କଟକ : ନୂଆଢଙ୍ଗରେ ଐତିହାସିକ କଟକ ବାଲିଯାତ୍ରାର ଆୟୋଜନକୁ ନେଇ ସୃଷ୍ଟି ହୋଇଥିବା ପ୍ରବଳ ଉତ୍ସାହ ଯୋଗୁଁ ଭିଡ଼ କମିବାର ନାଁ ଧରୁନି। ଗଲା ୩ ଦିନ ଧରି ରେକର୍ଡ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ଭିଡ଼ ଟିକେ କମିବ ବୋଲି ଯାହା ଆକଳନ କରାଯାଇଥିଲା, ତାହା ଭୁଲ୍ ପ୍ରମାଣିତ ହୋଇଛି।
ଯଦିଓ ପୂର୍ବ ତିନିଦିନ ତୁଳନାରେ ଭିଡ଼ ସାମାନ୍ୟ ହ୍ରାସ ପାଇଥିଲା, ଲୋକଙ୍କ ଭିତରେ ସେହି ଉତ୍ସାହ ଦେଖିବାକୁ ମିଳିଛି। ଭିଡ଼ ଯୋଗୁଁ ସହରର ବିଭିନ୍ନ ରାସ୍ତାରେ ଟ୍ରାଫିକ୍ ବି ଜାମ ରହିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ବାଲିଯାତ୍ରାକୁ ନେଇ କଟକ ପୌର ନିଗମ ପକ୍ଷରୁ ସୋମବାର ଦିନ ବାଲିଯାତ୍ରା ପଡ଼ିଆରେ ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପୌର ନିଗମ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

ସୋମବାର ସକାଳ ୮ଟା ସମୟରେ ବାଲିଯାତ୍ରାର ‘କଟକ ଇନ୍ କଟକ ପରିସର’ରେ ଏହି ବୈଠକ ବସିଥିଲା। ମେୟର ସୁବାସ ସିଂହଙ୍କ ପୌରୋହିତ୍ୟ ଓ କମିସନର ନିଖିଲ୍ ପୱନ୍ କଲ୍ୟାଣଙ୍କ ନେତୃତ୍ବରେ ଆୟୋଜିତ ବୈଠକରେ ବାଲିଯାତ୍ରାର ବିଭିନ୍ନ ଆୟୋଜନ ଉପରେ ଆଲୋଚନା କରାଯାଇଛି। ଗଲା ୬ ଦିନ ଧରି ଶାନ୍ତିଶୃଙ୍ଖଳାର ସହିତ ବାଲିଯାତ୍ରା ଆୟୋଜନ କରାଯାଇ ଥିବାବେଳେ ଆଗାମୀଦିନମାନଙ୍କରେ ବାଲିଯାତ୍ରାକୁ ଅଧିକ ସୁନ୍ଦର କରିବା ଦିଗରେ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ କାଗଜ ଡଙ୍ଗା ତିଆରି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବାବେଳେ ଏ ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି।

ଅନ୍ୟପକ୍ଷରେ, ବାଲିଯାତ୍ରା ଆସନ୍ତା ୧୬ ତାରିଖରେ ଶେଷ ହେବାକୁ ଥିବାବେଳେ ଏହାକୁ ଆଉ ୨ ଦିନ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ବୈଠକରେ ବାଲିଯାତ୍ରା ଆୟୋଜନ ପାଇଁ ଗଠିତ ହୋଇଥିବା ୭ଟି କୋର କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା, ସମସ୍ତ କର୍ପୋରେଟର, ନିଗମର ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।
ଏଥିସହିତ, ବାଲିଯାତ୍ରାକୁ ଆଉ ଦୁଇଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ମେୟର ସୁବାସ ସିଂହ କହିଛନ୍ତି।