ଭୁବନେଶ୍ବର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି)ର ନବକଳେବର ହେବାକୁ ଯାଉଛି। ଏଥିପାଇଁ ଓଏସ୍ଆର୍ଟିସି ପ୍ରାୟ ହଜାରେ କୋଟିର ଯୋଜନା କରିଛି। ହେଲେ ଏତେ ଅର୍ଥ ଦେବା ନେଇ ସଡ଼କ ଓ ପରିବହନ ବିଭାଗ କୁନ୍ଥକୁନ୍ଥ ହେଉଛି। ଓଏସ୍ଆର୍ଟିସି କେଉଁ କେଉଁ କାମ ପାଇଁ କେତେ ଅର୍ଥ ଖର୍ଚ୍ଚ କରିବ ସେନେଇ ଟିକିନିଖ୍ ହିସାବ ଦେବାକୁ ପରିବହନ ବିଭାଗ କହିଛି।
ଓଏସ୍ଆର୍ଟିସିର ଯୋଜନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ୪୧୦ଟି ନୂଆ ବସ୍ କିଣାଯିବ। ଏଥିପାଇଁ ୨୧୩କୋଟି ଖର୍ଚ୍ଚ ହେବ। ୫୫ଟି ବ୍ଲକରେ ନିର୍ମାଣ ହେବାକୁ ଥିବା ବସ୍ଷ୍ଟାଣ୍ଡ ପାଇଁ ୨୦୧କୋଟି, ଓଏସ୍ଆର୍ଟିସି ଅଧୀନସ୍ଥ ବିଭିନ୍ନ ଜମିରେ ପାଚେରୀ ନିର୍ମାଣ ପାଇଁ ୬.୧୦କୋଟି, ସବ୍ଡିଭିଜନ୍ ଓ ଜିଲ୍ଲାସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୫୦୦କୋଟି, ଓଏସ୍ଆର୍ଟିସି ସମ୍ପତ୍ତିର ଜିଆଇଏସ୍ ମ୍ୟାପିଂ କରିବାକୁ ୩୮କୋଟି ୫୦ଲକ୍ଷ, ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିଜୁ ଗାଁ ଗାଡ଼ି ଯୋଜନାରେ ହୋଇଥିବା କ୍ଷତି, ସ୍ବତନ୍ତ୍ର ମହିଳା ବସ୍ ଚଳାଇବାରେ ହୋଇଥିବା କ୍ଷତି ଭରଣା ବାଦ୍ ପୂର୍ବତନ କର୍ମଚାରୀଙ୍କ ଏରିଅର୍ ବାବଦକୁ ୧୫କୋଟି ୬୪ଲକ୍ଷ ଟଙ୍କା ଦରକାର। ଏହିପରି ପ୍ରାୟ ହଜାରେ କୋଟି ଟଙ୍କା ଓଏସ୍ଆର୍ଟିସି ମାଗିଥିବାବେଳେ ପରିବହନ ବିଭାଗ ସବୁର ଟିକିନିଖ୍ ହିସାବ ମାଗିଛି। ହିସାବ ଦେଲା ପରେ ଚଳିତ ଆର୍ଥିକ ବର୍ଷରେ ଏତେ ଅର୍ଥ ମଞ୍ଜୁର ହେବ କି ନାହିଁ ସେନେଇ ନିଷ୍ପତ୍ତି ହେବ ବୋଲି କୁହାଯାଇଛି।
ପରିବହନ ବିଭାଗ ପକ୍ଷରୁ ଓଏସ୍ଆର୍ଟିସିକୁ କୁହାଯାଇଛି ଯେ, ୪୧୦ଟି ବସ୍ କିଣିବାକୁ ସରକାରୀ ପରଚେଜ୍ ଅର୍ଡର ଦିଅ, ୫୫ଟି ବ୍ଲକରେ ବସ୍ଷ୍ଟାଣ୍ଡ ନିର୍ମାଣ, ପାଚେରୀ ନିର୍ମାଣ, ସବ୍ଡିଭିଜନ୍ ଓ ଜିଲ୍ଲାସ୍ତରରେ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଦିଆଯାଇଥିବା ପ୍ରଶାସନିକ ଅନୁମୋଦନର ନକଲ ଦିଅ।
ସେହିପରି ମହିଳା ସ୍ବତନ୍ତ୍ର ବସ୍ ଯୋଗୁଁ ଯେଉଁ କ୍ଷତି ହୋଇଛି ବୋଲି କୁହାଯାଉଛି ସେଥିପାଇଁ ଆବଶ୍ୟକୀୟ ପ୍ରମାଣ ସ୍ବରୂପ କେଉଁ ରୁଟ୍ରେ କେଉଁ ମାସରେ କେତେ କ୍ଷତି ହୋଇଥିଲା ତା’ର ହିସାବ ଦିଅ। ବିଜୁ ଗାଁ ଗାଡ଼ି ଯୋଜନାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଯେଉଁ କ୍ଷତି ହୋଇଛି ବୋଲି କୁହାଯାଇଛି ତା’ର ପ୍ରମାଣ ପାଇଁ ୨୦୧୮-୧୯ ପର୍ଯ୍ୟନ୍ତ କେଉଁ ରୁଟ୍ରେ କେଉଁ ମାସରେ କେତେ ଅର୍ଥ କ୍ଷତି ହୋଇଛି ତା’ର ହିସାବ ଦିଅ। ବକେୟା ଏମ୍ଏସିଟି ପାଉଣା ପାଇଁ କେଉଁ ବର୍ଷ କେତେ କେସ୍ ହୋଇଛି ଏବଂ ଭରଣା ପାଇଁ ସରକାରୀ ନିର୍ଦ୍ଦେଶନାମା ଦିଅ। ଭଡ଼ା ରିହାତି ବାବଦକୁ ଯେଉଁ ୧କୋଟି ୬ଲକ୍ଷ ଟଙ୍କା କ୍ଷତି ହୋଇଛି ବୋଲି କୁହାଯାଇଛି, ସେଥିରେ କେଉଁ ମାସେର କେତେ କ୍ଷତି ହୋଇଛି, ଓଏସ୍ଆର୍ଟିସି ସମ୍ପତ୍ତିର ଆଇଟିଏମ୍ଏସ୍ ଓ ଜିଆଇଏସ୍ ମ୍ୟାପିଂ କରିବାକୁ କିଏ ନିର୍ଦ୍ଦେଶ ଦେଇଛନ୍ତି ତା’ର ନକଲ, ଏସ୍ଟିସ୍ କର୍ମଚାରୀଙ୍କ ଏରିଅର୍ ବାବଦକୁ ୧୫କୋଟି ୬୪ଲକ୍ଷ ଟଙ୍କା ମଗାଯାଇଥିବାବେଳେ କେଉଁ କର୍ମଚାରୀ କେତେ ପାଇବେ ତା’ର ହିସାବ ମଗାଯାଇଛି।