ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୈବ ବିବିଧତା ଐତିହ୍ୟସ୍ଥଳୀ ଦୌଡ଼ରେ ଗନ୍ଧମାର୍ଦ୍ଦନ

ଭୁବନେଶ୍ବର : ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶା। ମାଲକାନଗିରିର ବଣ୍ଡା ହିଲ୍ସରୁ ଆରମ୍ଭ କରି ଦେବଗଡ଼ର ପ୍ରଧାନପାଟ ପର୍ଯ୍ୟନ୍ତ ସବୁଠି ଭରି ରହିଛି ବିରଳ ତଥା ବିଲୁପ୍ତପ୍ରାୟ ବୃକ୍ଷଲତା। ଏଠାରେ ବହୁ ବିଲୁପ୍ତପ୍ରାୟ ଜୀବଜନ୍ତୁ ଓ ସରୀସୃପଙ୍କ ମଧ୍ୟ ଉପସ୍ଥିତି ଅଛି। ଏହି ସବୁ ସ୍ଥାନକୁ ଚିହ୍ନଟ କରି ଜୈବବିବିଧତା ଐତିହ୍ୟସ୍ଥଳର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ଫୁଲବାଣୀ ଜିଲ୍ଲାର ମାଣ୍ଡାସୁରକୁ ରାଜ୍ୟର ପ୍ରଥମ ଜୈବବିବିଧତା ଏତିହ୍ୟସ୍ଥଳୀର ମାନ୍ୟତା ମିଳିଥିବା ବେଳେ ଗତ ମାସରେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଏହି ତାଲିକାରେ ସ୍ଥାନ ପାଇଛି। ଏହି କ୍ରମରେ ଏବେ ଗନ୍ଧମାର୍ଦ୍ଦନକୁ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲା ନନ୍ଦୁପଲ୍ଲା ଜୈବବିବିଧତା ପରି‌ଚାଳନା କମିଟି(ବିଏମ୍‌ସି), ବଲାଙ୍ଗୀର ଓ ବରଗଡ଼ ଡିଏଫ୍‌ଓଙ୍କ ସମେତ ଅନ୍ୟାନ୍ୟ ଅଂଶୀଦାରଙ୍କ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ଜୈବ ବିବିଧତା ପରି‌ଷଦ(ଓବିବି) ନିକଟରେ ପହଞ୍ଚିବା ପରେ ସର୍ଭେ କରାଯାଇଛି।

ବଲାଙ୍ଗୀର ଜିଲ୍ଲା ହରିଶଙ୍କର, ଲାଠୋର, ପାଟଣାଗଡ଼ ସମେତ ବରଗଡ଼ ଜିଲ୍ଲାର ପାଇକମାଳ ଓ ନୃସିଂହନାଥକୁ ନେଇ ୧୮୯.୬୩୯ ବର୍ଗ କିମି ପରିବ୍ୟାପ୍ତ ଏହି ଅଞ୍ଚଳରେ ବିଭିନ୍ନ ପ୍ରଜାତିର ଉଦ୍ଭିଦ, ବିଭିନ୍ନ ପ୍ରଜାତିର ଗୁଳ୍ମ ଓ ଜୀବଜନ୍ତୁ ରହିଛନ୍ତି। ଏଠାରେ ୧୨୦୦ ପ୍ରଜାତିର ବୃକ୍ଷଲତା ଥିବା ବେଳେ ୫୦୦ ପ୍ରଜାତିର ଜୀବଜନ୍ତୁ ଅଛନ୍ତି। ପାହାଡ଼ରେ ୨୦୯ ପ୍ରଜାତିର ଗଛ, ୧୩୫ ପ୍ରଜାତିର ଗୁଳ୍ମ, ୪୭୩ ପ୍ରଜାତିର ଚେରମୂଳି, ୩୦୦ ପ୍ରଜାତିର ଔଷଧୀୟ ବୃକ୍ଷ ରହିଥିବା ସର୍ଭେରୁ ଜଣାପଡ଼ିଛି। ୧୮ ପ୍ରଜାତିର ବୃକ୍ଷଲତା ବିଲୁପ୍ତପ୍ରାୟ ଅବସ୍ଥାରେ ରହିଥିବା ଓବିବିର ଜଣେ ଅଧିକାରୀ କହିଛନ୍ତି।

ଓଡ଼ିଶାର ଆୟୁର୍ବେଦିକ ସ୍ବର୍ଗ ଭାବେ ଗନ୍ଧମାର୍ଦ୍ଦନ ପରିଚିତ। ଜୈବବିବିଧତାପୂର୍ଣ୍ଣ ଏହି ପର୍ବତକୁ ଐତିହ୍ୟସ୍ଥଳର ମାନ୍ୟତା ଦେବା ଲାଗି ଯୋଜନା ହୋଇଛି। ଜୈବ ବିବିଧତାର ସ୍ଥିତି ଅନୁଧ୍ୟାନ ପରେ ଓବିବି ପକ୍ଷରୁ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଏହାପରେ ଉକ୍ତ ସ୍ଥାନକୁ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇପାରେ।

କେବଳ ଗନ୍ଧମାର୍ଦ୍ଦନ ନୁହେଁ। ଓଡ଼ିଶାର ଆହୁରି ୨୫ଟି ଏମିତି ସ୍ଥାନ ରହିଛି, ଯାହାକି ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ପାଇ ପାରିବ। ସେଗୁଡ଼ିକ ମଧ୍ୟରେ ଅନୁଗୁଳର ମାଲ୍ୟଗିରି, ଦେବଗଡ଼ର ପ୍ରଧାନପାଟ, ସୁନ୍ଦରଗଡ଼ ଓ କେନ୍ଦୁଝରରେ ଥିବା ଖଣ୍ଡାଧାର, ଭୁବନେଶ୍ବରର ଖଣ୍ଡଗିରି-ଉଦୟଗିରି, ରାୟଗଡ଼ାର ନିୟମଗିରି, ଯାଜପୁରର ମହାବିନାୟକ, ଖୋର୍ଧାର ବରୁଣେଇ ଓ ନାରାୟଣୀ ପର୍ବତ, କେନ୍ଦୁଝରର ଗୋନାସିକା, ସାନଘାଗରା ଓ ବଡ଼ଘାଗରା, କନ୍ଧମାଳର ଦାରିଙ୍ଗବାଡ଼ି, କୋରାପୁଟର ଦେଓମାଳି, କଟକର ଛତିଶାପାଟ, ମାଲକାନଗିରିର ବଣ୍ଡା ହିଲ୍ସ, ଗଞ୍ଜାମର ବୁଦ୍ଧଖୋଲ ଆଦି ଅନ୍ୟତମ।

ଓବିବି ନିର୍ଦେଶାବଳୀ ଅନୁଯାୟୀ, ସ୍ଥାନୀୟ ଲୋକେ ତଥା ପ୍ରଶାସନ ପକ୍ଷରୁ ଆବେଦନ ପରେ ବିଶେ‌ଷଜ୍ଞଙ୍କ ଦ୍ବାରା ତାହା ଉପରେ ଅନୁଧ୍ୟାନ କରାଯିବ। ଯେଉଁ ସ୍ଥାନକୁ ଜୈବ ବିବିଧତା ଐତିହ୍ୟସ୍ଥଳ ଭାବେ ଘୋଷଣା କରାଯିବ, ତାହା ସଂରକ୍ଷିତ ଜଙ୍ଗଲ କିମ୍ବା ଅଭୟାରଣ୍ୟ ହେଇ ନଥିବ, ସେଠାରେ ବିରଳ ତଥା ବିଲୁପ୍ତପ୍ରାୟ ବୃକ୍ଷଲତା ଥିବ। ପଶୁପକ୍ଷୀ ବାସ କରୁଥିବେ ଓ ସଂସ୍କୃତି ଦୃଷ୍ଟିରୁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବ। ଲୋକେ ମଧ୍ୟ ସେଠାରେ ପୂଜାର୍ଚ୍ଚନା କରୁଥିବା ଆବଶ୍ୟକ। ଏଥିପାଇଁ ପ୍ରଥମେ ସ୍ଥାନୀୟ ଅଞ୍ଚଳବାସୀ ପ୍ରସ୍ତାବ ଦେବା ଅବଶ୍ୟକ। ଏହାପରେ ଓବିବିର ପ୍ରତିନିଧି ଦଳ ଅନୁଧ୍ୟାନ କରି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ମାନ୍ୟତା ମିଳିବା ପରେ ଉକ୍ତ ସ୍ଥାନର ଉପଯୁକ୍ତ ପରିଚାଳନା, ବିରଳ ବୃକ୍ଷର ସଂରକ୍ଷଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ହୋଇପାରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।