ରାଜ୍ୟ ସ୍ପେଶାଲ ରିପୋର୍ଟ

୧୪ ହଜାର କୋଟିର ଖାଦ୍ୟ ରିହାତି ଟଙ୍କା ଦେଉନି କେନ୍ଦ୍ର

ଭୁବନେଶ୍ବର: ନିଜ ସ୍ବାର୍ଥ ବେଳକୁ କୋଳାକୋଳି, ଲୋକଙ୍କ ବେଳକୁ ସାବତ ସନ୍ତାନ ଭଳି ଆଚରଣ। ଖାଦ୍ୟ ସବସିଡି ଭଳି ଅତି ଗୁରୁତ୍ବପୂର୍ଣ୍ଣ ବିଲ୍ ଟଙ୍କା ମଧ୍ୟ ଦେଉ ନାହିଁ କେନ୍ଦ୍ର ସରକାର। ଏହାକୁ ନେଇ ମେ’ ମାସରେ ତତ୍କାଳୀନ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି କରିଥିଲେ ମଧ୍ୟ କୌଣସି ଲାଭ ହେଲା ନାହିଁ। ବରଂ ବର୍ତ୍ତମାନ ବକେୟା ଖାଦ୍ୟ ସବ୍‌ସିଡି ଟଙ୍କା ୧୪ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଣେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଥିବା ଖରିଫ ଧାନ ସଂଗ୍ରହ ଆରମ୍ଭ ହେଲାଣି। ଏଭଳି ସ୍ଥିତିରେ ଏତେ କୋଟି ଟଙ୍କାର ବୋଝ ରାଜ୍ୟ ସରକାର କେମିତି ଉଠାଇବେ ତାକୁ ନେଇ ଚିନ୍ତା ବଢ଼ିଛି।

ସୂଚନା ଅନୁଯାୟୀ, ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେଜି ପ୍ରତି ଦିଆଯାଉଥିବା ଚାଉଳ ଖର୍ଚ୍ଚର ୩୩ରୁ ୩୦ ଟଙ୍କା, ଧାନ ସଂଗ୍ରହ କମିସନ, ମଣ୍ଡି ଲେବର ଚାର୍ଜ, ଧାନ ଏମଏସପି, ପରିବହନ, ଗୋଦାମ ଭଡ଼ା ଏବଂ ବ୍ୟାଙ୍କ ସୁଧ ଆଦି ବାବଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ପ୍ରତିବର୍ଷ ସବ୍‌ସିଡି ଟଙ୍କା ଦିଆଯାଏ। ଧାନ ସଂଗ୍ରହ, ପିଡିଏସ ସମେତ ଅତି ଜରୁରୀ ଆବଶ୍ୟକତା ପାଇଁ କେନ୍ଦ୍ର ପକ୍ଷରୁ କିଛି ଅଗ୍ରୀମ ଅର୍ଥ ଦିଆଯାଏ। ବାକି ଟଙ୍କା ଋଣ କରି ଆବଶ୍ୟକତା ପୂରଣ ପାଇଁ କୁହାଯାଏ। ଋଣ ସୁଧ ନିଜେ କେନ୍ଦ୍ର ବହନ କରିଥାଏ। ମାତ୍ର ନିର୍ଧାରିତ ସମୟରେ ସୁଧ ଟଙ୍କା ଦିଆନଯିବାରୁ ଏହା ବୃଦ୍ଧି ପାଇ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

କେନ୍ଦ୍ରର ଖାଦ୍ୟ ସବସିଡିକୁ ବକେୟା ରଖିବା ଆଜିର ନୁହେଁ। ୨୦୦୩ ମସିହା ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ହିଁ ଏଭଳି ସ୍ଥିତି ହୋଇଛି। ସେତେବେଳେ ବକେୟା ଟଙ୍କା ଅଳ୍ପ ପରିମାଣ ରହୁଥିଲା। ୨୦୧୪ ମସିହାରୁ ଏହା ଅତି ଜଟିଳ ହେବାରେ ଲାଗିଛି। ୨୦୧୪ ମସିହାରେ ୧୨୦.୫୬ କୋଟି, ୨୦୧୫ ମସିହାରେ ୧୬୦.୭୫ କୋଟି, ୨୦୧୬ ମସିହାରେ ୧୦୪.୪୬ କୋଟି, ୨୦୧୭ ମସିହାରେ ୨୮୨.୪୨ କୋଟି, ୨୦୧୮ ମସିହାରେ ୨୫୮.୪୨ କୋଟି, ୨୦୧୯ ମସିହାରେ ୧୦୬୭୫.୪୧ କୋଟି, ୨୦୨୦ ମସିହାରେ ୧୩୭୦.୪୪ କୋଟି, ୨୦୨୧ ମସିହାରେ ୨୯୮୮.୪୦ କୋଟି ଟଙ୍କା ବକେୟା ରହିଥିବା ନେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଦିଆଯାଇଥିବା ପତ୍ରରେ ତତ୍କାଳୀନ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଉଲ୍ଲେଖ କରିଥିଲେ।

କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଦିଆଯାଉଥିବା ଏହି ଖାଦ୍ୟ ସବସିଡି ଟଙ୍କାର ମୁଖ୍ୟ ଭାଗ ଧାନ ସଂଗ୍ରହ କମିସନ ବାବଦରେ ଖର୍ଚ୍ଚ ହୁଏ। ଏସବୁର ପରିମାଣ ପାଖାପାଖି ୧୫ ହଜାର କୋଟି ଟଙ୍କା। ଏଥିରେ ଖରିଫର ୧୨ ହଜାର ଏବଂ ରବିର ୩ ହଜାର କୋଟି ଟଙ୍କା ରହିଛି। ବର୍ତ୍ତମାନ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଥିବାରୁ ଯଥାଶୀଘ୍ର ଅଗ୍ରୀମ ଟଙ୍କା ପ୍ରଦାନ ପାଇଁ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ୧ ଟଙ୍କିଆ ଚାଉଳ ଠାରୁ ଚାଷ-ଚାଷୀ ଉଭୟ ପ୍ରସଙ୍ଗରେ ଶ୍ରେୟ ନେବା ପାଇଁ କେନ୍ଦ୍ର ବିଜେପି ଏବଂ ରାଜ୍ୟ ବିଜେଡି ସରକାର ପ୍ରତିଯୋଗିତା କରନ୍ତି। ମାତ୍ର କେନ୍ଦ୍ର ସରକାର କାହିଁକି ରାଜ୍ୟର ଏତେ କୋଟି ଟଙ୍କା ଦେଉ ନାହିଁ ଏବଂ ଏତେ କୋଟିର ବକେୟା ଥାଇ ମଧ୍ୟ ରାଜ୍ୟ ସରକାର କେବଳ ଚିଠି ଲେଖାରେ ନିଜ ଦାୟିତ୍ବ ସାରୁଛି, ସର୍ବୋପରି ଏହି ପ୍ରସଙ୍ଗରେ କାହିଁକି ସ୍ବର ଉତ୍ତୋଳନ କରି କଠୋର ଆଭିମୁଖ୍ୟ ପୋଷଣ କରୁ ନାହିଁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।