ରାଜ୍ୟ ସ୍ପେଶାଲ ରିପୋର୍ଟ

୨୦୦ ଶିକ୍ଷକ ନିଖୋଜ, ଧରାଛୁଆଁ ଦେଉନାହାନ୍ତି କି ସ୍କୁଲ ଆସୁନାହାନ୍ତି

ଭୁବନେଶ୍ବର : କାଗଜକଲମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାଁ ଗଡ଼ୁଛି। ହେଲେ ସେମାନେ ସ୍କୁଲକୁ ଆସୁନାହାନ୍ତି। କାର୍ଯ୍ୟରେ ଯୋଗ ଦେଉନାହାନ୍ତି କି ପିଲାଙ୍କୁ ପଢ଼ାଉ ନାହାନ୍ତି। ବହୁ ଦିନ ଧରି ଅନୁପସ୍ଥିତ ରହିଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଦରମା ଦିଆଯାଉ ନାହିଁ। ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପସ୍ଥାନ ଖାତାରେ ଏବେ ବି ସେମାନେ ଅଛନ୍ତି। କେ‌ତେଜଣ ଶିକ୍ଷକ ୨୦୦୭ରୁ ଅନୁପସ୍ଥିତ ରହିଛନ୍ତି। କେବଳ ଶିକ୍ଷକ ନୁହନ୍ତି, ତାଲିକାରେ କିଛି କର୍ମଚାରୀ ମଧ୍ୟ ରହିଛନ୍ତି। ‌୧୫ ବର୍ଷ ମଧ୍ୟରେ ଅନୁପସ୍ଥିତ ରହିଥିବା ପ୍ରାୟ ୨୦୦ ଶିକ୍ଷକ ଓ କର୍ମଚାରୀଙ୍କୁ ଗଣଶିକ୍ଷା ବିଭାଗ ଚିହ୍ନଟ କରିଛି। ଏଥିସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗ ଅଣ୍ଟା ଭିଡ଼ିଛି। ଯେଉଁମାନେ ନିଖୋଜ ରହିଛନ୍ତି ସେମାନଙ୍କୁ ବରଖାସ୍ତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ନିର୍ଦେଶ ଦିଆଯାଇଛି।

୧୫ ବର୍ଷ ଧରି ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସୁ ନ ଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏସମ୍ପର୍କରେ ଗଣଶିକ୍ଷା ବିଭାଗର କୌଣସି ଅଧିକାରୀଙ୍କୁ ଅବଗତ କରିନାହାନ୍ତି। ବରଂ ‌ବେଆଇନ ଭାବେ ରହୁଛନ୍ତି। ସେମାନଙ୍କୁ ଚିହ୍ନଟ କରି ୧୯୬୨ ମସିହା ଓସିଏସ୍‌(ସିସି ଆଣ୍ଡ ଏ) ନିୟମର ରୁଲ୍‌-୧୫ ଅନୁଯାୟୀ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୭ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଭାଗୀୟ ତଥ୍ୟ ଅନୁଯାୟୀ ୨୦୧୯ ସୁଦ୍ଧା ୧୮୯ଜଣ ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ ରହିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୮ଜଣ ଚୁକ୍ତିଭିତ୍ତିକ ଥିଲେ। ‌ତେଣୁ ସେମାନଙ୍କ ବାର୍ଷିକ ଚୁକ୍ତି ଅବଧି ଆଉ ନବୀକରଣ କରାଯାଇ ନାହିଁ। ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୧୫ଜଣ ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ ଥିବା ବେଳେ ଯାଜପୁରରେ ୧୧, କଳାହାଣ୍ଡି, ନବରଙ୍ଗପୁର ଓ ଗଞ୍ଜାମରେ ୧୦ ଜଣ ଲେଖାଏଁ, କନ୍ଧମାଳରେ ୯, ମୟୂରଭଞ୍ଜ, ଢେଙ୍କାନାଳରେ ଓ ଗଜପତିରେ ୮ ଜଣ ଲେଖାଏଁ, କଟକ ଓ ମାଲକାନଗିରିରେ ୬ ଜଣ ଲେଖାଏଁ, କେନ୍ଦୁଝରରେ ୪, ବାଲେଶ୍ବର, ଖୋର୍ଧା ଓ କେନ୍ଦ୍ରାପଡ଼ାରେ ୩ ଜଣ ଲେଖାଏଁ, ପୁରୀରେ ଦୁଇ ଜଣ, ଭଦ୍ରକ ଓ ଝାରସୁଗୁଡ଼ାରେ ଜଣେ ଲେଖାଏଁ ଅନୁପସ୍ଥିତ ରହିଥିଲେ। ୨୦୨୦, ୨୦୨୧ ଓ ୨୦୨୨ ଏବେ ସୁଦ୍ଧା ଆହୁରି ୧୦ଜଣ ଶିକ୍ଷକ ଅନୁପସ୍ଥିତ ରହିଥିବା‌ ବିଭାଗ ଦର୍ଶାଇଛି।

ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୦୧୭ରେ ନିଖୋଜ ଶିକ୍ଷକଙ୍କ ଧରପଗଡ଼କୁ ଜୋରଦାର କରାଯାଇ ଡିଇଓଙ୍କଠାରୁ ରିପୋର୍ଟ ମଗାଯାଇଥିଲା। ଅନୁଗୁଳ, ବରଗଡ଼ ଓ ବୌଦ୍ଧ ଜିଲ୍ଲାରୁ ଆସିଥିବା ରିପୋର୍ଟରେ ଦେଖିବାକୁ ମିଳିଥିଲା ‌ଯେ ଜଣେ ବି କେହି ଶିକ୍ଷକ କିମ୍ବା କର୍ମଚାରୀ ୫ବର୍ଷ ଧରି ଅନୁପସ୍ଥିତ ରହିନାହାନ୍ତି। ଦେବଗଡ଼, ଝାରସୁଗୁଡ଼ା ଓ ନୂଆପଡ଼ା ଡିଇଓ ଦେଇଥିବା ରିପୋର୍ଟରେ ଜଣେ ମାତ୍ର ଶିକ୍ଷକ ଅନୁପସ୍ଥିତ ଥିବା ଦର୍ଶାଯାଇଥିବା ବେଳେ ପୁରୀ ଡିଇଓ ରିପୋର୍ଟରେ ଦୁଇଜଣ ଅନୁପସ୍ଥିତ ଥିବା ଦର୍ଶାଇଥିଲେ। ଯାହାକୁ ନେଇ ବିଭାଗ ସନ୍ଦେହ ପ୍ରକାଶ କରିବା ସହ ଅନୁପସ୍ଥିତ ରହିଥିବା ଶିକ୍ଷକ ଓ କର୍ମଚାରୀଙ୍କ ତଥ୍ୟକୁ ଭଲ ଭାବେ ଯାଞ୍ଚ କରି ୨୦୧୯ ଶେଷ ସୁଦ୍ଧା ରିପୋର୍ଟ ଦେବାକୁ ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦୀର୍ଘ ସମୟ ଧରି ଅନୁପସ୍ଥିତ ରହିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ରେଗୁଲାର, ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀଙ୍କ ତଥ୍ୟ ସମ୍ବଳିତ ସାର୍ଟିଫିକେଟ୍‌ ଡିପିସି ଓ ବିଇଓଙ୍କଠାରୁ ସଂଗ୍ରହ କରି ଦାଖଲ କରିବାକୁ ଡିଇଓମାନଙ୍କୁ କୁହାଯାଇଥିଲା।ମାତ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ପୂର୍ବରୁ ୨୦୨୦ ମାର୍ଚ୍ଚରେ କରୋନା ସଂକ୍ରମଣ ବଢ଼ିଥିଲା। ଫଳରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ନାହିଁ। ଏବେ ପାଠପଢ଼ା ସ୍ବାଭାବିକ ଅବସ୍ଥାକୁ ଫେରିଥିବାରୁ ଗତ ଦୁଇ ଦିନ ଧରି ଅନୁଷ୍ଠିତ ଡିଇଓ ଓ ବିଇଓ ସମ୍ମିଳନୀରେ ଏନେଇ ବ୍ୟାପକ ଆଲୋଚନା ହୋଇଛି। ଅନୁପସ୍ଥିତ ରହିଥିବା ଶିକ୍ଷକଙ୍କୁ ବରଖାସ୍ତ କରିବାକୁ ନିର୍ଦେଶ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।