ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀହୀନ ହେଉଛି ସୁବର୍ଣ୍ଣ ଦ୍ବୀପ

ଚନ୍ଦନେଶ୍ୱର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ନିକଟ ସୁବର୍ଣ୍ଣ ଦ୍ବୀପ ଏବେ ଶ୍ରୀହୀନ ହୋଇପଡ଼ୁଛି। ସୌନ୍ଦର୍ଯ୍ୟ ବଢ଼ାଉଥିବା ଝାଉଁଗଛ ଉଭାନ ହେବାରେ ଲାଗିଛି। ପ୍ରାକୃତିକ ଦୁର୍ବିପାକ ଏବଂ କାଠ ମାଫିଆ ଏହାର କାରଣ ସାଜିଛନ୍ତି। ଫଳରେ ସରକାର ରାଜସ୍ବ ହରାଉଛନ୍ତି ଏବଂ ପର୍ଯ୍ୟଟକ ହତାଶ ହେଉଛନ୍ତି। ଏପରି ସମୟରେ ସୁବର୍ଣ୍ଣ ଦ୍ବୀପକୁ ସଜାଡ଼ିବା ପାଇଁ ଦାବି ହୋଇଛି।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ରେ ରହିଛି ତାଳସାରୀ ବେଳାଭୂମି। ଏଠାକୁ ବର୍ଷ ସାରା ପର୍ଯ୍ୟଟକମାନେ ବୁଲିବାକୁ ଓ ଭୋଜି କରିବାକୁ ଆସନ୍ତି। ଏହା ନିକଟ ସମୁଦ୍ର ମଧ୍ୟରେ ରହିଛି ସୌନ୍ଦର୍ଯ୍ୟ‌ଭରା ଏକ ଛୋଟ ଭୂଖଣ୍ଡ। ଯାହାକୁ ଲୋକେ ସୁବର୍ଣ୍ଣ ଦ୍ବୀପ ଭାବେ ଜାଣନ୍ତି। ଏହି ଦ୍ବୀପକୁ ପର୍ଯ୍ୟଟକମାନେ ଡଙ୍ଗାରେ ଆସନ୍ତି। ଭୋଜି କରନ୍ତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାନ୍ତି। ଏଠିକାର ପରିବେଶ ବେଶ୍‌ ଆକର୍ଷଣୀୟ। ଝାଉଁ ଜଙ୍ଗଲ ପ୍ରକୃତିପ୍ରେମୀଙ୍କ ମନ କିଣିନିଏ। ଦ୍ବୀପ କୂଳରେ ପିଟି ହେଉଥିବା ସମୁଦ୍ରର ଢେଉ ମନକୁ ଯେତିକି ଭୟଭୀତ କରେ, ସେତିକି ଆମୋଦିତ ମଧ୍ୟ କରେ। ସୁବର୍ଣ୍ଣ ଦ୍ବୀପ ତାଳସାରୀରୁ ବିଚିତ୍ରପୁର ଯାଏ; ପ୍ରାୟ ୧୦ କିଲୋମିଟର ଲମ୍ବିଛି। ବିଭିନ୍ନ ସ୍ଥାନରେ ଓସାର ୧ରୁ ଦେଢ଼ କିଲୋମିଟର ମଧ୍ୟରେ ହେବ। ଦ୍ବୀପର ପାଖାପାଖି ୨୫ ବର୍ଗ କିଲୋମିଟର ଅଞ୍ଚଳରେ ହଜାର ହଜାର ଝାଉଁଗଛ ରହିଛି।

ତେବେ ବର୍ତ୍ତମାନ ଦ୍ବୀପର ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି। ଏଠାରେ ଥିବା ଝାଉଁ ଗଛ ଧୀରେ ଧୀରେ ଉଭାନ ହେଉଛି। ପ୍ରାକୃତିକ ଦୁର୍ବିପାକ ଏବଂ କାଠ ମାଫିଆଙ୍କ ଯୋଗୁ ଏମିତି ସ୍ଥିତି। ଭୋଗରାଇ ବ୍ଲକ୍‌ ଅଧୀନ କୃଷ୍ଣନଗର, ଶ୍ରଦ୍ଧାପୁର, ବିଚିତ୍ରପୁର, ଖଡ଼ିବିଲ ଆଦି ଗ୍ରାମର ଲୋକ ଏବଂ ଅନ୍ୟ ଜିଲ୍ଲା ତଥା ରାଜ୍ୟ ଓ ପଡ଼ୋଶୀ ପଶ୍ଚିମବଙ୍ଗର କିଛି ଲୋକ ସୁବର୍ଣ୍ଣ ଦ୍ବୀପକୁ ରୋଜଗାରର ମାଧ୍ୟମ ବନାଇଛନ୍ତି। ସେମାନେ ଏଠାରେ ଛୋଟ ଛୋଟ ଘର କରି ରହୁଛନ୍ତି। ମାଛ ଧରିବା ବାହାନାରେ ପ୍ରତିଦିନ ବିଭିନ୍ନ ଉପାୟରେ ଝାଉଁ ଗଛ କାଟି ଚାଲାଣ କରୁଛନ୍ତି। ସେହିପରି ପୂର୍ବରୁ ଆସିଥିବା ତିତ୍‌ଲି, ଅମ୍ଫାନ, ହୁଡ଼ହୁଡ଼ ପରି ବାତ୍ୟା ଏବଂ ଜୁଆର ମାଡ଼ ଯୋଗୁ ଦ୍ବୀପରେ ଥିବା ହଜାର ହଜାର ଗଛ ଧରାଶାୟୀ ହୋଇପଡ଼ୁଛି। ଯେଉଁ ଗଛଗୁଡ଼ିକ ଜୁଆରରେ ଭାସିଯାଉଛି ଅଥବା କାଠ ମାଫିଆଙ୍କ ଦ୍ବାରା କଟାଯାଇ ଚାଲାଣ ହେଉଛି। ଏପରି ସମୟରେ ଗୋଟିଏ ପଟେ ସୁବର୍ଣ୍ଣ ଦ୍ବୀପର ଅସ୍ତିତ୍ବ ହଜୁଥିବା ବେଳେ ଅନ୍ୟପଟେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଲାଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।