ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଳମ୍ବରେ ଆଳୁ ବିହନ ଯୋଗାଣ: ପୂରଣ ହେବ ତ ବର୍ଦ୍ଧିତ ଉତ୍ପାଦନର ଲକ୍ଷ୍ୟ?

ଭୁବନେଶ୍ବର : ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀମାନଙ୍କ ପାଖକୁ ଆଳୁ ବିହନ ଯୋଗାଣ ପାଇଁ ଉଦ୍ୟାନ ଉପନିର୍ଦେଶକମାନଙ୍କୁ ନିର୍ଦେଶ ଦେଇଥିଲା ଉଦ୍ୟାନ ନିର୍ଦେଶାଳୟ। ଚାଷୀ ନଭେମ୍ବର ଦ୍ବିତୀୟ ଏବଂ ତୃତୀୟ ସପ୍ତାହ ବେଳକୁ ଗଛ ଲଗା କାର୍ଯ୍ୟ ସାରି ଦେବେ ବୋଲି କୁହାଯାଇଥିଲା। ମାତ୍ର ନଭେମ୍ବର ଶେଷ ସପ୍ତାହ ବେଳକୁ ଆସିଲା ବିହନ। ବର୍ତ୍ତମାନ ୧୫ ହଜାର ଆଳୁ ବିହନ ବଣ୍ଟା ଯାଇଥିବା ନେଇ ଟ୍ବିଟ୍‌ କରୁଛନ୍ତି କୃଷି ମନ୍ତ୍ରୀ। ସେଥିରେ ପୁଣି ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କ ପାଖକୁ ବିହନ ପହଞ୍ଚି ନାହିଁ। ଏଭଳି ସ୍ଥିତିରେ ଆଳୁ ଉତ୍ପାଦନ ବୃଦ୍ଧିର ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଦ୍ୟାନ ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ରାଜ୍ୟରେ ଆଳୁ, ପିଆଜ ଏବଂ ରସୁଣ ଉତ୍ପାଦନ ବୃଦ୍ଧିର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏଥିରୁ କେବଳ ୮୪୪୩ ହେକ୍ଟରରେ ଆଳୁ ଚାଷ ହେବ। ଏଥିପାଇଁ ୨୯ କୋଟି ଟଙ୍କା ଖର୍ଚ୍ଚର ଆକଳନ ହୋଇଛି। ଆଳୁ ଉତ୍ପାଦନରେ ଶୀତଳଭଣ୍ଡାରର ଗୁରୁତ୍ବପୂର୍ଣ୍ଣ ଭୂମିକା ଥାଏ। ୧୩ ଜିଲ୍ଲାର ୧୫ଶହ ହେକ୍ଟର ଚାଷ ଜମି ପାଇଁ ଶୀତଳଭଣ୍ଡାର ବ୍ୟବସ୍ଥା ନାହିଁ। ଏଥିରେ ବୌଦ୍ଧ, ଦେବଗଡ଼ର ୫୦ ହେକ୍ଟର ଲେଖାଏ, ଢେଙ୍କାନାଳର ୨୦୦ ହେକ୍ଟର, ଗଜପତିର ୧୦୦ ହେକ୍ଟର, ଜଗତସିଂହପୁରର ୭୦ ହେକ୍ଟର, କଳାହାଣ୍ଡିର ୮୦ ହେକ୍ଟର, କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼, ନୂଆପଡ଼ା ଏବଂ ସୋନପୁରର ୧୦୦ ହେକ୍ଟର ଲେଖାଏ, ରାୟଗଡ଼ାର ୨୦୦ ହେକ୍ଟର ଚାଷ ଜମି ରହିଛି। ତେଣୁ ଏହି ଅଞ୍ଚଳଗୁଡ଼ିକରେ ଆଳୁ ସଂରକ୍ଷଣ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ମାତ୍ର ଆରମ୍ଭରୁ ହିଁ ବିହନରୁ ସମସ୍ୟା ଦେଖା ଦେବ ଏହା ଅକ୍ଟୋବର ମାସ ଆଳୁ ଚାଷ ବର୍ଧିତ ଯୋଜନାର ରଣନୀତି ପ୍ରସ୍ତୁତ କରିବାକୁ ବେଳକୁ ଚିନ୍ତା କରାଯାଇନଥିଲା।

ପୂର୍ବରୁ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଆଳୁ ବିହନ ଦିଆଯାଉଥିଲା। ମାତ୍ର ଏଥିରେ ସମସ୍ୟା ହେବାରୁ ଗତବର୍ଷ ପରୀକ୍ଷାମୂଳକ ଭାବରେ ବିହନ ନିଗମ ଏହି କାର୍ଯ୍ୟ ଆରମ୍ଭ କରିଥିଲା। ଚଳିତ ବର୍ଷ ବିଧିବଦ୍ଧ ଭାବରେ ନିଗମ ଟେଣ୍ଡର କରି ଆଳୁ, ପିଆଜ ଏବଂ ରସୁଣ ବିହନ ବଣ୍ଟନ କରିଛି। ବିଶେଷଜ୍ଞଙ୍କ ଅନୁସାରେ, ନିୟମ ଦୃଷ୍ଟିରୁ ରବିରେ ନଭେମ୍ବର ୧ ତାରିଖ କିମ୍ବା ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କ ପାଖକୁ ବିହନ ଆଳୁ ପହଞ୍ଚିଯିବା କଥା। ଫେବ୍ରୁଆରି ସୁଦ୍ଧା ଆଳୁ ବଢିବାର ସୁଯୋଗ ଥାଏ। ଫେବ୍ରୁଆରି ପ୍ରଥମ ସପ୍ତାହ ପରେ ଅମଳ କରାଯାଏ। ମାତ୍ର ଆରମ୍ଭରୁ ହିଁ ବିହନ ଯୋଗାଣରେ ବିଳମ୍ବ ଯୋଗୁଁ ଫେବ୍ରୁଆରି ମାସ ସୁଦ୍ଧ ଆଳୁ କ୍ଷମତା ଅନୁସାରେ ବଢ଼ିପାରିବ ନାହିଁ ଏବଂ ଉତ୍ପାଦନ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ରହିଛି। ଅନ୍ୟ ରାଜ୍ୟରେ ୧ କେଜି ବିହନରେ ୧୫ କେଜି ଆଳୁ ଉତ୍ପାଦିତ ହୋଇଥାଏ। ଓଡ଼ିଶାରେ ଏହା ୮ରୁ ୧୨ କେଜି ହୁଏ। ବର୍ତ୍ତମାନ ବିହନ ଯୋଗାଣରେ ବିଳମ୍ବ ଯୋଗୁଁ ବର୍ଦ୍ଧିତ ଚାଷର ଲାଭ ଗ୍ରାହକ ଏବଂ ଚାଷୀଙ୍କୁ କେତେ ମିଳୁଛି ତାକୁ ନେଇ ବର୍ତ୍ତମାନ ଠାରୁ ଅନିଶ୍ଚିତତା ସୃଷ୍ଟି ହେଲାଣି।

ସୂଚନା ଅନୁଯାୟୀ, ଆଳୁ ଚାଷ ପ୍ରୋତ୍ସାହନ ପାଇଁ ସମୁଦାୟ ଖର୍ଚ୍ଚର ୪୦ ପ୍ରତିଶତ ଅର୍ଥାତ ହେକ୍ଟର ହିସାବରେ ସର୍ବାଧିକ ୫୮ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ସରକାର ଚାଷୀଙ୍କୁ ଦେଇଥାଆନ୍ତି। ଏଥିରୁ ବିହନରେ ୭୫ ପ୍ରତିଶତ ରିହାତି ରହିଛି। ତେଣୁ ବିଳମ୍ବରେ ବିହନ ଯୋଗାଣ କେବଳ ଚାଷୀ ନୁହେଁ ସରକାର ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ୨୦୧୫ ମସିହାରେ ରାଜ୍ୟ ସରକାର ଆଳୁ ମିସନ ଆରମ୍ଭ କରି ଅତି ଶୋଚନୀୟ ଭାବରେ ବିଫଳ ହେଲେ। ସେତେବେଳେ ୧୫ ହଜାର ହେକ୍ଟରରେ ଆଳୁ ଚାଷ କରାଯାଇଥିଲା। ୨୦୧୭ ସୁଦ୍ଧା ୬୦ ହଜାର ହେକ୍ଟରରେ ଚାଷ କରି ୧୧.୨୫ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା। ତାହା ଆଜିବି ଦିବା ସ୍ବପ୍ନ ଭଳି ଲାଗୁଛି। ବିହନ ଯୋଗାଣରେ ବିଳମ୍ବ ପୁରୁଣା ଭୁଲ୍‌କୁ ଦୋହରାଇବ ନା ସରକାର ଆଳୁ ଉତ୍ପାଦନର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବେ ଦେଖିବାକୁ ବାକି ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।