ପଟାଙ୍ଗି: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆରେ ପୁଣି ଓଡ଼ିଶା ବିରୋଧରେ ବର୍ଷିଛନ୍ତି ଆନ୍ଧ୍ରର ରାଜନେତା। ଓଡ଼ିଶାର ଅଧିକାରୀଙ୍କୁ ସୁପ୍ରିମକୋର୍ଟକୁ ଟାଣିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି। ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଜଣେ ରାଜନେତାଙ୍କ ଏଭଳି ଆଚରଣ ଚକିତ କରୁଛି। ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ତୁଟାଇବା ବଦଳରେ ବଢ଼ାଇବା ପାଇଁ ଉଦ୍ୟମ କରିଥିବା ମତ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, କିଛିଦିନ ତଳେ କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ସ୍ବାସ୍ଥ୍ୟ କର୍ମୀ ଏବଂ ଡାକ୍ତର ସେବା ଯୋଗାଇ ଦେବାକୁ ଆସିଥିଲେ। ତେବେ ପଟାଙ୍ଗି ବ୍ଲକ୍ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅଟକା ଯାଇଥିଲା। ଓଡ଼ିଶା ଭିତରେ ଅନାଧିକାର ଭାବେ ପଶି ପାରିବେନି ବୋଲି ଚେତାଇ ଦିଆଯାଇଥିଲା। ଯାହାଫଳରେ, ଡାକ୍ତରୀ ଟିମ୍ ସ୍ଥାନ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାକୁ ନେଇ ଆନ୍ଧ୍ରର ରାଜନେତା ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଆଜି ଆନ୍ଧ୍ରପ୍ରଦେଶ ଆଦିବାସୀ କର୍ମଚାରୀ ସଂଘର ଆଇନ ପରାମର୍ଶଦାତା ରେଗୁ ମହେଶ୍ବର ରାଓଙ୍କ ନେତୃତ୍ବରେ ବହୁ ସମର୍ଥକ କୋଟିଆ ଆସିଥିଲେ। ନେରେଡିବାଲାସା ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ତେଣୁ ଓଡ଼ିଶାର କୋଟିଆ ଉପରେ ଯେତିକି ଅଧିକାର ଅଛି, ଆନ୍ଧ୍ରର ମଧ୍ୟ ସେତିକି ଅଧିକାର ରହିଛି ବୋଲି ରେଗୁ ମହେଶ୍ବର ରାଓ ପ୍ରକାଶ କରିଥିଲେ। ଓଡ଼ିଶା ସରକାରଙ୍କ ଅଧିକାରୀ କୋଟିଆରେ ମୁକ୍ତ ଭାବେ କାର୍ଯ୍ୟ କରିପାରୁଥିବା ବେଳେ ଆନ୍ଧ୍ରପ୍ରଦେଶର ସରକାରୀ କର୍ମଚାରୀଙ୍କୁ ବାରଣ କରିବା ଏବଂ କାର୍ଯ୍ୟରୁ ଦୂରେଇ ରଖି ହାସ୍ୟାସ୍ପଦ। ଓଡ଼ିଶା ଅଧିକାରୀ ଆଗକୁ କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଉନ୍ନୟନ କାର୍ଯ୍ୟକୁ ରୋକିଲେ ଏହାର ଜାବବ ସୁପ୍ରିମକୋର୍ଟରେ ଦିଆଯିବ ବୋଲି ଶ୍ରୀ ରାଓ ଖୋଲାଖୋଲି ଚେତାବନୀ ଦେଇଥିଲେ। ତେବେ ଆନ୍ଧ୍ରର ଏହି ପ୍ରତିବାଦ ସଭାରେ ତଳଗଞ୍ଜେଇପଦର ବାସିନ୍ଦା ବିଶୁ ଗେମେଲ୍ ସାମିଲ ହେବା ସମସ୍ତଙ୍କୁ ଚକିତ କରିଛି।