ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ: ୫,୫୦୦ ଛାତ୍ରଛାତ୍ରୀଙ୍କ ପାଇଁ ୩୦ ଅଧ୍ୟାପକ!

ବାରିପଦା: ଉଚ୍ଚଶିକ୍ଷାର ବିକାଶ ପାଇଁ ରାଜ୍ୟର ବିଭିନ୍ନ କଲେଜରେ ଅସଜଡ଼ା ଭିତ୍ତିଭୂମି ସଜଡ଼ା ଯାଉଛି। କୋଟିକୋଟି ଟଙ୍କା ବ୍ୟୟରେ କୋଠା ପରେ କୋଠା ନିର୍ମାଣ ଚାଲିଥିଲେ ବି ଅଧ୍ୟାପକ ନିଯୁକ୍ତି ପ୍ରତି ଦୃଷ୍ଟି ଦିଆଯାଉନଥିବାରୁ କଲେଜରୁ ଆଉ ପୂର୍ବ ଭଳି ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହେଉନାହାନ୍ତି।

ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ ଓ ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ଏହି କଲେଜରେ କୋଠାବାଡ଼ି ନିର୍ମାଣ ଦ୍ରୁତଗତିରେ ଚାଲିଛି। ୪ କୋଟି ୧୨ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ବିଲ୍‌ଡିଂ ନିର୍ମାଣ ସରିଥିବା ବେଳେ ଏବେ ପିଜି ସେଲ୍ ପାଇଁ ୭ ମହଲା କୋଠା ନିର୍ମାଣ ଚାଲିଛି। କଲେଜରେ କୋଠା ପ‌ରେ କୋଠା ନିର୍ମାଣ ହେଉଛି ସିନା, ଫାଙ୍କା ପଡ଼ିଥିବା ଅଧ୍ୟାପକ ପଦ ପୂରଣ ହେଉନି। ଏଠାରେ ଯୁକ୍ତ ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ରହିଥିବାବେଳେ ୧୯ଟି ବିଭାଗରେ ପିଜି ପାଠ୍ୟକ୍ରମ ବି ରହିଛି। ଏହାବ୍ୟତୀତ ବାଣିଜ୍ୟ, ଓଡ଼ିଆ, ରାଜନୀତି ବିଜ୍ଞାନ ଓ ଇଂରାଜୀ‌ରେ ଏମ୍‌ଫିଲ୍ ରହିଛି। କଲେଜରେ ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ ହଜାର ୫୦୦। ନିୟମ ଦୃଷ୍ଟିରୁ ପାଠପଢ଼ା ଲାଗି ଅତିକମ୍‌ରେ ୧୦୦ ଜଣ ସ୍ଥାୟୀ ଅଧ୍ୟାପକ ରହିବା କଥା। ତେବେ ମହାବିଦ୍ୟାଳୟରେ ଏବେ ୩୦ ଜଣ ଅଧ୍ୟାପକ ଥିବା ବେଳେ ୭୦ ପଦବି ବହୁବର୍ଷରୁ ଖାଲି ପଡ଼ିଛି। ୩୦ ଜଣ ଅଧ୍ୟାପକଙ୍କ ମଧ୍ୟରୁ ୬ ଜଣଙ୍କ ଚାକିରି ଅସ୍ଥାୟୀ।

ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ବଦଳରେ ପିରିୟଡ୍‌ ପିଛା ୫୦୦ ଟଙ୍କା ପାରିଶ୍ରମିକରେ ୬ ମାସିଆ ଅତିଥି ଅଧ୍ୟାପକ ନିଯୁକ୍ତି ଦିଆଯାଉଛି। ଫଳ‌ରେ କଲେଜ ପ୍ରତି ଅତିଥି ଅଧ୍ୟାପକଙ୍କ ଉତ୍ତରଦାୟିତ୍ବ ରହୁନି। ଦିନକୁ କିଏ ଗୋଟିଏ ତ’ ଆଉ କିଏ ୨ଟି ପିରିୟଡ୍‌ ନେଇ ସିଧା ଘରକୁ ଚାଲିଲେ। ସ୍ଥାୟୀ ଅଧ୍ୟାପକ ଓ ଅତିଥି ଅଧ୍ୟାପକଙ୍କ ଦ୍ବାରା ଶିକ୍ଷାଦାନ ଯଥେଷ୍ଟ ହେଉ ନଥିବାରୁ ବିଭିନ୍ନ ବିଭାଗରେ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। କଲେଜ ପିଲାଙ୍କ ଟିଉସନ୍‌ ଫି’ ଟଙ୍କାରୁ ୩୦ ଜଣ ଅସ୍ଥାୟୀ ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଛି। ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କଲେଜର ବେଶ ସୁନାମ ଥିଲା। ଜିଲ୍ଲା ବାହାରୁ ପିଲାମାନେ ଏଠାରେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ଦିନ ଥିଲା କଲେଜରେ ୭ ହଜାର ୫୦୦ ପିଲା ପାଠ ପଢୁଥିଲେ। ଅଧ୍ୟାପକ ବି କମ୍ ନଥିଲେ। ଏବେ କଲେଜର ଛାତ୍ରଛାତ୍ରୀ ସଂଖ୍ୟା ୫ ହଜାର ୫୦୦କୁ ଖସିଆସିଛି। ଉଚ୍ଚଶିକ୍ଷାର ମାନ ବୃଦ୍ଧି ପାଇଁ ପିଲାଙ୍କ ଅନୁପାତରେ ଆବଶ୍ୟକ ଅଧ୍ୟାପକ ରହିବା କଥା। ହେଲେ କଲେଜରେ ଏହାର ବ୍ୟତିକ୍ରମ ଥିବାରୁ ଶିକ୍ଷାଦାନ ଓ ଅନ୍ୟାନ୍ୟ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି ବୋଲି ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ପଣ୍ଡା କହିଛନ୍ତି। ନୂତନ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ଦୃଷ୍ଟି ଦେବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।