ଅପରାଧ ରାଜ୍ୟ

ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା ପରେ କନ୍ଧମାଳରେ କମ୍ବିଂ ଜୋର୍‌ଦାର

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ମାଓଦମନ ଅଭିଯାନରେ ପୁଲିସ ଯେତେ କଠୋର ହେଉଛି, ରହି ରହି ମାଓବାଦୀ ତାର ଭୟଙ୍କର ଜବାବ ଦେଉଛି। ଗତକାଲି ସ୍ପଷ୍ଟ ଦିବାଲୋକରେ କୋଟଗଡ଼ ଥାନା ଅନ୍ତର୍ଗତ ଦୁର୍ଗାପାଙ୍ଗା ପଞ୍ଚାୟତର ବଣ୍ଡାପିପିଲି ଗ୍ରାମର ଠିକାଦାର ରମେଶ ନାୟକ(୪୨)ଙ୍କୁ ମାଓବାଦୀମାନେ ନିର୍ମମ ଭାବେ ଗୁଳିକରି ହତ୍ୟା କରିବା ପରେ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ, ମାଓପ୍ରବଣ ବିଭିନ୍ନ ଇଲାକାରେ ଆତଙ୍କ ଖେଳିଯାଇଛି। ଠିକାଦାର ରମେଶଙ୍କୁ ମାଓବାଦୀମାନେ ପୁଲିସ ଇନଫର୍ମର ଅଭିଯୋଗରେ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଓଡ଼ିଶା ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ୍‌ ହୋଇଛି।

ଅପରପକ୍ଷେ, ଏହି ଘଟଣା ପରେ ପରେ କନ୍ଧମାଳ ପୁଲିସ, ଡିଭିଏଫ୍‌ ଏବଂ ଏସ୍‌ଓଜି ବାହିନୀ ଦ୍ବାରା ସ୍ଥାନୀୟ ଜଙ୍ଗଲ ସମେତ ଜିଲ୍ଲାର ବିଭିନ୍ନ ମାଓ ଉପଦ୍ରୁତ ଇଲାକାରେ କମ୍ବିଂ ଅପରେସନ୍‌କୁ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ, ମାଓବାଦୀମାନେ ଯେଉଁ ୫ ଜଣଙ୍କୁ ଟାର୍ଗେଟ୍‌ ରଖିଥିବା ଦର୍ଶାଇଛନ୍ତି, ସେମାନଙ୍କ ପରିବାର ‌ଏବେ ଆତଙ୍କରେ କାଳ କାଟୁଛନ୍ତି। ପୁଲିସ ପକ୍ଷରୁ ସେମାନଙ୍କୁ କେବେ ଓ କିଭଳି ସୁରକ୍ଷା ଯୋଗାଇ ଦିଆଯିବ, ତାହା ସମୟ କହିବ। ମାତ୍ର, ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦିଆଯିବା ସହ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରା ଯାଇଥିବା ନେଇ କନ୍ଧମାଳ ଏସ୍‌.ପି ଭିନୀତ୍‌ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି।

ମାଓବାଦୀ ରବିବାର ଦିନ ଠିକାଦାର ରମେଶଙ୍କୁ ଗୁଳି କରି ହତ୍ୟା କରିବା ପରେ ଘଟଣାସ୍ଥଳରେ ଏକ ପୋଷ୍ଟର ଛାଡ଼ି ଯାଇଥିଲେ। ରମେଶ ବେଆଇନ ଭାବେ ସ୍ଥାନୀୟ ଆଦିବାସୀଙ୍କୁ ଶୋଷଣ କରି ବ୍ୟବସାୟ ବଢ଼ାଇବା ସହ କାଠ ଚୋରି କାରବାରରେ ଲିପ୍ତ ଥିଲେ ଏବଂ ପୁଲିସର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ପୋଷ୍ଟର୍‌ରେ ଅଭିଯୋଗ କରାଯାଇଛି। ଏଣୁ ତାଙ୍କୁ ମୃତ୍ୟୁଦଣ୍ଡ ମିଳିଲା ବୋଲି ମାଓବାଦୀ ଉଲ୍ଲେଖ କରିଛନ୍ତି। ରମେଶଙ୍କ ଭଳି ଆଉ ୫ ଜଣଙ୍କୁ ଏଭଳି ହତ୍ୟା କରାଯିବ ବୋଲି ଉକ୍ତ ପୋଷ୍ଟର୍‌ରେ ଉଲ୍ଲେଖ ରହିଥିଲା। ସ୍ଥାନୀୟ ଅଞ୍ଚଳରେ କ୍ବାକ୍‌ କାମ କରୁଥିବା ବିଭୂତି ମଣ୍ଡଳ, ଚୌକିଦାର ଟିକି, କପିଳ, ପଙ୍କଜ ମୁଣ୍ଡା, ଯୁଗେନ୍ଦ୍ର ମୁଣ୍ଡା ପ୍ରମୁଖ ପୁଲିସ ଇନ୍‌ଫର୍ମର ସାଜିଥିବାରୁ ଏମାନଙ୍କୁ ବି ହତ୍ୟା କରାଯିବ ବୋଲି ଏହି ପୋଷ୍ଟର୍‌ରେ ଉଲ୍ଲେଖ ରହିଥିଲା। ଏହି ମାଓ ପୋଷ୍ଟରରେ ‘ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ବଂଶଧାରା ଡିଭିଜନ’ ବୋଲି ଉଲ୍ଲେଖ ରହିଥିଲା। ଏହାକୁ ନେଇ ବଣ୍ଡାପିପିଲି ସମେତ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏଠା‌ରେ ପୁଲିସ ପକ୍ଷରୁ କଡ଼ା ପ୍ୟାଟ୍ରୋଲିଂ କରା ଯାଉଥିବା ନେଇ ଏସ୍‌.ପି କହିଛନ୍ତି। ବିଗତ କେତେବର୍ଷ ଧରି କନ୍ଧମାଳ-କଳାହାଣ୍ଡି, କନ୍ଧମାଳ-ରାୟଗଡ଼ା ଏବଂ କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ କେକେବିଏନ୍‌ ମାଓ ଡିଭିଜନ୍‌ ସକ୍ରିୟ ରହିଆସିଛି। କେକେବିଏନ୍‌ ମାଓ ଡିଭିଜନ୍‌ର କ୍ୟାଡର୍‌ ମାନେ ବିଭିନ୍ନ ସମୟରେ ଫିରିଙ୍ଗିଆ, ଗୋଛାପଡ଼ା, ତୁମୁଡ଼ିବନ୍ଧ, କୋଟଗଡ଼ ଥାନା ଅନ୍ତର୍ଗତ ଜଙ୍ଗଲରେ ନିଜର ଉପସ୍ଥିତି ଜାହିର କରି ଆସିଛନ୍ତି। ତେବେ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରାଯିବା ନେଇ ପୁଲିସ ପକ୍ଷରୁ ବାରମ୍ବାର ଘୋଷଣା କରା ଯାଉଥିବା ବେଳେ ମାଓବାଦୀ ସେମାନଙ୍କର ଉପସ୍ଥିତି ଜାହିର କରି ଆସୁଛନ୍ତି। ଏହାଫଳରେ କନ୍ଧମାଳରେ ମାଓ-ପୁଲିସ ମଧ୍ୟରେ ଛକାପଞ୍ଝା ବର୍ଷତମାମ ଲାଗି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।