ‌ନୂଆ ରେଳ ଲାଇନ୍‌ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ‌ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ମାର୍ଚ୍ଚରୁ ଜୁନ୍‌ ମାସ ମଧ୍ୟରେ ଟ୍ରେନ୍‌ ଚାଲିବାର ସମ୍ଭାବନା ଅଧିକ ରହିଛି। ଅନ୍ୟତମ ବଡ଼ ପ୍ରକଳ୍ପ ଭାବେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟର ଆଉ କିଛି ଅଂଶ ଏବର୍ଷ ଶେଷ ହେବ। ସେଥିମଧ୍ୟରୁ ନୂଆଗାଁ-ଦଶପଲ୍ଲା ଭିତରେ ନୂଆ ରେଳ ଲାଇନ୍‌ ବିଛାଇବା କାର୍ଯ୍ୟ ଶେଷ ହେବା ସହ ଟ୍ରେନ୍‌ ଚଳାଇବାକୁ ଯୋଜନା ହୋଇଛି। ବଲାଙ୍ଗୀର ପାର୍ଶ୍ବରୁ ସୋନପୁର ପର୍ଯ୍ୟନ୍ତ ରେଳ ଲାଇନ୍‌ କାମ ଏବର୍ଷ ସରିବ।

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ ୨୦୨୩ରେ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଗଡ଼ିବ। ଓଡ଼ିଶା ମଧ୍ୟ ଦେଇ ଯାଉଥିବା‌ କେଉଁ ଟ୍ରେନ୍‌କୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ କରାଯିବ ସେନେଇ ବିଚାରବିମର୍ଶ ଜାରି ରହିଛି। ସମ୍ଭବତଃ ଭୁବନେଶ୍ବର-ହାଓଡ଼ା ଜନଶତାବ୍ଦୀ ଏକ୍ସପ୍ରେସ୍‌କୁ ବନ୍ଦେ ଭାରତ ଟ୍ରେନ୍‌ରେ ପରିଣତ କରିବାକୁ ସ୍ଥିର ହୋଇଛି। ଇତି ମଧ୍ୟରେ ଉକ୍ତ ରେଳ ଲାଇନ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଘଣ୍ଟାପ୍ରତି ୧୨୦ କିମି ବେଗରେ ପରୀକ୍ଷାମୂଳକ ଭାବେ ଚଳାଯାଇଛି। ମାର୍ଚ୍ଚ ମାସ ପୂର୍ବରୁ ଏହି ଟ୍ରେନ୍‌ ଚାଲିବାର ସମ୍ଭାବନା ଅଧିକ।

ରେଳ ମନ୍ତ୍ରଣାଳୟ ଅଧୀନ ଭାରତୀୟ ରେଳବାଇ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ(ଆଇଆରସିଟିସି) ପକ୍ଷରୁ ଭାରତ ଗୌରବ ଟ୍ରେନ ମାଧ୍ୟମରେ ଶ୍ରୀଜଗନ୍ନାଥ ଯାତ୍ରା ରେଳ ଟୁର ପ୍ୟାକେଜ୍‌ ଘୋଷଣା କରାଯାଇଛି। ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ଦେଖୋ ଆପ୍‌ନା ଦେଶ’ ପଦକ୍ଷେପ ଅନୁଯାୟୀ ଏକ ସ୍ୱତନ୍ତ୍ର ଟ୍ରେନ ଶ୍ରୀଜଗନ୍ନାଥ ଯାତ୍ରା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍ ଦିଲ୍ଲୀରୁ ଆରମ୍ଭ ହୋଇ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳ ଓ ଐତିହ୍ୟସ୍ଥଳକୁ ସଂଯୋଗ କରିବ। ଅତ୍ୟାଧୁନିକ ଏସି ରେକ୍ ସହିତ ଏହି ଟ୍ରେନ୍ ଜାନୁଆରି ୨୫ରେ ଦିଲ୍ଲୀ ସଫଦରଜଙ୍ଗ୍‌ ରେଳ ଷ୍ଟେସନରୁ ବାହାରି ଫେବ୍ରୁଆରି ପହିଲାରେ ଯାତ୍ରା ଶେଷ କରିବ। ପୁରୀର ଜଗନ୍ନାଥ ମନ୍ଦିର ସମେତ ବାରଣାସୀ, ବୈଦ୍ୟନାଥ ଧାମ ଓ ଗୟା ପରିଦର୍ଶନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ରହିବ।

ଉକ୍ତ ପ୍ରକଳ୍ପଗୁଡ଼ିକ ବ୍ୟତୀତ ସମ୍ବଲପୁର-ତା‌ଳଚେର ରେଳ ଲାଇନ୍‌ର ଦୋହରୀକରଣ କାର୍ଯ୍ୟ, ତାଳଚେର-ବିମଳାଗଡ଼ ରେଳ ଲାଇନ୍‌ର ବାକି ଥିବା ଅଂଶ କାମ ମଧ୍ୟ ଏବର୍ଷ ବହୁ ପରିମାଣରେ ଆଗେଇବ। ନିକଟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ଭଦ୍ରକକୁ ଏକ ଟ୍ରେନ୍‌ ଚାଲିବ ବୋଲି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରତିଶ୍ରୁତି ଦେବା ସହ ଘୋଷଣା ମଧ୍ୟ କରିଛନ୍ତି। ତେଣୁ ୨୦୨୪ ନିର୍ବାଚନ ଦୃଷ୍ଟିରୁ ୨୦୨୩ରେ ଏହି ନୂତନ ଟ୍ରେନ୍‌ ଚାଲିବା ନେଇ ଓଡ଼ିଶାବାସୀ ଆଶାବାଦୀ ଅଛନ୍ତି।

ରେଳ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ସମସ୍ତ ରେଳ ପ୍ରକଳ୍ପ ଓଡ଼ିଶାବାସୀଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ। ତେଣୁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ କିଭଳି ଧାର୍ଯ୍ୟ ସମୟରେ ‌ଶେଷ ହେବ ସେନେଇ କାମ ଚାଲିଛି। ପାଖାପାଖି ଦେଢ଼ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଚଳିତବର୍ଷ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗୀକୃତ ହେବ। ୨୦୨୩ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସି ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରିବାର ସମ୍ଭାବନା ଅଧିକ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।