ରାଜ୍ୟ ସ୍ପେଶାଲ ରିପୋର୍ଟ

ନବକଳେବରକୁ ବିତିଲାଣି ୭ବର୍ଷ: ଖର୍ଚ୍ଚ ହିସାବ ପାଉନାହାନ୍ତି ସରକାର

ଭୁବନେଶ୍ବର : ୨୦୧୫ରେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଲାଗି ସଜେଇ ହୋଇଥିଲା ପୁରୀ ସହର। ରାସ୍ତାଘାଟ ଉନ୍ନତୀକରଣ ସାଙ୍ଗକୁ ଦେଶ ବିଦେଶରୁ ଆସୁଥିବାରୁ ପର୍ଯ୍ୟଟକଙ୍କୁ ଅନନ୍ୟ ଅନୁଭୂତି ଦେବା ଲକ୍ଷ୍ୟରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ସମେତ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ କାମ ଦାୟିତ୍ବ ଦିଆଯାଇଥିଲା। କେଉଁ ପ୍ରକଳ୍ପ କେବେ ସରିବ ତାହାର ରୂପରେଖ ପ୍ରସ୍ତୁତ କରିଥିଲେ ରାଜ୍ୟ ସରକାର। ଇତିମଧ୍ୟରେ ୭ବର୍ଷ ବିତିଗଲାଣି, ମାତ୍ର ୨୦୧୪-୧୫ ଓ ୨୦୧୫-୧୬ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ଅନେକ ପ୍ରକଳ୍ପ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇନି। ଏମିତି କିଛି ପ୍ରକଳ୍ପ ରହିଛି, ଯାହାର କାମ ଆରମ୍ଭ ମଧ୍ୟ ହୋଇନାହିଁ। ଯେଉଁ ପ୍ରକଳ୍ପଗୁଡ଼ିକର କାମ ଶେଷ ହୋଇଛି, ତାହାର ଖର୍ଚ୍ଚ ହିସାବ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇନାହିଁ। କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ମଞ୍ଜୁର ହୋଇଥିବା ଅର୍ଥ ଦିଆଯାଇଥିଲେ ମଧ୍ୟ ଏ ସମ୍ପର୍କରେ ସରକାରଙ୍କୁ ବିନିଯୋଗ ପ୍ରମାଣପତ୍ର ଦେଇନାହାନ୍ତି।

୨୦୧୪-୧୫ ଆର୍ଥିକ ବର୍ଷରେ ଜାତୀୟ ରାଜପଥ-୨୦୩(ଏ)ରୁ ଅଲାରନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ବିକାଶ ଲାଗି ୩କୋଟି ଓ ଅଲାରନାଥ ମନ୍ଦିର କମ୍ପ୍ଲେକ୍ସ, ଆନନ୍ଦ ବଜାର କମ୍ପ୍ଲେକ୍ସ ଓ ବିଦ୍ୟୁତୀକରଣ କାମ ଲାଗି ୩କୋଟି ଟଙ୍କା ମଞ୍ଜୁର ହୋଇଥିଲା। କାର୍ଯ୍ୟ ମଧ୍ୟ ଇତିମଧ୍ୟରେ ଶେଷ ହୋଇଛି। ସେହି ବର୍ଷ ପୁରୀ ରଥଯାତ୍ରା ସମୟରେ ସୁଲଭ ଶୌଚାଳୟ ମରାମତି ବାବଦରେ ୪.୮୨ଲକ୍ଷ ଟଙ୍କା ଦିଆଯାଇଥିଲା। ୮ଟି ଶୌଚାଳୟ କମ୍ପ୍ଲେକ୍ସ ନିର୍ମାଣ ଲାଗି ୧ କୋଟି ୨୯ ଲକ୍ଷ ୯୩ ହଜାର ଟଙ୍କା ମଞ୍ଜୁର ମଧ୍ୟ ହୋଇଥିଲା। ଉକ୍ତ ସମସ୍ତ ପ୍ରକଳ୍ପକୁ ଶେଷ ହେବାକୁ ୭ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିନିଯୋଗ ପ୍ରମାଣପତ୍ର ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚି ପାରିନାହିଁ। କାମ କରୁଥିବା ସଂସ୍ଥାଗୁଡ଼ିକ କାହିଁକି ତଥ୍ୟ ଦେଉନାହାନ୍ତି, ସେନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

୮ ଶୌଚାଳୟ କମ୍ପ୍ଲେକ୍ସ ପାଇଁ କୋଟିଏ ୩୦ ଲକ୍ଷ
ଅଲାରନାଥ ମନ୍ଦିରର ବିକାଶ କାର୍ଯ୍ୟ ଆରମ୍ଭ ହୋଇନି
୨୭ତାରିଖ ସୁଦ୍ଧା ଖର୍ଚ୍ଚର ହିସାବ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୦୧୫-୧୬ ଆର୍ଥିକ ବର୍ଷରେ ସଂସ୍କୃତି ବିଭାଗ ପକ୍ଷରୁ ଅଲାରନାଥ ମନ୍ଦିରର ବିକାଶ(ପାଚେରି ଓ ପକ୍କା ଚଟାଣ ନିର୍ମାଣ) ଲାଗି ୬୯.୦୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନି। ନୂଆନଈ ଜଳ କ୍ରୀଡ଼ାଙ୍ଗନର ବିକାଶ(ପାର୍କ ନିର୍ମାଣ ଓ ମତ୍ସ୍ୟ ଧରିବା ସୁବିଧା) କରିବାକୁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ମାତ୍ର ୬ ବର୍ଷ ବିତିଥିଲେ ମଧ୍ୟ କାର୍ଯ୍ୟ ଶେଷ ହୋଇନାହିଁ। ୨୦୧୫-୧୬ରେ ନରେନ୍ଦ୍ର ପୋଖରୀ ଫ୍ଲୋଟିଂ ମ୍ୟୁଜିକାଲ ଫାଉଣ୍ଟେନ୍‌ ଏବଂ ମଲଟିମିଡିଆ ଲେଜର୍‌ ସୋ’ ଦେଖିବା ଲାଗି ବସିବା ସୁବିଧା ଓ ବାରିକେଡ୍‌ ନିର୍ମାଣ ଲାଗି ୨୭.୫୪ ଲକ୍ଷ, ଉକ୍ତ ସୋ’ର ଭଏସ୍‌ ଓଭର, ଗୀତ ରେକର୍ଡିଂ, ମିକ୍ସିଂ ପରି ବିଭିନ୍ନ ସଂଶୋଧିତ କାର୍ଯ୍ୟ ଲାଗି ୧୪.୭୫ ଲକ୍ଷ ଟଙ୍କା ୨୦୧୭-୧୮ ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିଲା। ଉକ୍ତ ଦୁଇଟି କାର୍ଯ୍ୟକୁ ଇଡ୍‌କୋ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିନିଯୋଗ ପ୍ରମାଣପତ୍ର ଦାଖଲ କରି ନାହିଁ। ପୁରୀ ଜିଲ୍ଲାର ଅରାଗଡ଼ରେ ଥିବା ବୌଦ୍ଧ ପର୍ଯ୍ୟଟନସ୍ଥଳୀର ସଂରକ୍ଷଣ ଲାଗି ୨୦୧୮-୧୯ରେ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ କାର୍ଯ୍ୟ ‌ସରିନି। ଶ୍ରୀଗୁଣ୍ଡିଚା ମନ୍ଦିରର ବିକାଶ ଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ୬୬ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହା ଏବେ ବି ଜାରି ରହିଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ଦର୍ଶାଯାଇଛି।

୬୪ ହଜାର ଟଙ୍କା ବିନିଯୋଗରେ ପୁରୀ ରେଳ ଷ୍ଟେସନରେ ଥିବା ପର୍ଯ୍ୟଟକ ସୂଚନା କେନ୍ଦ୍ରର ମରାମତି କାର୍ଯ୍ୟ ଶେଷ ହୋଇଛି। ୭.୩୪ ଲକ୍ଷ ଟଙ୍କା ବ୍ୟୟରେ ସାତପଡ଼ାରେ ହାଇ-ମାଷ୍ଟ ଲାଇଟ୍‌ର ମରାମତି କାର୍ଯ୍ୟ ଏବେ ଟେଣ୍ଡର ପ୍ରକ୍ରିୟାରେ ରହିଛି। ଦିଗ୍‌ବାରେଣୀ ଛକଠାରୁ ଲାଇଟ୍‌ ହାଉସ୍‌ ପର୍ଯ୍ୟନ୍ତ ସମୁଦ୍ର କୂଳବର୍ତ୍ତୀ ଉଠାଦୋକାନୀଙ୍କ ଲାଗି ଭେଣ୍ଡିଂ-ଜୋନ୍‌ ନିର୍ମାଣ ଲାଗି ୩କୋଟି ୪୦ ଲକ୍ଷ ଟଙ୍କା‌ ମଞ୍ଜୁର ଦିଆଯାଇଥିଲା। ତାହାର କାର୍ଯ୍ୟ ଏବେ ଆରମ୍ଭ ହୋଇଛି। କୋଣାର୍କ ମେରାଇନ୍‌-ଡ୍ରାଇଭ୍‌ ଇକୋ-ରିଟ୍ରିଟ୍‌କୁ ଅସ୍ଥାୟୀ ବିଦ୍ୟୁତ୍‌ ଯୋଗାଣ ଲାଗି ୪୫.୨୭ ଲକ୍ଷ ଦାଖଲ ଓ ସଂଯୋଗ କାର୍ଯ୍ୟ ଲାଗି ୭୦.୮୭ ଲକ୍ଷ, ରାମଚଣ୍ଡୀ ପୁଲିସ ଷ୍ଟେସନ୍‌ ନିକଟରେ ପାର୍କିଂ ସ୍ଥଳର ବିକାଶ ଲାଗି ୩୪.୭୫ଲକ୍ଷ, ଚନ୍ଦ୍ରଭାଗା ସମୁଦ୍ର କୂଳକୁ ସଂଯୋଗୀକରଣ ରାସ୍ତା ଲାଗି ୨୩.୬୭ ଲକ୍ଷ, ଇକୋ ରିଟ୍ରିଟ୍‌ ସମୟରେ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟ ଲାଗି ୨୩.୩୩ ଲକ୍ଷ, ମେରାଇନ୍‌ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌କୁ ପାନୀୟ ଜଳ ଯୋଗାଣ ଓ ଅବର୍ଜନା ନିଷ୍କାସନ ବ୍ୟବସ୍ଥା କରିବାକୁ ୧କୋଟି ୩ ଲକ୍ଷ ୪୫ ହଜାର ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ବିନିଯୋଗ ପ୍ରମାଣପତ୍ର ଏଯାଏ ସରକାରଙ୍କୁ ମିଳିନି। ୨୦୨୦-୨୧ ଆର୍ଥିକ ବର୍ଷରେ ଇକୋ-ରିଟ୍ରିଟ୍‌ର ଭିତ୍ତିଭୂମି ବିକାଶ ଲାଗି ୧କୋଟି ୯୩ ଲକ୍ଷ ଟଙ୍କାର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଖର୍ଚ୍ଚ ହିସାବ ନାହିଁ।

ଏପର୍ଯ୍ୟନ୍ତ ଖର୍ଚ୍ଚର ହିସାବ ମିଳି ନ ଥିବାରୁ ରାଜ୍ୟ ସରକାରଙ୍କୁ ହଇରାଣ ହେବାକୁ ପଡ଼ୁଛି। ଏଜି ଅଡିଟ୍‌ ଓ ବିଧାନସଭାରେ ପ୍ରଶ୍ନ ଉତ୍ତର ସମୟରେ ପର୍ଯ୍ୟଟନ ବିଭାଗ ଠିକ୍‌ ତଥ୍ୟ ଉପସ୍ଥାପନ କରିପାରୁନାହିଁ। ତେଣୁ ଆସନ୍ତା ୨୭ ତାରିଖ ସୁଦ୍ଧା ଓଟିଡିସି ବ୍ୟତୀତ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ପୁରୀରେ କରାଯାଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ରିପୋର୍ଟ ଦାଖଲ କରିବାକୁ ପୁରୀ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କାଗଜପତ୍ରରେ ଜିଲ୍ଲାପାଳଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ। ଏହାକୁ ଗୁରୁତ୍ବର ସହ ଗ୍ରହଣ କରିବାକୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।