ବରଗଡ଼: ଉପନିର୍ବାଚନ ହାୱାରେ ପଦ୍ମପୁର ନିର୍ବାଚନମଣ୍ଡଳୀ ତାତୁଛି। ଏହି ବ୍ଲକ୍ର ଗୁଡ଼ାଏ ସମସ୍ୟା ଦଶନ୍ଧି ଦଶନ୍ଧି ହେଲା ଅଣଦେଖା ହୋଇ ରହିଛି। ଚାଷ ଓ ଚାଷୀ ସମସ୍ୟା ଏଠାରେ ନିତିଦିନିଆ। ଧାନର ଅଭାବୀ ବିକ୍ରି ସମସ୍ୟା ସର୍ବାଧିକ ଏହି ଇଲାକାରେ ଦୃଶ୍ୟମାନ ହୁଏ। ଅନ୍ୟତମ ବଡ଼ ସମସ୍ୟା ହେଲା ଦାଦନ ଦୁଃଖ। ପଦ୍ମପୁର ନିର୍ବାଚନମଣ୍ଡଳୀର ତିନୋଟି ଯାକ ବ୍ଲକ୍ ପାଇକମାଳ, ଝାରବନ୍ଧ, ପଦ୍ମପୁର ଦାଦନ ପ୍ରବଣ ବ୍ଲକ୍ ସୂଚୀରେ ରହିଛି। ଏଠାରୁ ଜିଲ୍ଲାର ୯୦ ପ୍ରତିଶତ ଦାଦନ ବାହାର ରାଜ୍ୟକୁ ଯାଇଥାନ୍ତି। କିନ୍ତୁ ଜିଲ୍ଲାର କୌଣସି ବ୍ୟକ୍ତିଙ୍କୁ ଦାଦନ ଚାଲାଣ କରିବାକୁ ଲାଇସେନ୍ସ ଦିଆଯାଇନାହିଁ। ଏହି କଟକଣା ଥିବା ସତ୍ତ୍ବେ ହଜାର ହଜାର ଶ୍ରମିକ ବାହାର ରାଜ୍ୟକୁ ଯାଉଛନ୍ତି। ବାହାର ରାଜ୍ୟରୁ ଫେରୁଥିବା ଦାଦନମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇବାକୁ ସରକାର ପ୍ରାଥମିକତା ଦେଇଛନ୍ତି। କିନ୍ତୁ ଏହା ଘୋଷଣାରେ ହିଁ ସୀମିତ ରହିଛି। ଅଧିକାଂଶ ସ୍ଥାନରେ ଠିକାଦାରଙ୍କୁ ପୋଷିବା ପାଇଁ ମେସିନ୍ ଦ୍ବାରା କାମ ଚାଲିଛି। ଏହାର ପ୍ରତିବାଦ ହେଉଥିଲେ ହେଁ କିଛି ଫଳ ମିଳୁନାହିଁ। ଅନ୍ୟପକ୍ଷରେ ଜିଲ୍ଲାରେ ମନରେଗା ସ୍ଥିତି ଉତ୍ସାହଜନକ ନୁହେଁ। ବିଗତ ବର୍ଷର ପରିସଂଖ୍ୟାନ ଦେଖିଲେ, ଜିଲ୍ଲାରେ ମନରେଗା ଟାର୍ଗେଟ୍ ୬୫ରୁ ୭୦ ପ୍ରତିଶତ ହିଁ ଛୁଇଁଛି।
ଏହାର ଫାଇଦା ନେଇ ସର୍ଦ୍ଦାରମାନେ ପୁନର୍ବାର ଦାଦନ ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି। ୨୦୨୦ ମସିହା ଲକ୍ଡାଉନ୍ ବେଳେ ଜିଲ୍ଲାର ଦାଦନମାନେ କର୍ମସଂସ୍ଥାନ ହରାଇ ବସିଥିଲେ। ପ୍ରଥମ ଥର ଲକ୍ଡାଉନ୍ ଆରମ୍ଭ ହେବା ପରେ ସେମାନେ ଯେଉଁ ଯେଉଁ ରାଜ୍ୟରେ ଥିଲେ, ସେଠାରେ ଇଟାଭାଟି ହେଉ କି କାରଖାନା, ସବୁ ବନ୍ଦ ହୋଇଯାଇଥିଲା। ସେହି ବର୍ଷ ଜିଲ୍ଲାର ୨୫ହଜାର ଦାଦନ ବାହାର ରାଜ୍ୟ ଏବଂ ଜିଲ୍ଲାରୁ ଫେରିଥିଲେ। କିନ୍ତୁ ସେମାନଙ୍କୁ ସ୍ଥାୟୀ କର୍ମସଂସ୍ଥାନ ଯୋଗାଇ ଦିଆଗଲା ନାହିଁ। ବରଂ ମନରୋଗା ଆଳରେ ଜାଲ୍ କାଗଜପତ୍ର କରି ବ୍ୟାପକ କେଳେଙ୍କାରୀ ହେଲା। ଗତବର୍ଷ କରୋନା ସ୍ଥିତି ସ୍ବାଭାବିକ ହେବା ପରେ ପୁଣି ଜିଲ୍ଲାରୁ ଦାଦନ ସୁଅ ଛୁଟିଲା। ବାହାର ରାଜ୍ୟରେ ଦାଦନମାନେ ନିର୍ଯ୍ୟାତିତ ହେଉଛନ୍ତି। ଶହଶହ ନିର୍ଯ୍ୟାତିତ ଦାଦନ ପ୍ରତିବର୍ଷ ଉଦ୍ଧାର ହେଉଛି। କିନ୍ତୁ ଜିଲ୍ଲାରୁ ଦାଦନ ସୁଅ କେବେ ବି ବନ୍ଦ ହେଉନାହିଁ। ଅନ୍ୟପକ୍ଷରେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ଯଦ୍ୱାରା ସୀମାନ୍ତ ଶ୍ରମିକ ସଂଖ୍ୟା ବଢ଼ି ଚାଲିଛି।
ବରଗଡ଼ ଜିଲ୍ଲାର ୨୦୦୧ ଏବଂ ୨୦୧୧ର ଜନଗଣନା ରିପୋର୍ଟରୁ ଏସବୁ ଉଦ୍ବେଗଜନକ ତଥ୍ୟ ମିଳୁଛି। ଜିଲ୍ଲାରେ ଗୋଟିଏ ଦଶନ୍ଧି ମଧ୍ୟରେ ସୀମାନ୍ତ ଶ୍ରମିକ ସଂଖ୍ୟା ଅଚାନକ ବୃଦ୍ଧି ପାଇଛି। ୨୦୦୧ ମସିହାରେ ଜିଲ୍ଲାରେ ସୀମାନ୍ତ ଶ୍ରମିକ ସଂଖ୍ୟା ୨,୦୮,୮୨୦ ରହିଥିଲା। ଯାହା ୨୦୧୧ ମସିହାରେ ବୃଦ୍ଧି ପାଇ ୨,୮୭,୭୦୨ରେ ପହଂଚି ଥିଲା। ଗତ ୮ବର୍ଷ ମଧ୍ୟରେ ବରଗଡ଼ ଜିଲ୍ଲା ତିନୋଟି କ୍ରମାଗତ ମରୁଡ଼ି ବର୍ଷର ସମ୍ମୁଖୀନ ହୋଇଛି। ଜଳସେଚନ ସୁବିଧା ଥିବା ଅଂଚଳରେ ଅର୍ଧାଧିକ ଫସଲ ଚକଡ଼ା ପୋକ ଯୋଗୁଁ ଉଜୁଡ଼ି ଯାଉଛି। ଯଦ୍ୱାରା ଚାଷୀମାନେ ଚାଷ କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ଋତୁକାଳୀନ ଶ୍ରମସଂସ୍ଥାନ ସୁଯୋଗ କମୁ ଥିବାରୁ ଦାଦନ ଚାଲାଣ ହାର ବଢ଼ି ଚାଲିଛି। ଏପରିକି ଚାଷୀ ମଧ୍ୟ ଦାଦନ ଖଟିବାକୁ ବାହାର ରାଜ୍ୟ ଚାଲି ଯାଉଛି। େଗାଟିଏ ହିସାବରେ ଦାଦନ ସମସ୍ୟା ରୋକିବାରେ ମନରେଗା ଯୋଜନା ସଂପୂର୍ଣ୍ଣ ଫେଲ୍ କହିଲେ ଚଳେ। ଏହା ଉପନିର୍ବାଚନର ଅନ୍ୟତମ ପ୍ରସଂଗ ଭାବେ ଉଭା ହେବ ବୋଲି ଜଣାପଡ଼ୁଛି।