ଅପରାଧ ରାଜ୍ୟ

ମଦ ବିକି ବନ୍ଧା ହେଲେ ଗାଁ ସଭାପତି, ଚୋରା ମଦ ବିକିବାକୁ ଗାଁରେ ହୋଇଥିଲା ବାରଣ

ବଡ଼କେରା : ମଦ ପାଇଁ ଗାଁରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା। ତେଣୁ ଗାଁ ସଭାରେ ନିଷ୍ପତ୍ତି କରାଯାଇଥିଲା ଯେ, ଗାଁରେ କେହି ମଦ ବିକ୍ରି କରିପାରିବେନି। ଗାଁରେ ମଦ ବିକି ଧରା ପଡ଼ିଲେ ୫୦ ହଜାର ଟଙ୍କା ଜୋରିମାନା ଗଣିବେ ବୋଲି ସଭାପତି ନିୟମ କରିଥିଲେ। କିନ୍ତୁ ସେହି ନିୟମରେ ଏବେ ସଭାପତି ଛନ୍ଦି ହୋଇ ପଡ଼ିଛନ୍ତି। ମଦ କାରବାର ବେଳେ ଗାଁ ଲୋକଙ୍କ ହାତରେ ଧରାପଡ଼ିଛନ୍ତି ଗାଁ ସଭାପତି। ଗାଁ ସାରା ଲୋକ ତାଙ୍କୁ ଘେରି ପୁଲିସକୁ ଦେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ତୁମୁଣି ଗାଁରେ। ଯେଉଁ ସଭାପତି ମଦ ବି‌ରୋଧରେ ଗାଁରେ ଭାଷଣବାଜି କରୁଥିଲେ, ସିଏ ମଦ କାରବାର କରି ଧରାପଡ଼ିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏପଟେ ଏହି ବେଆଇନ ମଦ କାରବାର ନେଇ ଗାଁର ୱାର୍ଡମେମ୍ବରଙ୍କ ବିରୋଧରେ ବି ଗ୍ରାମବାସୀ ଥାନାରେ ଏତଲା ଦେଇଛନ୍ତି।

ଅନୁଗୁଳ ବ୍ଲକ୍‌ ତୁମୁଣୀ ଗାଁରେ ଦିନକୁ ଦିନ ମଦ ବିକ୍ରି ବଢ଼ି ଚାଲିଥିଲା। ଏଥିପାଇଁ ଗାଁରେ ଅଶାନ୍ତି ବଢ଼ିଥିଲା ବେଳେ ଘରେ ଘରେ କଳିଗୋଳ ଲାଗୁଥିଲା। ତେଣୁ ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ଗ୍ରାମବାସୀ ନେଇଥିଲେ ନିଷ୍ପତ୍ତି। ଯେ କେହି ବ୍ୟକ୍ତି ଗାଁରେ ଚୋରାରେ ମଦ ବିକି ଧରା ପଡ଼ିଲେ ୫୦ ହଜାର ଟଙ୍କା ଜୋରିମାନା ଦେବେ ବୋଲି ସଭାପତିଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଥିଲା। ଏହାକୁ ଗ୍ରାମବାସୀ ମାନି ନେଇଥିଲେ। କିନ୍ତୁ କିଛି ଦିନ ପରେ ଗାଁର କିଛି ଲୋକ ଚୋରାରେ ମଦ ବିକାବିକି କରୁଥିବା ଜଣାପଡ଼ିଥିଲା। ଏହି ଲୋକଙ୍କ ବିରୋଧରେ ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଯୁବକ ସଂଘର ସଭ୍ୟମାନେ ଗାଁ କମିଟିକୁ ଲିଖିତ ଆକାରରେ ଜଣାଇଥିଲେ। ଏହି ଅଭିଯୋଗ ଗାଁ ସଭାପତି ନରେଶ ସାହୁ ଓ ୱାର୍ଡମେମ୍ବର ପତିତପାବନ ସାହୁଙ୍କ ବିରୋଧରେ ଆସିବାରୁ ଗାଁ କମିଟି ଏହାକୁ ଗୁରୁତର ସହ ନେଇଥିଲା। ଏଥିପାଇଁ ମଙ୍ଗଳବାର ରାତିରେ ଏକ ଜରୁରୀ ବୈଠକ ଡକାଯାଇଥିଲା। ଏହି ବୈଠକକୁ ଗାଁ ସଭାପତି ଆସି ନ ଥିଲେ। ଫଳରେ ଉପସଭାପତି ନରେଶ ସେଠୀଙ୍କୁ ସଭାପତି ଦାୟିତ୍ବ ଦିଆଯାଇ ବୈଠକ କରାଯାଇଥିଲା। ଗାଁ କମିଟିର ନିଷ୍ପତ୍ତି ସଭାପତି ଅମାନ୍ୟ କରିଥିବାରୁ ତାଙ୍କୁ ସଭାପତି ପଦରୁ ବିଦା କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏପଟେ ୱାର୍ଡମେମ୍ବର ପତିତପାବନ ସାହୁଙ୍କୁ ମଦ ବିକ୍ରି ପ୍ରସଙ୍ଗରେ ଗାଁ ଲୋକ ପଚାରିବାରୁ ସେ ଏହାକୁ ଅସ୍ବୀକାର କରିଥିଲେ। ସେ ତୁମୁଣି ଅଞ୍ଚଳରେ ମଦ ବିକ୍ରି କରୁ ନଥିବା କହିବା ସହ ଗାଁ ଲୋକ ଯାହା କରିବା କଥା କର କହି ବୈଠକରୁ ଚାଲି ଯାଇଥିଲେ।

ଏମିତିରେ ମଙ୍ଗଳବାର ରାତି ବୈଠକ ଶେଷ ହୋଇଥିଲାବେଳେ ବୁଧବାର ସକାଳେ ଜଣେ ବିହାରୀ ଯୁବକ ବିକାଶ କୁମାର ବିଦାୟୀ ସଭାପତି ନରେଶ ସାହୁଙ୍କ ବାଇକ୍‌ରେ ଦେଶୀ ମଦ ପାଉଚ ଆଣୁଥିଲେ। ତାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଗ୍ରାମବାସୀ ଅଟକାଇବା ପରେ ସେ ନରେଶ ସାହୁଙ୍କ ଦୋକାନକୁ ମଦ ଆଣୁଥିବା କହିଥିଲେ। ଏଥିନେଇ ଗ୍ରାମବାସୀ ବନ୍ତଳା ଥାନା ପୁଲିସ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ଯାଞ୍ଚ ସମୟରେ ପତିତପାବନ ସାହୁଙ୍କ ଦୋକାନରୁ ମଦ ବାହାରିଥିଲା। ଅପରପକ୍ଷରେ ନରେଶ ସାହୁଙ୍କ ବିରୋଧରେ ଅଭିଯୋଗ ଆସିବାରୁ ତାଙ୍କ ଭାଇ ମହେଶ ସାହୁ ରାଗି ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହାକୁ ନେଇ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଗ୍ରାମବାସୀ ଓ ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନେ ପୁଲିସ ଗାଡ଼ିକୁ କିଛି ସମୟ ଅଟକାଇ ରଖିଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ପୁଲିସ ଗାଡ଼ିକୁ ଛାଡ଼ିଥିଲେ। ପରେ ଗାଁ କମିଟିର ଏତଲା କ୍ରମେ ପୁଲିସ ୪୮୧/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିକାଶ କୁମାର, ନ‌ରେଶ ସାହୁ, ମହେଶ ସାହୁଙ୍କୁ ଗିରଫ କରିଛି। ଏହାସହିତ ପତିତପାବନ ସାହୁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲାବେଳେ ସେ ଫେରାର୍‌ ଅଛନ୍ତି। ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି। ଅପରପକ୍ଷରେ ମଦ ବିକି ଗାଁ ସଭାପତି ବନ୍ଧା ହେବା ଘଟଣା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।