ରାଜ୍ୟ ସ୍ପେଶାଲ ରିପୋର୍ଟ

ମେଡିକାଲ କଲେଜ ସ୍ଥିତି ଦୟନୀୟ: ଠିକାରେ ଅଧ୍ୟାପକ, ଆଉଟସୋର୍ସିଂରେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର : ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ନୂଆ ମେଡିକାଲ କଲେଜଗୁଡ଼ିକର ସ୍ଥିତି ଦୟନୀୟ। ଗତ କିଛି ବର୍ଷ ଭିତରେ ଯେଉଁସବୁ ମେଡିକାଲ କଲେଜକୁ ଜାତୀୟ ମେଡିକାଲ କମିସନ(ଏନ୍‌ଏମ୍‌ସି)ଠାରୁ ଅନୁମୋଦନ ମିଳିଛି ସେସବୁରେ ଶତାଧିକ କର୍ମଚାରୀ ପଦବି ଖାଲି ପଡ଼ିଛି। ଅଧ୍ୟାପକଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଥିବା ବେଳେ ସ୍ବାସ୍ଥ୍ୟକର୍ମୀମାନେ ଆଉଟସୋର୍ସିଂ ଜରିଆରେ ନିଯୁକ୍ତ ହୋଇଛନ୍ତି। ମେଡିକାଲ କଲେଜଗୁଡ଼ିକରେ କର୍ମଚାରୀଙ୍କ ସ୍ଥିତିକୁ ଅନୁଧ୍ୟାନ କଲେ ଲୋକଙ୍କୁ କିଭଳି ଗୁଣାତ୍ମକ ସେବା ମିଳିବ ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ବର୍ତମାନସୁଦ୍ଧା ସରକାରୀ ମେଡିକାଲ କଲେଜ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏହାସହ ଆଗକୁ ଭବାନୀପାଟଣା, ଫୁଲବାଣୀରେ ମେଡିକାଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି। ଏସବୁ ଦୃଷ୍ଟିରୁ ୨୦୨୫ ମସିହା ବେଳକୁ ରାଜ୍ୟରେ ପ୍ରତିବର୍ଷ ୨୦୫୦ ଡାକ୍ତର ବାହାରିବା ସହିତ ରାଜ୍ୟରେ ଡାକ୍ତରଙ୍କ ଅଭାବ ଦୂର ହେବ ବୋଲି ଅନୁମାନ କରାଯାଉଛି। ହେଲେ ଯେଉଁ ମେଡିକାଲ କଲେଜଗୁଡ଼ିକ ଅନୁମୋଦନ ପାଇଛନ୍ତି ସେସବୁରେ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଉନାହିଁ।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ବାଲେଶ୍ବରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ନର୍ସିଂ ଅଫିସର, ଲାବୋରେଟାରି ଟେକ୍‌ନିଆସନ, ଫାର୍ମାସିଷ୍ଟ, ରେଡିଓଗ୍ରାଫର ଓ ଜୁନିଅର ଆସିଷ୍ଟାଣ୍ଟଙ୍କୁ ମିଶାଇ ୨୭୪ଜଣ ନିଯୁକ୍ତି ହୋଇଛନ୍ତି। ୫ଟି ଠିକା ସଂସ୍ଥା ଜରିଆରେ ସମସ୍ତ କର୍ମଚାରୀ ନିଯୁକ୍ତି ଦିଆଯାଇଛି। ଏହାସହ ୨୬ଟି ବର୍ଗରେ ୧୮୫ ପଦବି ଖାଲି ପଡ଼ିଛି। ଏଥିରେ ସର୍ବାଧିକ ସଂଖ୍ୟକ ହେଉଛନ୍ତି ନର୍ସିଂ ଅଫିସର। ତେଣୁ ମେଡିକାଲ କଲେଜରେ ଗୁଣାତ୍ମକ ସ୍ବାସ୍ଥ୍ୟସେବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଅଧ୍ୟାପକଙ୍କ ଠିକା ନିଯୁକ୍ତି ସଂପର୍କରେ ସୂଚନା ମିଳିପାରିନାହିଁ।

ସେହିପରି କେନ୍ଦୁଝର ମେଡିକାଲ କଲେଜରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ସହକାରୀ ପ୍ରଫେସର, ସିନିଅର ରେସିଡେଣ୍ଟ ଓ ଟ୍ୟୁଟରଙ୍କୁ ମିଶାଇ ୧୯ଜଣ ଠିକାରେ ନିଯୁକ୍ତି ହୋଇଛନ୍ତି। ଯେତିକି ଜଣଙ୍କୁ ନିଯୁକ୍ତି ଦିଆଯାଇନାହିଁ ତା’ଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ପଦବି ଖାଲି ପଡ଼ିଛି। ମେଡିକାଲ କଲେଜରେ ୫୩୩ ସଂଖ୍ୟକ ବିଭିନ୍ନ ବର୍ଗର ପଦବି ଖାଲି ରହିଛି। ୨ଟି ସଂସ୍ଥା ଦ୍ବାରା କେତେକ ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଏଲ୍‌ଟି, ରେଡିଓଗ୍ରାଫର, ମେଡିକାଲ ରେକର୍ଡ କିପର୍ ଭଳି ପଦବିରେ ନିଯୁକ୍ତି ଦିଆଯାଇଛି। ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜରେ ଅଧ୍ୟାପକ, ସିନିଅର/ଜୁନିଅର ରେସିଡେଣ୍ଟ, ଟ୍ୟୁଟର ଆଦିକୁ ମିଶାଇ ୨୪ଟି ପଦବିରେ ଠିକାରେ ନିଯୁକ୍ତି ଦିଆଯାଇଛି। ଆହୁରି ୭୭ ପଦବି ଖାଲି ରହିଛି। ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ନର୍ସିଂ ଅଫିସର, ଏଲ୍‌ଟି, ରେଡିଓଗ୍ରାଫର, ଜୁନିଅର ଆସିଷ୍ଟାଣ୍ଟ, ଆଟେଣ୍ଡାଣ୍ଟ, ଜୁନିଅର ଷ୍ଟେନୋଗ୍ରାଫରକୁ ମିଶାଇ ଅଣ-ଅଧ୍ୟାପକ ପାଇଁ ୧୩ଟି ବର୍ଗରେ ୪୩୬ ପଦବି ରହିଛି। ଏଥିରେ ୨୭୭ଜଣ ନିୟୋଜିତ ହୋଇଥିବା ବେଳେ ୧୫୯ ପଦବି ଖାଲି ରହିଛି। ଏଥିରେ ସିଂହ ଭାଗ ହେଉଛନ୍ତି ନର୍ସିଂ ଅଫିସର। ଅଧ୍ୟାପକ ଓ ଟେକ୍‌ନିସିଆନ୍ ବର୍ଗରେ ୭୩ଜଣଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଛି। ତଥାପି ଅନେକ ଅଧ୍ୟାପକ ପଦବି ଖାଲି ପଡ଼ିଛି।

ଜନସ୍ବାସ୍ଥ୍ୟ ଅଭିଯାନର ଆବାହକ ଗୌରାଙ୍ଗ ମହାପାତ୍ର କହିଛନ୍ତି, ମେଡିକାଲ କଲେଜଗୁଡ଼ିକରେ ଠିକା ଓ ଆଉଟସୋର୍ସିଂ ଜରିଆରେ ଅଧ୍ୟାପକ ଓ ଅଣ-ଅଧ୍ୟାପକଙ୍କୁ ନିଯୁକ୍ତିରେ ଏକ ବଡ଼ ଧରଣର ଚକ୍ରାନ୍ତ ରହିଛି। ସ୍ଥାୟୀ ବଦଳରେ ଠିକାରେ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବା ଫଳରେ ଅନେକ ଅଧାରୁ ଛାଡ଼ି ଦେଉଛନ୍ତି। ଫଳରେ ପୂର୍ବଭଳି ପଦବି ଖାଲି ପଡ଼ୁଛି। ମେଡିକାଲ କଲେଜରେ ଗବେଷଣା ପାଇଁ ଅର୍ଥ ମଞ୍ଜୁର ହେଉ ନ ଥିବାରୁ ଅଧ୍ୟାପକମାନେ ଶିକ୍ଷାଦାନ ପାଇଁ ମ‌ନ ନ ବଳାଇବା ସ୍ବାଭାବିକ୍। ବହୁ ସଂଖ୍ୟାରେ ଅଣ ଅଧ୍ୟାପକ ପଦବି ଖାଲି ଥିବାରୁ ରୋଗୀଙ୍କୁ ମଧ୍ୟ ସେବା ମିଳୁନାହିଁ। ଏଭଳି ଭାବେ ଲଗାତାର ଭାବେ ବିଭିନ୍ନ ପଦବି ଖାଲି ରହିବା ଫଳରେ ଶେଷରେ ମେଡିକାଲ ପରିଚାଳନା ଦାୟିତ୍ବ ବିଭିନ୍ନ କର୍ପୋରେଟ୍‌ ସଂସ୍ଥା ହାତକୁ ଟେକି ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଅପରପକ୍ଷରେ ରାଜ୍ୟ ସରକାର ୨୩ଟି ବ୍ରଡ୍‌ ସ୍ପେଶାଲିଷ୍ଟ ବିଭାଗରେ ୨୪୯ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେଇଛନ୍ତି। ଆହୁରି ୨୭୪ଜଣଙ୍କୁ ନିୟୋଜିତ କରିବା ଲାଗି ରାଜ୍ୟ ସରକାର ଲୋକସେବା ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ମାତ୍ର ମେଡିକାଲ କଲେଜରେ ଯେତିକି ପଦବି ଖାଲି ପଡ଼ିଛି ସେ ଦୃଷ୍ଟିରୁ ଏ ସଂଖ୍ୟା ଦୃଷ୍ଟିରୁ ଏହା ଯଥେଷ୍ଟ ନୁହେଁ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି। ତେବେ ମେଡିକାଲ କଲେଜଗୁଡ଼ିକରେ ଏଭଳି ଠିକା ଓ ଖାଲି ପଡ଼ିଥିବା ପଦବି ସଂପର୍କରେ ଡିଏମ୍‌ଇଟି ଡା.ରମାରମଣ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ଉତ୍ତର ମିଳିପାରି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।