ରାଜ୍ୟ ସ୍ପେଶାଲ ରିପୋର୍ଟ

କୋରେଇ: ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ୭ ଶହ କର୍ମଚାରୀ

ଯାଜପୁର: କୋରେଇ ଷ୍ଟେସନରେ ହୋଇଥିବା ରେଳ ଦୁର୍ଘଟଣାର ଉଦ୍ଧାର ଓ ମରାମତି କାର୍ଯ୍ୟରେ ‌ରେଳ ବିଭାଗ ଭଦ୍ରକ ଓ ଖୋର୍ଦ୍ଧା ଡିଭିଜନର ମୋଟ୍‌ ୭ଶହ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମରାମତି ଓ ଭଙ୍ଗା ରେଳଡବାଗୁଡ଼ିକୁ ହଟାଇବା ପାଇଁ ବହୁ ମେସିନ କାର୍ଯ୍ୟରେ ଲଗାଯାଇଛି। ଲାଇନ୍‌ଚ୍ୟୁତ ହୋଇଥିବା ମୋଟ୍‌ ୧୬ଟି ଡବାରୁ ରାତି ପର୍ଯ୍ୟନ୍ତ ୮ଟି ଡବାକୁ ଧାରଣାରୁ ହଟାଯାଇଛି। ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍‌ ସରବରାହକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ରାତି ସୁଦ୍ଧା ଡାଉନ୍‌ ଲାଇନ୍‌ରେ ରେଳ ଚଳାଚଳ କରିବ ବୋଲି ବିଭାଗୀୟ ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି।

ବଡ଼ ଅଘଟଣ ଟଳିଲା

ସୋମବାର ସକାଳେ କୋରେଇ ରେଳଷ୍ଟେସନରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବାସହ ୪ ଜଣ ଆହତ ହୋଇଛନ୍ତି। ହେଲେ, ଅଳ୍ପକେ ବହୁ ଯାତ୍ରୀ ବର୍ତ୍ତି ଯାଇଥିବା ବେଳେ ଏକ ବଡ଼ ଅଘଟଣ ଟଳି ଯାଇଛି। ଦୁର୍ଘଟଣାର ପ୍ରାୟ ଅଧଘଣ୍ଟାଏ ପରେ ଏହି ଷ୍ଟେସନ୍‌ରେ ବାଲେଶ୍ବର-ଭୁବନେଶ୍ବର ମେମୁ ଟ୍ରେନ୍‌ ରହଣି କରିଥାଏ। ଏହି ଟ୍ରେନ୍‌ରେ ବହୁ ଚାକିରିଆ ଭୁବନେଶ୍ବର ଯାଉଥିବା ବେଳେ କଟକ ବଡ଼ ଡାକ୍ତରଖାନାକୁ ମଧ୍ୟ ଲୋକମାନେ ଯାଇଥା’ନ୍ତି। ସେହିପରି, ବ୍ୟାସନଗର ଓ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାତାୟାତ କରୁଥିବା ଶ୍ରମିକମାନେ ମଧ୍ୟ ଏହି ଟ୍ରେନ୍‌ ଉପରେ ନିର୍ଭର କରନ୍ତି। ଫଳରେ ଏହିସବୁ ସ୍ଥାନକୁ ଯିବା ପାଇଁ ପ୍ରତିଦିନ କୋରେଇ ରେଳଷ୍ଟେସନରରେ ଶତାଧିକ ଲୋକଙ୍କ ଭିଡ଼ ଜମେ। ଆଜିର ଦୁର୍ଘଟଣା ସମୟ ଠାରୁ ପ୍ରାୟ ଅଧଘଣ୍ଟାଏ ପରେ ମେମୁ ଟ୍ରେନ୍‌ ଆସିବାର ଥିଲା। ଦଶ ପନ୍ଦର ମିନିଟ୍‌ର ସମୟ ଡେରି ହୋଇଥିଲେ ବଡ଼ ଅଘଟଣ ଘଟିବା ଶହ ବହୁ ଧନଜୀବନ ନଷ୍ଟ ହୋଇଥା’ନ୍ତା।

ଚା ଓ ଚାବି ବଞ୍ଚାଇଦେଲା ୪ ଜୀବନ

କୋରେଇ ରେଳଷ୍ଟେସନରେ ଆଜିର ରେଳ ଦୁର୍ଘଟଣା ବେଳେ ଚା ଓ ଚାବି ୪ଜଣଙ୍କ ଜୀବନ ବଞ୍ଚାଇ ଦେଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାର୍ବତୀ ବିନ୍ଧାଣୀଙ୍କ ଜୋଇଁ ବଳରାମ ସେହିସମୟରେ ଚା ଆଣିବା ପାଇଁ ଷ୍ଟେସନ ନିକଟରେ ଥିବା ଏକ ଦୋକାନକୁ ଯାଇଥିଲେ। ସାଙ୍ଗରେ ସେ ତାଙ୍କ ପୁଅ ବିଶ୍ବଜିତଙ୍କୁ ନେଇଯାଇଥିଲେ। ଫଳରେ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲା। ସେହିପରି ଧନେଶ୍ବର ପଞ୍ଚାୟତ ମୃତ୍ୟୁଞ୍ଜୟପୁର ବାଡ଼ା ଗ୍ରାମର ପ୍ରଶାନ୍ତ ପ୍ରତିହାରୀ ଓ ତାଙ୍କ ପତ୍ନୀ ମେମୁ ଟ୍ରେନ୍‌ରେ କଟକ ବଡ଼ ଡାକ୍ତରଖାନାକୁ ଯିବା ପାଇଁ ଷ୍ଟେସନକୁ ଆସିଥିଲେ। କୋରେଇ ଷ୍ଟେସନ ବଜାରରେ ଥିବା ପ୍ରଶାନ୍ତଙ୍କ ଦୋକାନରେ ତାଙ୍କ ପତ୍ନୀଙ୍କ ବିଭିନ୍ନ ନିଦାନ ରିପୋର୍ଟ ରହିଯାଇଥିଲା। ହେଲେ, ସେ ଭୁଲିଯାଇ ଘରେ ଦୋକାନ ଚାବି ଛାଡ଼ି ଆସିଥିଲେ। ଦୋକାନରୁ ପରୀକ୍ଷାନିରିକ୍ଷା ରିପୋର୍ଟ ବାହାର କରିବା ପାଇଁ ସେ ଦୋକାନ ଚାବି ଆଣିବାକୁ ଷ୍ଟେସନରୁ ଫେରିଯାଇଥିଲେ। ଏହିସମୟରେ ‌ଦୁର୍ଘଟଣା ଘଟିଥିଲା। ସେ ରକ୍ଷା ପାଇଯିବା ସହିତ ପ୍ଲାଟ୍‌ଫର୍ମରେ ବହୁ ଆଗକୁ ଚାଲିଯାଇଥିବାରୁ ତାଙ୍କ ପତ୍ନୀ ମଧ୍ୟ ରକ୍ଷା ପାଇଯାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।