ଭୁବନେଶ୍ବର : ରାଉଲକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ମନେପକାଇ ଦେବା ପାଇଁ ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ବୁଧବାର ଦିନ ରାଜଧାନୀରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ସେ ଦେଇଥିବା ପ୍ରତିଶ୍ରୁତି ମନେପକାଇଦେବାକୁ ମୁକ୍ତିକାନ୍ତ ରାଉରକେଲାବାସୀଙ୍କ ସମସ୍ୟାର ଦୁଇଟି ମଡେଲ୍ କାନ୍ଧରେ ବୋହି ଆଣିଛନ୍ତି।
ନଭେମ୍ବର ୧୬ରୁ ରାଉରକେଲାରୁ ବାହାରିଥିବା ମୁକ୍ତିକାନ୍ତ ୨୮ଦିନ ପରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ, ୯ବର୍ଷ ତଳେ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତବେଳେ କୋଏଲ ବ୍ୟାରେଜ୍, କୋଏଲ୍ ନଦୀ ପାର୍ଶ୍ବରେ ରିଂ ରୋଡ୍ ନିର୍ମାଣର ଶୁଭ ଦେଇଥିଲେ। ଆର୍ଜିଏଚ୍କୁ କ୍ୟାପିଟାଲ ହସ୍ପିଟାଲର ସୁବିଧା ବିଷୟରେ ଘୋଷଣା କରିଥିଲେ। ଏହାକୁ ନେଇ ରାଉରକେଲାବାସୀଙ୍କ ମନରେ ଏକ ନୂତନ ଆଶା ସଞ୍ଚାର ହୋଇଥିଲା। ହେଲେ ତାହା ପୂରଣ ହେଲାନି। ସେହିପରି ବିଶ୍ରା ଓ ନୂଆଗାଁ ପରିବା ଚାଷର ଗନ୍ତାଘର ହୋଇଥିବାବେଳେ ଏଠାରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ପରିବାକୁ ଶାଗମାଛ ଦରରେ ବିକ୍ରି କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ କରାଇବାକୁ ଆସିଛି। ମୁଖ୍ୟମନ୍ତ୍ରୀ ବହୁତ ଭଲ ଲୋକ , ଓଡ଼ିଶା ପାଇଁ ଭଲ କାମ କରୁଛନ୍ତି। ହେଲେ ବୟସାଧିକ ଯୋଗୁଁ ସେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିବାରୁ ତାହାକୁ ମନେପକାଇବାକୁ ଆସିଛି।