ରାଜ୍ୟ ସ୍ପେଶାଲ ରିପୋର୍ଟ

୧୨୬ ବର୍ଷୀୟ ଯୁବକ ସ୍ବାମୀ ଶିବାନନ୍ଦ

ପୁରୀ: ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁବ ନାହିଁ ବୋଲି ଯେମିତି ରାଣ ଖାଇଛି। ୧୨୬ଟି ବସନ୍ତକୁ ପାର୍‌ ହୋଇସାରିଥିଲେ ବି ଯୁବ ସୁଲଭ ମନ ଏବେ ବି ଫିକା ପଡ଼ିନାହିଁ। ସେ ପ୍ରବଚକ ନୁହଁନ୍ତି, କିନ୍ତୁ ବୟସ୍କଙ୍କ ମଧ୍ୟରେ ଯୁବକତ୍ବର ଶକ୍ତି ଭରିପାରୁଥିବା ଜଣେ ସିଦ୍ଧ ପୁରୁଷ। ନାଁ ତାଙ୍କର ସ୍ବାମୀ ଶିବାନନ୍ଦ। ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ବେଳେ ରାଷ୍ଟ୍ରପତିଙ୍କ ପାଦ ଛୁଇଁ ମୁଣ୍ଡିଆ ମାରି ଚର୍ଚ୍ଚାକୁ ଆସିଥିବା ସ୍ବାମୀ ଶିବାନନ୍ଦଙ୍କ ଜୀବନ କାହାଣୀ ଯେତିକି ପ୍ରେରଣାଦାୟୀ ସେତିକି ଅନୁକରଣୀୟ। ଆଜି ଏକ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁରୀ ସୁନ୍ଦରା ଜାଗାକୁ ଆସିଥିବା ବେଳେ ସାଉଁଟିଥିଲୁ ତାଙ୍କ ପ୍ରେରଣାଦାୟୀ ଜୀବନ କାହାଣୀ।

ଦିନକୁ ୨ ଘଣ୍ଟା ଚାଲୁଛନ୍ତି, ଶୀର୍ଷାସନ କରୁଛନ୍ତି
‘ଅଭିଳାଷ ନାହିଁ, ରୋଗ ନାହିଁ’ ଜୀବନ ମନ୍ତ୍ର

୧୨୬ ବର୍ଷରେ ସ୍ବାମୀ ଶିବାନନ୍ଦ ଯୁବ ସୁଲଭ ଜୀବନ ନିର୍ବାହ କରୁଥିବାର ରହସ୍ୟ ପଚାରିବାରେ ସେ କହିଥିଲେ, ‘ନୋ ଡିଜାୟାର, ନୋ ଡିଜିଜ’ ଅର୍ଥାତ ଅଭିଳାଶ ନାହିଁ ତ ରୋଗ ନାହିଁ। ଏହା ହିଁ ତାଙ୍କ ଜବୀନର ମନ୍ତ୍ର। ଅବିଭକ୍ତ ବାଂଲାଦେଶର ସିଲହଟରେ ୧୮୯୬ ମସିହା ଅଗଷ୍ଟ୮ ତାରିଖରେ ଜନ୍ମଗ୍ରହଣ କରିଥିବା ଶିବାନନ୍ଦଙ୍କ ବାପା ଶ୍ରୀନାଥ ଗୋସ୍ବାମୀ ଭିକ୍ଷାବୃତ୍ତି କରି ଘର ଚଳାଉଥିଲେ। ଶିବାନନ୍ଦଙ୍କୁ ୪ ବର୍ଷ ହୋଇଥିବା ବେଳେ ବାପା ନେଇ ତାଙ୍କୁ ନଦିଆ ନବଦ୍ବୀପ ଆଶ୍ରମରେ ଛାଡ଼ିଦେଲେ। ତାଙ୍କ ଭଉଣୀ ଆରତି ଖାଦ୍ୟ ଅଭାବରୁ ଆରପାରିକୁ ଚାଲିଗଲେ। ୬ ବର୍ଷ ହୋଇଥିବା ବେଳେ ବାପା ଶ୍ରୀନାଥ ଓ ମା’ ଭଗବତୀ ଦେବୀଙ୍କର ଦେହାନ୍ତ ହୋଇଗଲା। ୬ ବର୍ଷ ବୟସରେ ତାଙ୍କୁ ଯେବେ ବାପା ମା’ଙ୍କ ମୁହଁରେ ନିଆଁ ଦେବାକୁ କୁହାଗଲା, ସେ କହିଲେ ମୋତେ ଜନ୍ମ ଦେଇଥିବା ବ୍ୟକ୍ତିଙ୍କ ମୁହଁରେ ମୁଁ ନିଆଁ ଦେବି ନାହିଁ।

ବରଂ ପାଦରେ ନିଆଁ ଦେବି। ସେୟା ହିଁ ହେଲା। ସେବେଠୁ‌ ସେ ଆଶ୍ରମରେ ଜୀବନ ନିର୍ବାହ କଲେ। ତାଙ୍କର ଉକ୍ତି ଥିଲା, ଏ ବିଶ୍ବ ମୋ ଘର, ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମୋ ପରିବାର। ସେବେଠାରୁ ଅବହେଳିତ ତଥା କୁଷ୍ଠ ରୋଗୀଙ୍କୁ ସେ ଯଥା ସମ୍ଭବ ଦାନ ଦେଇ ଆସୁଛନ୍ତି।

ତାଙ୍କ ମତରେ ଭଗବାନଙ୍କଠାରୁ ଗୁରୁ ମହାନ। ମାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ବହୁତ ଶ୍ରଦ୍ଧା କରନ୍ତି। ୫୦ ବର୍ଷ ହେଲା ପ୍ରତି ବର୍ଷ ପୁରୀ ଆସୁଛନ୍ତି। ମହାପ୍ରଭୁଙ୍କ ଯୋଗୁ ସେ ସୁସ୍ଥ ଥିବା ମଧ୍ୟ କହିଛନ୍ତି। ତାଙ୍କର ବଡ଼ ଆଶ୍ରମ ନାହିଁ କି କାହାଠାରୁ ଦାନ ନିଅନ୍ତି ନାହିଁ। ବନାରସରେ ଏବେ ଏକ ବଖୁରିଆ ଘରେ ଜୀବନଯାପନ କରୁଛନ୍ତି। ଭୋର୍‌ ୩ଟାରୁ ଉଠିବା ପରେ ୨ ଘଣ୍ଟା ଚାଲିବା ସହ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ପରେ ଘଣ୍ଟାଏ। ଶୀର୍ଷାସନ ସହ ଅନ୍ୟାନ୍ୟ ଯୋଗାଭ୍ୟାସ କରୁଛନ୍ତି।

ମୁଢ଼ି, ନରମ ଭାତ, ଅମୃତଭଣ୍ଡା ସହ ସିଝାସିଝି ଖାଦ୍ୟ ହେଉଛି ତାଙ୍କର ସବୁଦିନର ଆହାର। ରାଷ୍ଟ୍ରପତିଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବା ସମ୍ପର୍କରେ କହିଛନ୍ତି, ସମସ୍ତଙ୍କ ମଧ୍ୟରେ ନାରାୟଣ ଅଛନ୍ତି। ସେଇ ନାରାୟଣଙ୍କୁ ସେ ପ୍ରଣାମ କରନ୍ତି। ଛୋଟ ପିଲାଙ୍କର ମଧ୍ୟ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି। ନିକଟରେ କୋଲକାତାର ଉଡ୍‌ଲାଣ୍ଡ ହସ୍ପିଟାଲ ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ପରୀକ୍ଷା କରିବା ପରେ ଚମତ୍କୃତ ହୋଇଥିଲେ। ମସ୍ତିଷ୍କ ଓ ହୃଦୟ ଯୁବକଙ୍କ ଭଳି ରହିଥିବା ବେଳେ ବିନା ଚଷମାରେ ସେ ଖବରକାଗଜ ଓ ବହି ପଢ଼ିପାରୁଛନ୍ତି। ଏବେ ବଞ୍ଚିବା ପାଇଁ ମେଡିସିନ୍‌ ଏକମାତ୍ର ସାହାରା ପାଲଟିଥିବା ବେଳେ ସ୍ବାମୀ ଶିବାନନ୍ଦ ଜୀବନକୁ ହାତ ମୁଠାରେ ଆୟତ୍ତ କରି ବଞ୍ଚିବାର କଳା ଶିଖାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।