ଅପରାଧ ରାଜ୍ୟ

ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ଦୁର୍ନୀତି: ସ୍ବାମୀ ଯନ୍ତ୍ରୀ, ସ୍ତ୍ରୀ କର୍ପୋରେଟର; ୩ ସଂପର୍କୀୟଙ୍କ ଭାଗରେ ୯୮ରୁ ୭୬ କାମ

କଟକ : ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ ବିନା ଟେଣ୍ଡରରେ ସବୁଠୁ ଅଧିକ ଅର୍ଥାତ୍‌ ୪୨ଟି କାମ ପାଇଥିବା ମୋନାଲିସା ବେହେରା ହେଉଛନ୍ତି ୧୬ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ଭାଇ ବାସୁଦେବ ବେହେରାଙ୍କ ପତ୍ନୀ। ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ହେଉଛନ୍ତି ଆର୍‌ ଆଣ୍ଡ୍‌ ବି ବିଭାଗର ଯନ୍ତ୍ରୀ ଅକ୍ଷୟ ବେହେରା। ସେହିଭଳି ଦ୍ବିତୀୟ ସର୍ବାଧିକ ଅର୍ଥାତ୍‌ ୨୫ଟି କାମ ପାଇଥିବା ପ୍ରଭାତ ଚନ୍ଦ୍ର ବେହେରା ବି ହେଉଛନ୍ତି କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ଭାଇ। ଏହି କ୍ରମରେ ୯ଟି କାମ ପାଇଥିବା ଚନ୍ଦ୍ରଶେଖର ବେହେରା ବି ହେଉଛନ୍ତି ତାଙ୍କ ସଂପର୍କୀୟ। ୨୨ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଚନ୍ଦନ ଜେନାଙ୍କ ଶାଳକ ଅଶୋକ ସ୍ବାଇଁଙ୍କ ଭାଗରେ ପଡ଼ିଛି ୧୪ଟି କାମ।

ଅନ୍ୟପଟେ ମେୟର ସୁବାସ ସିଂହଙ୍କ ପାଖେପାଖେ ସବୁ ବେଳେ ରହୁଥିବା ଯୁବନେତା ଜଗନ୍ନାଥ ସ୍ବାଇଁଙ୍କ ପତ୍ନୀ ପିଙ୍କିନା ସ୍ବାଇଁଙ୍କ ନାମରେ ବି ୨ଟି କାମ କରାଯାଇଛି। ନିର୍ଦ୍ଦିଷ୍ଟ ଭାବେ ଅନ୍ୟ ଯେଉଁମାନେ ବି ବାଲିଯାତ୍ରା କାମ ପାଇଛନ୍ତି ସେମାନେ କଟକ ପୌର ନିଗମରେ ମେୟର, ଅଧିକାରୀଙ୍କ ପାଖେପାଖେ ରହି ପ୍ରଭାବ ଆଉ ପତିଆରା ଦେଖାଉଥିବା ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିବିଶେଷଙ୍କ ସଂପର୍କୀୟ ଅଥବା ପରିଚିତ। ୩ କୋଟିରୁ ଅଧିକ ଟଙ୍କାର କାମର ଭାଗବଣ୍ଟାରେ ଏହାଠୁ ଅଧିକ ପ୍ରିୟାପ୍ରୀତିର ପ୍ରମାଣ ଆଉ କ’ଣ ହୋଇପାରେ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି।

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସ୍ବତନ୍ତ୍ର ଅଡିଟ୍ ଦାବିକଲା ଶାନ୍ତି କମିଟି
ନେତୃତ୍ବ ନେଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ
ସମସ୍ତ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କଲେ କର୍ପୋରେଟର୍‌

ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ପାଇଁ କଟକ ପୌର ନିଗମ ପକ୍ଷରୁ ହୋଇଥିବା କାର୍ଯ୍ୟରେ ବ୍ୟାପକ ଅନିୟମିତତାକୁ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସଂପର୍କରେ ମେୟର ସୁବାସ ସିଂହ କହଛନ୍ତି ଯେ ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି ପ୍ରସ୍ତୁତି ପାଇଁ କମ୍‌ ସମୟ ଥିବାରୁ ନିଗମ ବିନା ଟେଣ୍ଡରରେ କାମ କରିଛି। ଦକ୍ଷ ଠିକାଦାରଙ୍କୁ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରାଯାଇଛି। ଏଥିରେ କୌଣସି ଅନିୟମିତତା କରାଯାଇ ନାହିଁ। ନିଗମ ପକ୍ଷରୁ କରାଯାଇ ଥିବା ସମସ୍ତ କାମର ଅଡିଟ କରାଯିବ ବୋଲି ମେୟର କହିଛନ୍ତି। ଅନ୍ୟପଟେ ବାଲିଯାତ୍ରା ପଡ଼ିଆ ଭିତ୍ତିଭୂମି ବିକାଶ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗର ତଥ୍ୟ ଓ ପ୍ରମାଣ ଆସିଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ‌କମିସନର ନିଖିଲ ପୱନ କଲ୍ୟାଣ କହିଛନ୍ତି।

ତେବେ, ଏ ପ୍ରସଙ୍ଗରେ ବିଜେଡିର ବରିଷ୍ଠ କର୍ପୋରେଟର ତଥା ୱାର୍କସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପ୍ରଦୀପ୍ତ ଖୁଣ୍ଟିଆ କହିଛନ୍ତି ଯେ କଟକରେ ଯୋଗ୍ୟ ଠିକାଦାରଙ୍କର ଅଭାବ ନାହିଁ। କିନ୍ତୁ, ବାଲିଯାତ୍ରା ପ୍ରସ୍ତୁତି ପାଇଁ ୯୮ଟି କାମରୁ ଜଣେ ବ୍ୟକ୍ତିଙ୍କୁ କେମିତି ୪୨ଟି କାମ ଧରାଇ ଦିଆଗଲା? ପୁଣି ସବୁ ସଂପର୍କୀୟ, ସହଯୋଗୀ, ଚିହ୍ନା ପରିଚିତ କାମ ପାଇଲେ? ଏହା ପଛରେ ନିଗମ କର୍ତ୍ତୃପକ୍ଷଙ୍କର କି ଉଦ୍ଦେଶ୍ୟ ରହିଛି? ଏହିଭଳି ପ୍ରଶ୍ନ ଉତ୍‌ଥାପନ କରିବା ସହିତ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ଶ୍ରୀ ଖୁଣ୍ଟିଆ। ସେହିଭଳି, ବାଲିଯାତ୍ରା ଆୟୋଜନ ପାଇଁ ‌ନିଗମ ପକ୍ଷରୁ ଯେତେ ସବୁ କାମ ହୋଇଛି, ସବୁର ଭିଜିଲାନ୍ସ ତଦନ୍ତ କରାଯିବା ସହ ଅର୍ଥ କାରବାରର ଅଡିଟ କରାଯାଉ ବୋଲି ବିଜେପି କର୍ପୋରେଟର ଗଗନ ଓଝା ଦାବି କରିଛନ୍ତି। ବାଲିଯାତ୍ରାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାର ହିସାବ କ‌ର୍ପୋରେଟଙ୍କୁ ଦିଆଗଲା ନାହିଁ। ବାଲିଯାତ୍ରାରେ କେତେ ଖର୍ଚ୍ଚ ହେଲା ଓ କେତେ ଆୟ ହେଲା ଏହାର ହିସାବ ସାର୍ବଜନୀନ କରାଯିବା ସହ ଖର୍ଚ୍ଚର ସ୍ବତନ୍ତ୍ର ଅଡିଟ କରାଯାଉ ବୋଲି କଂଗ୍ରେସ କର୍ପୋରେଟର ସନ୍ତୋଷ କୁମାର ଭୋଳ ମଧ୍ୟ ଦାବି କରିଛନ୍ତି।

ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ଯେ ବାଲିଯାତ୍ରା ଖର୍ଚ୍ଚର ସ୍ବତନ୍ତ୍ର ଅଡିଟ୍ ପାଇଁ ଅନୁରୋଧ କରି ପୂଜା କମିଟି, ଶାନ୍ତି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖାଯାଇଛି। ଏହାର ନେତୃତ୍ବ ନେଇଛନ୍ତି ବିଜେଡିର ବରିଷ୍ଠ ନେତା, ପୂର୍ବତନ ବିଧାୟକ ତଥା ମହାନଗର ପୂଜା କମିଟିର ସଧାରଣ ସଂପାଦକ ପ୍ରଭାତ ତ୍ରିପାଠୀ। ଏଭଳି ଅନୁରୋଧ ସମ୍ବଳିତ ପତ୍ରର ନକଲ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ କଟକ ପୌର ନିଗମ ପକ୍ଷରୁ ୨କୋଟି ୯୧ ଲକ୍ଷ ୭୩ ହଜାର ୭୫୦ ଟଙ୍କାର ସିଭିଲ୍‌ କାମ ଓ ୭୯ ଲକ୍ଷ ୫୮ ହଜାର ୯୮୪ ଟଙ୍କାର ଇଲେକ୍ଟ୍ରିକ୍‌ କାମ, ଏଭଳି ମୋଟ ୩ କୋଟି ୭୧ ଲକ୍ଷ ୩୨ ହଜାର ୭୩୪ ଟଙ୍କାର କାମକୁ ବିନା ଟେଣ୍ଡରରେ କିଛି ହାତଗଣତି ଲୋକ ଓ ସଂସ୍ଥାଙ୍କୁ ନିଗମ କର୍ତ୍ତୃପକ୍ଷ ଟେକି ଦେଇଛନ୍ତି। ଆର୍‌ ଆଣ୍ଡ୍‌ ବି ବିଭାଗର ଯନ୍ତ୍ରୀ ଅକ୍ଷୟ ବେହେରା ଓ କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରାଙ୍କ ତିନି ଜଣ ସଂପର୍କୀୟଙ୍କୁ ଭାଗଭାଗ ହୋଇଥିବା ୯୮ଟି କାମରୁ ୭୬ଟି କାମ ପ୍ରଦାନ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ସହରାଞ୍ଚଳରେ ୨ଲକ୍ଷରୁ ଅଧିକ ଟଙ୍କାର କାମ କରାଗଲେ ଇ-ଟେଣ୍ଡର ମାଧ୍ୟମରେ କାମ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୮ ଜାନୁଆରିରୁ ନିର୍ଦ୍ଦେଶ ରହିଛି। ମାତ୍ର, ଏହାକୁ ବାଲିଯାତ୍ରା ପଡ଼ିଆ ଭିତ୍ତିଭୂମି ପ୍ରସ୍ତୁତି ସମୟରେ ପାଳନ କରାଯାଇ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।