ବଲାଙ୍ଗୀର : ଧୀରେଧୀରେ ସୁସ୍ଥ ହେଉଛନ୍ତି ଆଗଲପୁର ସରକାରୀ ପଞ୍ଚାୟତ ବାଳକ ହାଇସ୍କୁଲ ଛାତ୍ର ସଦାନନ୍ଦ ମେହେର। ସ୍କୁଲ୍ ବାର୍ଷିକ କ୍ରୀଡ଼ା ସମୟରେ ଜଣେ ଛାତ୍ର ଜାଭ୍ଲିନ୍ ଫିଙ୍ଗୁଥିବା ସମୟରେ ସଦାନନ୍ଦଙ୍କ ବେକରେ ପଶିଯାଇଥିଲା। ତିନିଘଣ୍ଟାର ଅସ୍ତ୍ରୋପଚାର ପରେ ସଦାନନ୍ଦଙ୍କ ବେକରୁ ଡାକ୍ତରୀ ଦଳ ଜାଭ୍ଲିନ୍ ବାହାର କରିଥିଲେ। ସଫଳ ଅସ୍ତ୍ରୋପଚାର ପରେ ତାଙ୍କୁ ଆଇସିୟୁ ଭିତରେ ରଖାଯାଇଛି।
ସୂଚନା ଅନୁସାରେ, ରବିବାର ଦିନ ସଦାନନ୍ଦଙ୍କୁ ତରଳ ପଦାର୍ଥ ସହିତ ଦିନବେଳା ନରମ ଭାତ ମଧ୍ୟ ଖାଇବାକୁ ଦିଆଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ଥିବା ଜଣାପଡ଼ିଛି। ତଥାପି ସଂକ୍ରମଣ ଏଡ଼ାଇବା ପାଇଁ ତାଙ୍କୁ ଆହୁରି ସାତଦିନ ଡାକ୍ତରଖାନାରେ ଅନୁଧ୍ୟାନରେ ରଖାଯିବ ବୋଲି ଏଡିଏମ୍ଓ ଡା. ପ୍ରଭାତ ରଞ୍ଜନ ରଥ ସୂଚନା ଦେଇଛନ୍ତି। ସେପଟେ ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଆଗଲପୁର ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ଅନ୍ୟ ଜଣେ ଛାତ୍ରଙ୍କ ହାତରୁ ଖସି ଜାଭ୍ଲିନ୍ ସଦାନନ୍ଦଙ୍କ ବେକରେ ପଶିଯାଇଥିଲା? ସେ ସମୟରେ କିଏ କିଏ ଉପସ୍ଥିତ ଥିଲେ? କୌଣସି ଶିକ୍ଷକ ଦାୟିତ୍ୱରେ ଅବହେଳା କରିଛନ୍ତି କି? ସେନେଇ ତଦନ୍ତ ଜାରି ରଖିଛି ଶିକ୍ଷା ବିଭାଗ। ଅନ୍ୟପକ୍ଷରେ, ଅସ୍ତ୍ରୋପଚାର କରି ସାହସିକତାର ପରିଚୟ ଦେଇଥିବା ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଡାକ୍ତରମାନଙ୍କୁ ଜନସାଧାରଣ ପ୍ରଶଂସା କରିଛନ୍ତି।